କୋରାପୁଟ ମେଡିକାଲରେ ୬ ରୋଗୀ ମୃତ୍ୟୁ ଘଟଣା: ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
Key Points
ସ୍ବାସ୍ଥ୍ୟମନ୍ତ୍ରୀ କୋରାପୁଟ ଯାଇ ପରିସ୍ଥିତିର ଅନୁଧ୍ୟାନ ସହ କଲେ ତନାଘନା
୩ ଦିନରେ ବିଶେଷଜ୍ଞ ଦଳର ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ମେଡିକାଲ ଆଗରେ ବିକ୍ଷୋଭ
ଗୋଟିଏ ଦିନରେ ୬ ଜଣଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ଥିବା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଗୁରୁବାର ପହଞ୍ଚିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ବିଶେଷଜ୍ଞ ଟିମ ଓ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଘଟଣା ନେଇ ବୈଠକ କରିଥିଲେ ମନ୍ତ୍ରୀ। ଏଥିସହ ହସ୍ପିଟାଲର ସଂପୃକ୍ତ ୱାର୍ଡ ସହ ମେଡିସିନ୍ ଷ୍ଟୋରକୁ ଯାଇ ଘଟଣାର କରିଥିଲେ ଅନୁଧ୍ୟାନ। ଏସସବି ଓ ଏମକେସିଜିରୁ ଆସିଥିବା ବିଶେଷଜ୍ଞ ଡାକ୍ତରୀ ଟିମ୍ ଏବେ ରୋଗୀ ମୃତ୍ୟୁ ଘଟଣାର କରୁଛନ୍ତି ଅନୁସନ୍ଧାନ। ସେମାନେ ୩ ଦିନ ଭିତରେ ସରକାରଙ୍କୁ ଦେବେ ରିପୋର୍ଟ। ସେହି ରିପୋର୍ଟ ଆଧାରରେ କେହି ଦୋଷୀ ସାବ୍ୟସ୍ତ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ବାସନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
ହସ୍ପିଟାଲ ପକ୍ଷରୁ କୌଣସି ଅବହେଳା କରାଯାଇ ନ ଥିବା ଏବଂ ମୃତକଙ୍କୁ ଦିଆଯାଇଥିବା ଇଞ୍ଜେକସନ୍ ଓ ମେଡିସିନ୍ ପରୀକ୍ଷା ପାଇଁ ପଠାଯାଇଥିବା କଥା ପୁଣି ଦୋହରାଇଛନ୍ତି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ। ସେପଟେ ରୋଗୀ ମୃତ୍ୟୁ ପଛରେ ସରକାରୀ ଅବହେଳା ଅଭିଯୋଗ କରି ହସ୍ପିଟାଲ ଆଗରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା। ପ୍ରାଣ ହରାଇଥିବା ରୋଗୀଙ୍କ ପରିବାରକୁ ମନ୍ତ୍ରୀ ନ ଭେଟିବା ସମ୍ବେଦନହୀନତାର ପରିଚୟ ଦେଉଛି। ତେଣୁ ୬ ଜଣଙ୍କ ମୃତ୍ୟୁ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦାବି କରିଛି କଂଗ୍ରେସ। କାରଣ ଯାହାବି ହୋଇଥାଉନା କାହିଁକି ଗୋଟିଏ ଦିନରେ ୬ ଜଣ ରୋଗୀ ପ୍ରାଣ ହରାଇବା ନିଶ୍ଚିତଭାବେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ଚିକିତ୍ସା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ବିଶେଷଜ୍ଞ ଟିମ୍ ୬ ଜଣଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରୁଛନ୍ତି ଏବଂ ସରକାର କଣ ଆକ୍ସନ ନେଉଛନ୍ତି ଏବେ ତା ଉପରେ ରହିଛି ସମସ୍ତଙ୍କ ନଜର।