Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳିତ ବର୍ଷ ପୁସ୍ତକ ମେଳାରେ ପଡ଼ିଛି ପ୍ରାୟ ୪୦୦ଟି ଷ୍ଟଲ୍

Smruti Parija
Browse all articles by Smruti Parija
·1 year ago·3 min read
ଚଳିତ ବର୍ଷ ପୁସ୍ତକ ମେଳାରେ ପଡ଼ିଛି ପ୍ରାୟ ୪୦୦ଟି ଷ୍ଟଲ୍

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦ୍‌ଘାଟନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପୁସ୍ତକ ମେଳା ଆସନ୍ତା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଆଜିର ଉଦ୍‌ଘାଟନୀ ସମାରୋହରେ  ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଶିଷ୍ଟ ସାହିତ୍ୟିକ ଶ୍ରୀ ଶାନ୍ତୁନୁ ଆଚାର୍ଯ୍ୟ, ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ଼. ବିପିନ୍‌ ମିଶ୍ର ଆଦି ଅତିଥି ଭାବେ ଯୋଗ ଦେଇଥିଲେ।

ସର୍ବପ୍ରଥମେ ସମସ୍ତ ଅତିଥିମାନେ ପୁସ୍ତକମେଳାରେ ପଡ଼ିଥିବା ବିଭିନ୍ନ ଷ୍ଟଲ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିର୍ମିତ ହୋଇଥିବା ତିନୋଟି ପାଭିଲିୟନ ବୁଲି ଦେଖିଥିଲେ। ଏହାପରେ ଅତିଥିମାନଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ବଳନ କରାଯାଇ ଅନୁଷ୍ଠାନିକ ଭାବରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଆଜିର ଉଦ୍‌ଘାଟନୀ ସମାରୋହରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ପୁସ୍ତକ ହେଉଛି ଆମ ସମାଜ ପାଇଁ ଏକ ଦର୍ପଣ। ଜଣେ ଲେଖକ ନିଜର ଲେଖନୀ ଚାଳନା କରି ଯେଉଁ ପୁସ୍ତକଟିଏ ରଚନା କରିଥାଏ ତାହା ଆମକୁ ଆମ ସମାଜର ବାସ୍ତବିକତା ସହ ପରିଚିତ କରାଇଥାଏ ଏବଂ ଆମକୁ ଦିଗଦର୍ଶନ ମଧ୍ୟ ପ୍ରଦାନ କରିଥାଏ। ତେଣୁ ଆମେ ସମସ୍ତେ ଓ ବିଶେଷ ଭାବେ ଯୁବପିଢ଼ିମାନେ ପୁସ୍ତକ ପଠନ ମାଧ୍ୟମରେ ସମାଜର ବାସ୍ତବିକତା ସମ୍ବନ୍ଧରେ ଅବଗତ ହୋଇ ଏକ ବିକଶିତ ସମାଜ ଏବଂ ଏକ ବିକଶିତ ରାଜ୍ୟ ଓ ଦେଶ ଗଠନରେ ନିଜର ଯୋଗଦାନ ଦେବା ଉଚିତ ବୋଲି ଶ୍ରୀ ସିଂ ମତପ୍ରକାଶ କରିଥିଲେ।

ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର ବିଜେତା ତଥା ବିଶିଷ୍ଟ ସାହିତ୍ୟିକ ଶ୍ରୀ ଶାନ୍ତନୁ ଆଚାର୍ଯ୍ୟ ସାମ୍ପ୍ରତିକ ସମୟରେ ପୁସ୍ତକ ପଠନର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିବା ସହ ପୁସ୍ତକ ହିଁ ଏକ ବିକଶିତ ସମାଜ ଓ ସଭ୍ୟତାର ମାପକାଠି ବୋଲି ନିଜର ମତପ୍ରକାଶ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜିର ଉଦ୍‌ଘାଟନୀ ସମାରୋହରେ ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ "ଶ୍ରୀମଦ ଭାଗବତ", ଡ଼. ହରିହର କାନୁନ୍‌ଗୋ ଙ୍କ ଦ୍ୱାରା ରଚିତ ପୁସ୍ତକ "ବିବର୍ତ୍ତନରେ ଓଡ଼ିଆ ଭାଷା", ଡ଼. ଅରବିନ୍ଦ ପଟ୍ଟନାୟକଙ୍କ ଦ୍ୱାରା ରଚିତ "ଓଡ଼ିଆ ଲୋକ ସାହିତ୍ୟ ଓ ସଂସ୍କୃତି" ଏବଂ ବିଜୟ କୁମାର ପଢ଼ିହାରୀଙ୍କ ଦ୍ୱାରା ରଚିତ ଗୁରୁଚରଣ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଆଦି ଉନ୍ମୋଚିତ କରାଯାଇଥିଲା।

ପ୍ରକାଶଯୋଗ୍ୟଯେ ,ଚଳିତବର୍ଷ ପୁସ୍ତକ ମେଳାରେ ପ୍ରାୟ ୪୦୦ଟି ଷ୍ଟଲ୍‌ ପଡିବା ସହ ପ୍ରାୟ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେଇଛନ୍ତି । 

ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାରେ ବୁଦ୍ଧ ସ୍ମାରକୀ, ଭଗବାନ ବିର୍ସା ମୁଣ୍ଡା ଓ ଅନ୍ୟାନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀକୁ ଆଧାର କରାଯାଇ ତିନିଗୋଟି ଥିମ୍ ପାଭିଲିୟନ ମଧ୍ୟ ନିର୍ମାଣ କରାଯାଇଛି।ପୁସ୍ତକ ମେଳାର ମୁଖ୍ୟ ପ୍ରବେଶ ଦ୍ୱାରକୁ ଡକ୍ଟର ହରେକୃଷ୍ଣ ମହତାବ, ମୁଖ୍ୟମଞ୍ଚକୁ ସୁନାମଧନ୍ୟ ସାହିତ୍ୟିକ ସାତକଡି ହୋତା, ମେଳାର ଭିତର ପ୍ରବେଶ ଦ୍ୱାରକୁ କବି ହରିହର ମିଶ୍ର ଏବଂ ମେଳାର ଭିତର ମଞ୍ଚକୁ ସାହିତ୍ୟିକ ସତ୍ୟନାରାୟଣ ବହିଦାରଙ୍କ ନାମରେ ନାମିତ କରାଯାଇଛି।ଏଥିସହ ପୁସ୍ତକ ମେଳାର ବିଭିନ୍ନ ସ୍ଥାନରେ ବହୁ ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କର ଫଟୋଚିତ୍ର ମଧ୍ୟ ସ୍ଥାନିତ କରାଯାଇଛି ।

ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଲେଖକ ଓ ପାଠକମାନଙ୍କ ଭିତରେ ଭାବ ବିନିମୟ ନିମନ୍ତେ ଏକ କଫି କର୍ଣ୍ଣର, ପୁସ୍ତକ ଉନ୍ମୋଚନ ଏବଂ ସାହିତ୍ୟ ଆଲୋଚନା ଚକ୍ର ନିମନ୍ତେ ଏକ କ୍ଷୁଦ୍ର ପ୍ରେକ୍ଷାଳୟ ସ୍ଥାପନ କରାଯାଇଥିବା ବେଳେ, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ, ମିଲେଟ ମିଶନ, କୋରାପୁଟ କଫି, ମିଶନ ଶକ୍ତି ଆଦି ତରଫରୁ ଖାଦ୍ୟ ଷ୍ଟଲ ମଧ୍ୟ ପ୍ରସ୍ତୁତ କରାଯାଇଛି । 
ଚଳିତବର୍ଷର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ବିଭିନ୍ନ ସମ୍ବାଦପତ୍ର ସଂସ୍ଥା, ସରକାରୀ ବିଭାଗ, ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ତରଫରୁ ଷ୍ଟଲ୍‌ ନିର୍ମାଣ କରାଯାଇଥିବା ବେଳେ ଏହାର ଆୟୋଜନ କରିବାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, ଓଡ଼ିଶା ପ୍ରକାଶକ ସଂଘ, ରାଜଧାନୀ ପୁସ୍ତକ ମେଳା,ଏକାମ୍ର ପୁସ୍ତକ ମେଳା ଓ ଭୁବନେଶ୍ୱର ପୁସ୍ତକ ମେଳାର କର୍ମକର୍ତ୍ତା ତଥା ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପୁସ୍ତକ ପ୍ରକାଶକ ଓ ପୁସ୍ତକ ବିକ୍ରେତାମାନେ ସହଯୋଗ ପ୍ରଦାନ କରିଛନ୍ତି।
 

Sponsored
6th-state-book-fair-inagurated-at-bhubaneswar-pradarshini-padia | Argus News