ଏବେ ବି ମୋବାଇଲ୍ ଟାୱାର ଓ ଇଣ୍ଟରନେଟ୍ରୁ ବଞ୍ଚିତ ରାଜ୍ୟର ୧୬୭ ବ୍ଲକର ୭୬୪ଟି ପଞ୍ଚାୟତ

ଭୁବନେଶ୍ଵର: ଅଦ୍ୟାବିଧି ରାଜ୍ୟର ୭୬୪ଟି ଗ୍ରାମପଞ୍ଚାୟତରେ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍ ସେବା ନାହିଁ । ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ଗୃହରେ ଏହି ତଥ୍ୟ ରଖିଛନ୍ତି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।
ମନ୍ତ୍ରୀ କହିଛନ୍ତି, ରାଜ୍ୟର ସମସ୍ତ ଗାଁକୁ ମୋବାଇଲ୍ ଓ ନେଟୱର୍କ ଯୋଗାଇବା ପାଇଁ ଡିଜିଟାଲ୍ ଭାରତ ନିଧି ଯୋଜନା ଅଧିନରେ 4G ସାଚ୍ୟୁରେସନ୍ ପ୍ରକଳ୍ପ ମାଧ୍ୟମକେ ମୋଟ ୪୨୭୭ଟି ଟାୱାର ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥିରୁ ୨୦୮୫ ଟାୱାର୍ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମୋବାଇଲ୍ ନେଟୱର୍କ ମିଳୁଛି ।
📱 Get Argus News App
✨ବାକି ରହିଥିବା ୨୧୯୨ ଟାୱାର ଜୁନ୍-୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଗଲେ ରାଜ୍ୟର ପ୍ରାୟ ସମସ୍ତ ଗ୍ରାମକୁ ମୋବାଇଲ୍ ନେଟୱର୍କ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ରାଜ୍ୟର ୧୬୭ ବ୍ଲକର ୭୬୪ଟି ପଞ୍ଚାୟତରେ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଣ୍ଟ ନାହିଁ ।
କନ୍ଧମାଳ ଜିଲ୍ଲାର ସର୍ବାଧିକ ୧୩ ବ୍ଲକର ୧୦୬ ପଞ୍ଚାୟତ, ରାୟଗଡ଼ା ଜିଲ୍ଲାର ୧୨ ବ୍ଲକର ୮୩ ପଞ୍ଚାୟତ, କୋରାପୁଟ ଜିଲ୍ଲାର ୧୪ ବ୍ଲକର ୮୧ ପଞ୍ଚାୟତ, ଗଜପତି ଜିଲ୍ଲାର ୮ ବ୍ଲକର ୭୨ ପଞ୍ଚାୟତ, କଳାହାଣ୍ଡି ଜିଲ୍ଲାର ୯ ବ୍ଲକର ୬୨ ପଞ୍ଚାୟତ, ମାଲକାନଗିରିର ୮ ବ୍ଲକର ୫୦ ପଞ୍ଚାୟତରେ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ ନାହିଁ ।