Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Red Sandal: ଅନାଥ ଭଳି ପଡ଼ି ରହିଛି ୯୦୪ ମେଟ୍ରିକ ଟନ୍ ରକ୍ତ ଚନ୍ଦନ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Red Sandal: ଅନାଥ ଭଳି ପଡ଼ି ରହିଛି ୯୦୪ ମେଟ୍ରିକ ଟନ୍ ରକ୍ତ ଚନ୍ଦନ...

ଗତ ସରକାରର ଖାମଖିଆଲ ମନୋଭାବରୁ ଅସ୍ତିତ୍ୱ ହରାଉଛି ଦୁର୍ମୁଲ୍ୟ ରକ୍ତ ଚନ୍ଦନ । ବ୍ରହ୍ମପୁର ଉପକଣ୍ଠରେ ନିଆଯାଇଥିବା ଏକ ଭଡ଼ା ଗୋଦାମରେ ପଡ଼ିରହିଛି ୯୦୪ ମେଟ୍ରିକ ଟନ୍ ରକ୍ତ ଚନ୍ଦନ । ୨୦୧୮ରେ ଗଜପତିରୁ ଅଣାଯାଇଥିଲା ଏହି ରକ୍ତ ଚନ୍ଦନ କାଠ, ହେଲେ ତାକୁ କାମରେ ଲଗାନଯିବାରୁ ଏବେ ଏହାର ମାନ ହ୍ରାସ ପାଇଲାଣି । ବାରମ୍ବାର ଟେଣ୍ଡର ପରେ ବି ଏହି ରକ୍ତଚନ୍ଦନ କାଠ କିଣିବାକୁ କେହି ଇଛା କରୁନାହାନ୍ତି । ଭଡ଼ା ଘର ବାବଦକୁ ପ୍ରତି ମାସରେ ସରକାର ଖର୍ଚ୍ଚ କରୁଛନ୍ତି ୫ ଲକ୍ଷରୁ ଅଧିକ ଟଙ୍କା ।

ଖତ ଖାଉଛି ମେଟ୍ରିକ୍ ମେଟ୍ରିକ୍ ଟନ୍ ରକ୍ତ ଚନ୍ଦନ କାଠ । ବ୍ରହ୍ମପୁର ଉପକଣ୍ଠ ନରେନ୍ଦ୍ରପୁର ସ୍ଥିତ ଏକ ଘରୋଇ ଗୋଦାମ ଘରେ ତିତିଲି ବାତ୍ୟା ସମୟରୁ ପଡି ରହିଛି ବିରଳ ରକ୍ତ ଚନ୍ଦନ କାଠ । ଯାହାକି ବାହାରେ ପଡି ରହି ଖରା, ବର୍ଷା ମାଡ଼ ଖାଇ କଳା ପଡି ଯାଉଥିବାବେଳେ ଧିରେ ଧିରେ ମାନ ହରାଉଛି । ପୂର୍ବ ବିଜେଡି ସରକାରର ଅବହେଳାରୁ ଦୁର୍ମୁଲ୍ୟ ଲାଲ୍ ଚନ୍ଦନ କାମରେ ନଆସି ନଷ୍ଟ ହେବାକୁ ବସିଛି ।

୧୨୫୨ଟି ରକ୍ତ ଚନ୍ଦନ ଗଛ ଗଜପତିରୁ ଆସିଥିବାବେଳେ ତାହା ୯୪୨ ମେଟ୍ରିକ ଟନ ରହିଥିଲା । ୨୦୨୨ରେ ପ୍ରଥମେ ଗ୍ଲୋବାଲ ଟେଣ୍ଡର ହୋଇଥିଲା । ଚାଇନାର କିଛି ବ୍ୟବସାୟୀ ଆସି ୩୮ ମେଟ୍ରିକ ଟନ ରକ୍ତ ଚନ୍ଦନ କିଣି ନେଇଥିଲା ବେଳେ ବଳକା ରକ୍ତଚନ୍ଦନ କାଠ ସେବେଠୁ ପଡି ରହିଛି । ବାରମ୍ବାର ଟେଣ୍ଡର ହେଉଥିବା ବେଳେ କେହି ବ୍ୟବସାୟୀ ରକ୍ତଚନ୍ଦନ କାଠ କିଣିବା ନିମନ୍ତେ ଆବେଦନ କରୁନାହାନ୍ତି ।

୨୦୨୪ରେ ରକ୍ତଚନ୍ଦନ କାଠକୁ ବିକ୍ରି ପାଇଁ ତିନୋଟି ପର୍ଯ୍ୟାୟରେ ଗ୍ଲୋବାଲ ଟେଣ୍ଡର କରାଯାଇଥିଲା । ପରେ ଚଳିତ ବର୍ଷ ପୁଣିଥରେ ଟେଣ୍ଡର ବାହାରିଥିବା ବେଳେ ଏହା ଫେବୃୟାରୀ ୬ରେ ଶେଷ ହୋଇଛି ।

ସେପଟେ ଏହି ରକ୍ତଚନ୍ଦନ କାଠକୁ ରଖାଯାଇଥିବା ଗୋଦାମର ମାସିକ ଭଡ଼ା ୧ ଲକ୍ଷ ୯୦ ହଜାର ଟଙ୍କା ଓ ଏହାର ସୁରକ୍ଷା ବାବଦରେ ୧୨ଟି ସିକ୍ୟୁରିଟି ଅଫିସର ସହ ୩୮ଟି ସିସିଟିଭି ବାବଦକୁ ୩ ଲକ୍ଷ ୩୦ ହଜାର ଖର୍ଚ୍ଚ ହେଉଛି । ମାସିକ ୫ ଲକ୍ଷରୁ ଅଧିକ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଥିବାବେଳେ କାଠର ଚାହିଦା କମିବାକୁ ନେଇ ଚିନ୍ତାରେ ଓଡ଼ିଶା ବନ ଉନ୍ନୟନ ନିଗମ ।

ଅନ୍ୟପଟେ କୁହାଯାଉଛି ଗଜପତିରେ ଏବେ କାଠ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ରାତା ରାତି ଗାୟବ କରି ଦେଉଛନ୍ତି କୋଟି କୋଟି ଟଙ୍କା ମୂଲ୍ୟର ରକ୍ତ ଚନ୍ଦନ ଗଛ । ପାରଲା ମହାରାଜ ଗଛ ଲଗାଇଥିଲେ । ଆଉ କାଠ ମାଫିଆ ତାକୁ କାଟି ସଫା କରୁଛନ୍ତି । ୧୨ ହଜାର ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ ପାରଳା ମହାରାଜ । ଏବେ ଆଉ ମାତ୍ର ୧୦୦୩ଟି ଗଛ ରହିଥିବା ବନବିଭାଗ ତଥ୍ୟ କହୁଛି । କୁହାଯାଉଛି ପୂର୍ବ ବିଜେଡି ସରକାରରେ ସୁରକ୍ଷା ଅଭାବରୁ ବଢିଛି ଚନ୍ଦନ କାଠ ତସ୍କରୀ ।

ଦିନ ଥିଲା 'ରକ୍ତ ଚନ୍ଦନ' ଗଛରେ ଭରପୂର ଥିଲା ଗଜପତି ଜିଲ୍ଲା । ଏବେ କିନ୍ତୁ କାଁ ଭାଁ ଗଛ ରହିଛି । କାଠ ମାଫିଆମାନେ ବହୁ ମୂଲ୍ୟ ରେଡ୍ ସ୍ୟାଣ୍ଡଲ୍ ବିଦେଶକୁ ଚାଲାଣ କରି ମାଲେମାଲ୍ ହେଉଛନ୍ତି। ଜିଲ୍ଲାର ଗୋଷାଣି ବ୍ଳକର ଲାବାଣ୍ୟଗଡ ଏବଂ ଗୁମ୍ମା ବ୍ଲକର ନାମନଗଡ ଅଞ୍ଚଳରେ ବେଧଡ଼କ ଚାଲିଛି ଚନ୍ଦନ କାଠ ଚୋରି । ଦୁର୍ମୂଲ୍ୟ ଜଙ୍ଗଲକୁ ସୁରକ୍ଷା ଦେବାରେ ବିଫଳ ହେଉଛି ବନବିଭାଗ ।

ରକ୍ତ ଚନ୍ଦନ ଗଛର ଚାହିଦା ଜଣାପଡିବା ପରେ ୧୯୯୦ ବେଳକୁ ତସ୍କରୀ ଆରମ୍ଭ ହୋଇଥିଲା । ଗତ ୩୩ ବର୍ଷ ହେବ ବଣରୁ ଗଛ ଚୋରି ହୋଇଚାଲିଛି । କୁହାଯାଉଛି ପ୍ରାୟ ୧୨ ହଜାର ଗଛ ଲଗାଇ ବଣ ସୃଷ୍ଟି କରିଥିଲେ ପାରଳା ମହାରାଜ । ସେଥିରୁ ଏବେ ମାତ୍ର ୧୦୦୩ଟି ଗଛ ହିଁ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
904 Metric Ton Sandal Wood Stock In a Private warehouse at Berhampur | Argus News