ପ୍ରିଭେଣ୍ଟିଭ୍ ଓ ପ୍ରମୋଟିଭ୍ ହେଲ୍ଥ କେୟାର ଉପରେ ମୋଦି ସରକାରଙ୍କ ଫୋକସ୍

ପୁରୀ: ନବମ ଜାତୀୟ ସ୍ଵାସ୍ଥ୍ୟ ସମ୍ମିଳନୀର ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ । ପ୍ରିଭେଣ୍ଟିଭ୍ ଓ ପ୍ରମୋଟିଭ୍ ହେଲ୍ଥ କେୟାର ଉପରେ ମୋଦି ସରକାରଙ୍କ ଫୋକସ୍ । ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଜନ ଭାଗିଦାରୀ ସୃଷ୍ଟି ପାଇଁ ଜେ.ପି ନଡ୍ଡାଙ୍କ ଆହ୍ଵାନ । ଚଳିତବର୍ଷରୁ ଦେଶର ୨୦୦ ହସ୍ପିଟାଲରେ ମିଳିବ କ୍ୟାନସର ଡେ କେୟାର୍ ଓ କେମୋଥେରାପି ସେବା ।
ମୋଦି ସରକାରଙ୍କ ଫୋକସରେ ଓଡ଼ିଶା । ଏନ୍ଆର୍ଆଇ ଡେ, ନୌସେନା ଦିବସ, ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପରେ ଏବେ ରାଜ୍ୟର ଐତିହ୍ୟ ସହର ପୁରୀରେ ଆରମ୍ଭ ହୋଇଛି ନବମ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀ । ଦୁଇଦିନିଆ ସମ୍ମିଳନୀର ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ୨୦୧୭ରୁ ଦେଶରେ ସ୍ଵାସ୍ଥ୍ୟ ସେବା ମଡେଲ ବଦଳିବା ସହ ଜନ ଭାଗିଦାରୀ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ନେଇଛି ବଡ ଭୂମିକା ।
କେବଳ କିଓରେଟିଭ ସ୍ଵାସ୍ଥ୍ୟ ମଡେଲ ପରିବର୍ତ୍ତେ ପ୍ରିଭେଣ୍ଟିଭ ଓ ପ୍ରୋମୋଟିଭ ହେଲ୍ଥ କେୟାର ସିଷ୍ଟମ ଆପଣାଇ ସନ୍ତୁଳିତ ସ୍ଵାସ୍ଥ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ନଡ୍ଡା । ଦେଶରେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇବା ଦିଗରେ ଆଶା କର୍ମୀଙ୍କ ଯୋଗଦାନକୁ ପ୍ରଶଂସା କରିଛନ୍ତି । ୨୦୨୫ ସୁଦ୍ଧା ଭାରତକୁ ଟିବି ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର । ଚଳିତବର୍ଷ ୨୦୦ ହସ୍ପିଟାଲରେ କ୍ୟାନସର ଡେ କେୟାର ସେଣ୍ଟର୍ ସହ କେମୋଥେରାପି ସେବା ମିଳିବ ବୋଲି କହିଛନ୍ତି ନଡ୍ଡା ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ହେଉଥିବା କମନ୍ ରିଭ୍ୟୁ ମିଶନ ମାଧ୍ୟମରେ ୧୯ ରାଜ୍ୟର ୩୮ ଜିଲ୍ଲାରେ ସଫଳ ମଡେଲ୍ ଅନ୍ୟ ରାଜ୍ୟକୁ ପ୍ରେରଣା ଯୋଗାଉଛି । ସିକ୍କିମର ପାହାଡିଆ ଅଞ୍ଚଳରେ ଶିଶୁ ମୃତ୍ୟୁ ହାର ହ୍ରାସ ମଡେଲ, କର୍ଣ୍ଣାଟକର ବ୍ରେନ୍ ହେଲ୍ଥ ମଡେଲ ପରି ମଧ୍ୟ ପ୍ରଦେଶର ଆୟୁଷ୍ମାନ ପେମେଣ୍ଟ ମଡେଲକୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ଅନୁକରଣ କରିପାରିବେ ।
ଆଗାମୀ ଦିନରେ IPHS NORM ସହ ସବୁ ଜିଲ୍ଲା ଡାକ୍ତରଖାନାରେ ଖାଲିଥିବା ଡାକ୍ତର ପଦବୀ ଓ ପାରା ମେଡିକାଲ ପଦବୀ ପୂରଣ ହେବ ବୋଲି କହିଛନ୍ତି ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ । ରାଜ୍ୟରେ ୧୪ଟି ମେଡିକାଲ କଲେଜ ଖୋଲିବାକୁ ଯୋଜନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆୟୁଷ୍ମାନ ଓ ଗୋପବନ୍ଧୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ ।
ପୂର୍ଣ୍ଣ ଟୀକାକରଣ ଓ ଶିଶୁ ମୃତ୍ୟୁ ହାର ହ୍ରାସରେ ଆଗକୁ ବଢୁଛି ଓଡ଼ିଶା । ଆଗକୁ ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ନିର୍ମାଣ ସହ ସନ୍ତୁଳିତ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ବେଶ ସମୃଦ୍ଧ ହେବାକୁ ଯାଉଛି ।