ସନାତନୀଙ୍କ ଧାର୍ମିକ ବିଶ୍ବାସକୁ କୁଠାରଘାତ , ହୋଟେଲରେ ମଟନ୍ ନାଁରେ ଗୋମାଂସ !

ଭୁବନେଶ୍ବର ପୁରୀ ଜାତୀୟ ରାଜପଥ କଡ଼ ହୋଟେଲରେ ବିକ୍ରି ହେଉଛି ଗୋମାଂସ
ସାକ୍ଷୀଗୋପାଳ ନିକଟ ଜୟା ହୋଟେଲ୍ ସିଲ୍ କଲା ପୋଲିସ
ସନାତନୀଙ୍କ ଧାର୍ମିକ ବିଶ୍ବାସକୁ ବଡ଼ କୁଠାରଘାତ
ମାଂସ କେଉଁଠୁ ଆସୁଥିଲା ହେବା ଦରକାର ତଦନ୍ତ
ଦୋଷୀଙ୍କ ବିରୋଧରେ ଆବଶ୍ୟକ କଡ଼ା କାର୍ଯ୍ୟାନୁଷ୍ଠାନ
ରାଜ୍ୟରେ କଠୋର ହେବ କି ଗୋ ହତ୍ୟା ନିରୋଧ ଆଇନ ?
କେବଳ ହୋଟେଲ୍ ସିଲ୍ କରି ଚୁପ୍ ବସିବ କି ପୋଲିସ ?
ପୁରୀ ସତ୍ୟବାଦୀରେ ଲୋକଙ୍କ ହାତରେ ଧରାପଡ଼ିଥିବା ଗୋଚାଲାଣକାରୀ ପିଣ୍ଟୁର ଏ ବୟାନ ଯେତିକି ସାଂଘାତିକ ସେତିକି ସ୍ପର୍ଶକାତର। ପିଣ୍ଟୁ ଓରଫ ମୀର ସୟଦ୍ ଅଲ୍ଲୀ, ଘର ସତ୍ୟବାଦୀ ଅହମ୍ମଦପୁର ଅଞ୍ଚଳରେ। ତା ବୟାନରୁ ସ୍ପଷ୍ଟ ପୁରୀ ଜିଲ୍ଲାରେ କେମିତି ବେଧଡ଼କ ଚାଲିଛି ବେଆଇନ ଗୋଚାଲାଣ । ବ୍ରହ୍ମଗିରି-ପୁରୀ ସଦର ଭାୟା ଶୁକଳ ଦେଇ ସତ୍ୟବାଦୀକୁ ଗୋରୁ ନିଅନ୍ତି ମାଫିଆ। ସତ୍ୟବାଦୀ ଅହମ୍ମଦପୁର ଅଞ୍ଚଳରେ ଗୋମାତାଙ୍କୁ ହତ୍ୟା କରି ବିକ୍ରି କରନ୍ତି । ଆଉ ମଟନ ନାଁରେ ଗୋମାଂସ ବିକ୍ରି ହୁଏ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ କଡ଼ରେ ଥିବା ବିଭିନ୍ନ ହୋଟେଲରେ।
ଗୋଚାଲାଣ ବେଳେ ଲୋକଙ୍କ ହାତରେ ଧରାପଡ଼ିବା ପରେ ସତ ଓଗାଳିଛି ପିଣ୍ଟୁ। ଆଉ ଏ ଭିଡିଓ ଭାଇରାଲ ପରେ ଆକ୍ସନ ମୁଡକୁ ଆସିଛି ପୁରୀ ପୋଲିସ ଏବଂ ଜିଲ୍ଲା ପ୍ରଶାସନ । ପିଣ୍ଟୁ ଯେଉଁ ଜୟା ହୋଟେଲର ନାଁ ନେଇଛି ତାକୁ ସିଲ୍ କରିଛି ପୋଲିସ । ଖାଦ୍ୟ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଜିଲ୍ଲାପାଳ କହିଛନ୍ତି ପିଣ୍ଟୁର ଭିଡ଼ିଓକୁ ପ୍ରାଇମେରୀ ଏଭିଡେନସ ଭାବେ ନିଆଯାଇଅଛି । ଗୋଚାଲାଣର ନେଟୱର୍କର ପର୍ଦ୍ଦାଫାସ୍ ପାଇଁ ଅନ୍ୟ ସ୍ଥାନରେ ବି ଚଢ଼ାଉ ଚାଲିଛି । ପିଣ୍ଟୁ ସତ୍ୟବାଦୀ ଥାନା ପୋଲିସ ନାଁରେ ଆଣିଛି ସାଂଘାତିକ ଅଭିଯୋଗ। ପୋଲିସ ଗୋଚାଲାଣକାରୀଙ୍କଠାରୁ ମାସକୁ 50ରୁ70 ହଜାର ଟଙ୍କା ନିଅନ୍ତି । ଆଉ ବଦଳରେ ସୁରକ୍ଷା ବି ଦିଅନ୍ତି। ଅଭିଯୋଗ ପରେ ସତ୍ୟବାଦୀ ଥାନାର ସବଇନିସପେକ୍ଟର ପ୍ରିୟତମା ପ୍ରଧାନଙ୍କୁ ହେଡକ୍ବାର୍ଟରକୁ ବଦଳି କରାଯାଇଛି।
ହୋଟେଲରେ ଗୋମାଂସ ବିକ୍ରି ହେବା ସନାତନୀଙ୍କ ଧାର୍ମିକ ବିଶ୍ବାସକୁ ଶକ୍ତ କୁଠାରାଘାତ । ଶ୍ରୀମନ୍ଦିର ସିଂହଦ୍ଵାରରୁ ପ୍ରତିବାଦ ଶୋଭାଯାତ୍ରା କରି ପୁରୀ ଏସପିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଇଛି ବଜରଙ୍ଗ ଦଳ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗୋମାତା ସୁରକ୍ଷା ଆଇନ କଡ଼ାକଡ଼ି ପାଳନ କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି । ମାଂସ କେଉଁଠୁ ଆସୁଥିଲା ତାର ତଦନ୍ତ ହେବା ଦରକାର। ଦୋଷୀଙ୍କ ବିରୋଧରେ ହେବା ଦରକାର ଜୋରଦାର କାର୍ଯ୍ୟାନୁଷ୍ଠାନ। ସରକାର ଗୋ ହତ୍ୟା ରୋକିବାକୁ ବଦ୍ଧ ପରିକର ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାଜ୍ୟରେ କଠୋର ହେବା ଦରକାର ଗୋ ହତ୍ୟା ନିରୋଧ ଆଇନ। ଏବେ ପ୍ରଶ୍ନ ଉଠୁଛି କେବଳ ହୋଟେଲ୍ ସିଲ୍ କରି ପୋଲିସ ଚୁପ୍ ବସିବ କି ?