ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରମାକାନ୍ତ ରଥଙ୍କ ଶେଷ ଦର୍ଶନ କରିଛନ୍ତି

ନିରବୀ ଗଲେ ଶ୍ରୀରାଧାର ସ୍ରଷ୍ଟା । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଆଧୁନିକ ଓଡ଼ିଆ କବିତାର କାଳଜୟୀ ସ୍ରଷ୍ଟା ରମାକାନ୍ତ ରଥଙ୍କ ଶେଷକୃତ୍ୟ ହେବ । ୯୧ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ବାସଭବନରେ ହୋଇଥିଲା ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପରଲୋକ । ଶେଷ ଦର୍ଶନ କରିବାକୁ ଏବେ ବି ତାଙ୍କ ବାସଭବନରେ ପ୍ରିୟଜନଙ୍କ ଭିଡ଼ ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରମାକାନ୍ତ ରଥଙ୍କ ଶେଷ ଦର୍ଶନ କରିଛନ୍ତି । ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରମାକାନ୍ତ ରଥଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ଘଟିଥିବା ବେଳେ ଗଭୀର ଶୋକବ୍ୟକ୍ତ କରିଛନ୍ତି ବହୁ ସାହିତ୍ୟିକ ଓ ଗଣ୍ୟମାନ୍ୟ ବ୍ୟକ୍ତି । ଯୋଗଜନ୍ମା ସାରସ୍ବତ ସ୍ରଷ୍ଟାଙ୍କୁ ଝୁରୁଛନ୍ତି ଅଗଣିତ ପ୍ରଶଂସକ। କବି ରମାକାନ୍ତ ରଥଙ୍କ ସହ ନିଜର ଅନୁଭୁତି ମନେ ପକାଇ ଭାବବିହ୍ବଳ ହୋଇଛନ୍ତି ପାଠକ ଓ ପ୍ରଶଂସକ ।
ଶ୍ରୀରାଧା’ର ସ୍ରଷ୍ଟା ରମାକାନ୍ତ ରଥ ଆଉ ନାହାନ୍ତି । ପରଲୋକରେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ । ୯୧ ବର୍ଷ ବୟସରେ ରମାକାନ୍ତ ରଥଙ୍କ ପରଲୋକ ଘଟିଛି । ଭୁବନେଶ୍ବର ଖାରବେଳନଗରସ୍ଥିତ ବାସଭବନରେ ତାଙ୍କର ପରଲୋକଳ ହୋଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ପାଇଁ ଆସିଛନ୍ତି । ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ପାଇଁ ତାଙ୍କର ଖୁବ୍ ନାଁ ଥିଲା । ‘ସପ୍ତମ ଋତୁ’ ପାଇଁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇଥିଲେ । ‘ସଚିତ୍ର ଅନ୍ଧାର’ ପାଇଁ ଶାରଳା ପୁରସ୍କାରରେ ସମ୍ମାନୀତ ମଧ୍ୟ ହୋଇଥିଲେ ।
📱 Get Argus News App
✨୨୦୦୬ରେ ପଦ୍ମ ଭୂଷଣରେ ତାଙ୍କୁ ସମ୍ମାନିତ କରାଯାଇଥିଲା । କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨) ନାମରେ ତାଙ୍କର ସାତଟି କବିତା ସଂକଳନ ପ୍ରକାଶ ପାଇଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା ।
ସରସ୍ବତୀ ସମ୍ମାନରେ ବି ସମ୍ମାନିତ ହୋଇଥିଲେ କବି ରମାକାନ୍ତ । କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଓ ସଭାପତି ପଦ ମଣ୍ଡନ ବି କରିଥିଲେ । ରମାକାନ୍ତଙ୍କ ଲେଖାରେ ଥାଏ ଉଭୟ ଆଧ୍ୟାତ୍ମିକ ଓ ଆଧିଭୌତିକର କଳ୍ପନା ।
୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ ସେ କଟକଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ଇଂରାଜୀରେ ରେଭେନ୍ସା କଲେଜରୁ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ । ୧୯୯୩-୧୯୯୮ ଯାଏଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ-ସଭାପତି ଓ ୧୯୯୮-୨୦୦୩ ଯାଏଁ ତାହାର ସଭାପତି ଭାବରେ କାମ ତୁଲାଇଥିଲେ ।
ଫେବ୍ରୁଆରି ୨୦୦୯ରେ ସେ ଫେଲୋସିପ ସମ୍ମାନ ଲାଭ କରିଥିଲେ । ଏହି ସମ୍ମାନ ଲାଭ କରିବାରେ ସେ ହେଉଛନ୍ତି ୩ୟ ଓଡ଼ିଆ। ୨୦୦୬ରେ ରମାକାନ୍ତ ରଥଙ୍କୁ ଭାରତ ସରକାର ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ଏହାଛଡ଼ା ସେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ବିଷୁବ ପୁରସ୍କାର, ଶାରଳା ପୁରସ୍କାର, ପ୍ରଜାତନ୍ତ୍ର ପ୍ରଚାର ସମିତି ଝଙ୍କାର ପୁରସ୍କାର (କବିତା), ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କଳିଙ୍ଗ ରତ୍ନ ଓ ଉତ୍କଳ ରତ୍ନ ଆଦି ପୁରସ୍କାର ଲାଭ କରିଥିଲେ।