ପୁରୀରୁ ଗିରଫ ପିଲା ଚୋର, ବାଲେଶ୍ୱରରୁ ଉଦ୍ଧାର ହେଲା କୁନି ଶିଶୁ

ଅପରେସନ ଶୁଭମ । ପ୍ରାୟ ୫୦ ଘଣ୍ଟାର ଛାନଭିନ ପରେ ମାଆ କୋଳକୁ ଫେରିଲା ଶୁଭମ । ଭୁବନେଶ୍ବର ରାମ ମନ୍ଦିର ସାମ୍ନାରୁ ଅପହୃତ ଶିଶୁ ପୁତ୍ରକୁ ବାଲେଶ୍ବରରୁ ଉଦ୍ଧାର କଲା ପୋଲିସ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ମାଆକୁ ହସ୍ତାନ୍ତର ହେଲା ଶିଶୁପୁତ୍ର । ଏବେ ଶୁଭମ ତା ମାଆ ପାଖରେ । ପୁଅକୁ ପାଇବା ପରେ ଶୁଭମଙ୍କ ମାଆ ଜୟନ୍ତୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇଛନ୍ତି ଧନ୍ୟବାଦ । ଏହାସହ ପୋଲିସକୁ ବି ଧନ୍ୟବାଦ ଜଣାଇଛନ୍ତି ।
ଶନିବାର ବିଳମ୍ବିତ ରାତିରେ ମାଆ କୋଳରୁ ଶିଶୁକୁ ଅପହରଣ କରିଥିଲା ଦୁର୍ବୃତ୍ତ କେଦାରସନ ପଣ୍ଡା । ତାପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ କାନରେ ବି କଥା ପଡ଼ିଲା । ଏହାକୁ ଗୁରୁତ୍ୱର ସହ ନେଇଥିଲେ ମୋହନ ମାଝି । ଶିଶୁକୁ ଉଦ୍ଧାର ପାଇଁ ଅପରେସନ୍ ଜୋରଦାର କରିବାକୁ ପୋଲିସକୁ ଦେଇଥିଲେ କଡ଼ା ନିର୍ଦେଶ । ମୁଖ୍ୟମନ୍ତ୍ରୀଙ୍କ ହୁକୁମ ପାଇବା ପରେ ହାକିମମାନେ ଜୋରଦାର କରିଥିଲେ ଅପରେସନ୍ । କଠିନ ଅପରେସନ ପାଇଁ କମିଶନରେଟ୍ ପୋଲିସର କରିଥିଲା ସ୍ବତନ୍ତ୍ର ରଣନୀତି । କାରଣ ତୁରନ୍ତ ନିଖୋଜ ଶିଶୁକୁଠାବ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଶିଶୁ ଅପହରଣ ସ୍ପର୍ଶକାତର ଘଟଣା ହୋଇଥିବାରୁ ପୋଲିସ ପାଇଁ ଥିଲା ବଡ଼ ଚ୍ୟାଲେଂଜ । ଗୋଟି ଗୋଟି କରି ସବୁ ସିସିଟିଭିକୁ ଯାଞ୍ଚ କରିଥିଲା ପୋଲିସ। ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଦିନ ରାତି ଏକ କରି ଦେଇଥିଲା ପୋଲିସ । ଏମିତି ଅନେକ ସିସିଟିଭି ଯାଞ୍ଚ କରିବା ପରେ ସାମ୍ନାକୁ ଆସିଥିଲା ଅପହରଣ ବେଳର ଫୁଟେଜ। ଆଉ ତାପରେ ପୋଲିସ ଜାଣିବାକୁ ପାଇଥିଲା ପୁରୀରେ ଲୁଚିଛି ଅପହରଣକାରୀ । ଖବର ପାଇ ଶେଷରେ ଅପହରଣକାରୀକୁ ପୁରୀରୁ ବାନ୍ଧିଲା, ଆଉ ଅପହୃତ ଶିଶୁକୁ ରଖିଥିବା ଅଭିଯୋଗରେ ଜଣେ ମହିଳା ବି ଧରିଲା ।
ପୋଲିସ କମିଶନର କହିଛନ୍ତି, ସମସ୍ତଙ୍କୁ ଏ ଘଟଣା ବ୍ୟଥିତ କରିଥିଲା । ମୁଖ୍ୟମନ୍ତ୍ରୀ ଏହି ଘଟଣା ବିଷୟରେ ଜାଣିବା ପରେ ଯଥାଶୀଘ୍ର ଆରେଷ୍ଟ ଓ ଉଦ୍ଧାର ପାଇଁ ନିର୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲଗାତାର ଆମ ସହ ସମ୍ପର୍କରେ ଥିଲେ । ବିଭିନ୍ନ ଜାଗାରେ ଚଢ଼ାଉ ବେଳେ ମହିଳାଙ୍କୁ ଭଦ୍ରକରୁ କାବୁ କରାଯାଇଥିଲା । ପରେ ବାଲେଶ୍ଵର ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇଥିଲା । ଅଭିଯୁକ୍ତ ନାଁରେ ୩ଟି ଚୋରି ମାମଲା ରହିଛି । ଅଙ୍ଗ ତସ୍କରି ନେଇ କୌଣସି ସୁରାକ ମିଳିନି । ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ ମଧ୍ୟ କାମ କରୁଥିଲା କେଦାରସନ ।
ଗତ ଶନିବାର ରାତି ପ୍ରାୟ ୨ଟା ସମୟରେ ଦିବ୍ୟାଙ୍ଗ ମହିଳାଙ୍କ ନିକଟରୁ ଶିଶୁପୁତ୍ର ଚୋରି ନେଇ ହୋଇଥିଲା ଅଭିଯୋଗ । ପୋଲିସ ବିଭିନ୍ନ ଟ୍ରାଫିକ୍ ଛକ ସହ ରାମ ମନ୍ଦିର ସ୍ଥିତ ସିସିଟିଭି ଭିଜୁଆଲ୍ ଯାଞ୍ଚ କରିଥିଲା। ଅନ୍ୟରାଜ୍ୟକୁ ମଧ୍ୟ ପୋଲିସ ଟିମ୍ ଯାଇ ଶିଶୁର ଅନୁସନ୍ଧାନ ମଧ୍ୟ ଜାରି ରଖିଥିଲା ।