କଟକ ସହରର ବିକାଶରେ ବାଧକ ସାଜୁଛି ଅଳିଆ ଆବର୍ଜନା

Key Points
ଘର ବାହାରେ ଅଳିଆ ଆବର୍ଜନା ପକାଉଥିଲେ ସାବଧାନ
ଏଣିକି କଟିବ ମୋଟ ଅଙ୍କର ଫାଇନ
ସିଏମସି ସମୀକ୍ଷା ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ନିୟମକୁ କଡାକଡି ପାଳନ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ
କଟକ ସହରର ବିକାଶ ପାଇଁ କରାଯାଉଛି ବିଭିନ୍ନ ଉନ୍ନୟନମୂଳକ କାମ। ସହରରେ ବିଭିନ୍ନ ସମସ୍ୟାକୁ ଦୂର କରି ବିକାଶ କାର୍ଯ୍ୟକୁ ଆଗେଇ ନେଉଛି ସିଏମସି । କିନ୍ତୁ ରୌପ୍ୟ ନଗରୀର ବିକାଶରେ ବାଧକ ସୃଷ୍ଟି କରୁଛି ରାସ୍ତା ଉପରେ ଦୀର୍ଘ ଦିନ ଧରି ପଡି ରହିଥିବା ଅଳିଆ ଆବର୍ଜନା । ଏଥିସହ ମନ ମୁତାବକ ରାସ୍ତାରେ ବାଲି ଗୋଡି ଇଟା ଗଦା କରୁଛନ୍ତି ଲୋକେ। ରାସ୍ତା ଉପରେ ଦୀର୍ଘ ଦିନ ଧରି ପଡି ରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସହ ସହରର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।
ସିଡ଼ିଏ କାର୍ଯ୍ୟଳୟରେ ଆୟୋଜିତ ବୈଠକରେ ଯୋଗ ଦେଇ ଏଥିପ୍ରତି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସି ଏମ ସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ଦୀର୍ଘ ଦିନ ଧରି ରାସ୍ତା ଅବରୋଧ କରି ବାଲି ଗୋଡି ଗଦା କଲେ ହେବ କାର୍ଯ୍ୟାନୁଷ୍ଠାନ। ଏଥିସହ ଅଳିଆ ଆବର୍ଜନା ଘର ବାହାରେ ବା ରାସ୍ତା ଉପରେ ଗଦା କରୁଥିଲେ ଜରିମାନା ଆଦାୟ ପାଇଁ ସି ଏମ ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
ଏନେଇ ନିୟମିତ ଭାବେ ସହରରେ କଟକ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ରାସ୍ତା ଉପରେ ବାଲି ଗୋଡି ଓ ଅଳିଆ ଆଦି ନଗଦେଇବା ପାଇଁ ଲୋକଙ୍କଙ୍କୁ ସଚେତନ କରାଯାଉଛି। ସି ଏମ ସି କର୍ମଚାରୀ ସମସ୍ତ ୱାର୍ଡ ରେ ବୁଲି ବୁଲି ଲୋକଙ୍କୁ ସଚେତନ କରିବା ସହ ତାଗିଦ ମଧ୍ୟ କରୁଛନ୍ତି । ମନ୍ତ୍ରୀ କଡା ଚେତାବନୀ ପରେ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସିଏମସି ମେୟର। ସେପଟେ ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସାଧାରଣ ଜନତା।
ତେବେ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ କୁ ମହାନଗର ନିଗମ କେତେ ଦୂର କାର୍ଯ୍ୟକାରି କରୁଛି ଓ ଲୋକେ କେତେ ସଚେତନ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।