ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି। ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା ପାଇଁ ଲୋଡିଲେ ହସ୍ତକ୍ଷେପ। ଐତିହ୍ୟସ୍ଥଳ ଭୀମମଣ୍ଡଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ASIକୁ ଦାୟିତ୍ୱ ଦେବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା କରିବା ପାଇଁ ଚିଠି । ଐତିହ୍ୟ ସ୍ଥଳ ଭୀମମଣ୍ଡଳୀର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ASIକୁ ଦାୟିତ୍ୱ ଦେବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।
କେନ୍ଦ୍ରମନ୍ତ୍ରୀ ଚିଠିରେ ଭୀମମଣ୍ଡଳୀ, ଦେବ୍ରିଗଡ଼ ଏବଂ ହୀରାକୁଦର ଐତିହ୍ୟ, ଇତିହାସ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଥିବା ଅପାର ସମ୍ଭବନା ଉପରେ ବର୍ଣ୍ଣନା କରିଛନ୍ତି । ଭୀମମଣ୍ଡଳୀରେ ହଜାର ହଜାର ବର୍ଷ ପୂର୍ବର ପଥର ଚିତ୍ର ଓ ଶିଳାଲେଖ ରହିଛି । ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଅଭାବରୁ ଏହି ପ୍ରାଚୀନ ରକ୍ ଆର୍ଟ୍ ସ୍ଥଳୀ ଅବକ୍ଷୟ ଅବସ୍ଥାରେ ରହିଛି । ଏହି ପ୍ରାଚୀନ ଐତିହାସିକ ସମ୍ପଦକୁ ସୁରକ୍ଷିତ ରଖାଗଲେ ଭବିଷ୍ୟତ ପିଢ଼ିଙ୍କ ହିତରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ।
ସେହିପରି ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ମହାନଦୀ ଉପରେ ନିର୍ମିତ ବିଶ୍ୱର ସର୍ବବୃହତ ଡ୍ୟାମ ହୀରାକୁଦର ନିର୍ମାଣ ଶୈଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା କରିବା ପାଇଁ ଧର୍ମେନ୍ଦ୍ର ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ଗତ ମାସ ଫେବୃୟାରୀ ୨୫ରେ ଐତିହାସିକ ଭୀମମଣ୍ଡଳୀ ସ୍ଥାନ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।