ନବ ଦାସ ହତ୍ୟା ମାମଲା ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏପରି ପ୍ରତିକ୍ରିୟା ଦେଲେ ଦୀପାଳି

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବଙ୍କ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା । ସିବିଆଇ ତଦନ୍ତ ପାଇଁ ଅନୁରୋଧ କରୁଛୁ ବୋଲି କହିଲେ ଦୀପାଳି । ପରିବାର ସୁରକ୍ଷା ପାଇଁ ମଧ୍ୟ ଅନୁରୋଧ କରିଥିବା ସେ କହିଛନ୍ତି । ଦୀପାଲି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏନେଇ ବିଚାର କରିବେ ,ମୁଖ୍ୟମନ୍ତ୍ରୀଙ୍କ ଉପରେ ପୁରା ଭରସା ଅଛି ନିରପେକ୍ଷ ତଦନ୍ତ କରାଇବେ ବୋଲି । ପ୍ରାୟ ଦେଢ ଘଣ୍ଟାର ସାକ୍ଷାତ ଆଲୋଚନା ପରେ ଫେରିଥିବା ବେଳେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦୀପାଳି ।
ସ୍ୱର୍ଗତ ଦାସଙ୍କ ପତ୍ନୀ ଶ୍ରୀମତୀ ମୀନତି ଦାସ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ତାଙ୍କ କନ୍ୟା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ। ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ ।
📱 Get Argus News App
✨ଶ୍ରୀମତୀ ଦାସଙ୍କୁ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେ କୌଣସି ସମୟରେ ତାଙ୍କୁ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଅବଗତ କରାଇପାରିବେ । ସେ ନିଜେ ଓ ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବ୍ୟକ୍ତିଗତ ଭାବେ ଭେଟି ଏହି ଆଲୋଚନା କରିଥିବାରୁ ଏବଂ ନ୍ୟାୟ ମିଳିବାର ଭରସା ଦେଇଥିବାରୁ ଶ୍ରୀମତୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।
ଏବେ ସିବିଆଇ ତଦନ୍ତ ପରେ ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି କୁହାଯାଉଛି ।