ଭାଙ୍ଗିଲା ପବିତ୍ର ରମଜାନ୍ ମାସର କଠୋର ଉପବାସ

Key Points
ସମୁହ ନମାଜ ପାଠରେ କମ୍ପିଲା ସିଲଭର୍ ସିଟି
ଭାଙ୍ଗିଲା ପବିତ୍ର ରମଜାନ୍ ମାସର କଠୋର ଉପବାସ
ସଂହତି ଓ ସୌହାର୍ଦ୍ଦ୍ୟର ପର୍ବ ଇଦ୍ ପାଳିତ
ସରିଲା ଗୋଟିଏ ମାସର ରୋଜା ବା ଉପବାସ । ଗତକାଲି ଚାନ୍ଦ ଦେଖିବା ପରେ ଆଜି ଇଦ୍ ପାଳିଛନ୍ତି ମୁସଲମାନ ଧର୍ମାବଲମ୍ବୀ। ଭାଇଚାରାର ସହରର କଟକର ବିଭିନ୍ନ ମସଜିଦରେ ଆଜି ସକାଳୁ ସକାଳୁ ଜନଗହଳି ଦେଖିବାକୁ ମିଳିଥିଲା । ସହରର ପ୍ରମୁଖ ମସଜିଦ କଦମ ଏ ରସୁଲରେ ସକାଳ ସାଢେ 8ଟା ଏବଂ ସାଢ଼େ 9ଟା ରେ ସମୁହ ନମାଜ ପାଠ ପାଇଁ ବ୍ୟବସ୍ଥା କରାଯାଇଥିଲା । ଇଦଘା ପଡିଆରେ ସକାଳ ସାଢେ 10ଟାରେ ଶେଷ ନମାଜ ପାଠ କରାଯାଇଥିଲା ।
ଅପରପକ୍ଷେ ପବିତ୍ର ଇଦ ଅବସରରେ ଇସଲାମ ଧର୍ମାବଲମ୍ବୀ ଭାଇମାନଙ୍କୁ ଶୁଭେଚ୍ଛା ଦେବା ପାଇଁ ବିଭିନ୍ନ ମସଜିଦ ରେ ପହଞ୍ଚିଥିଲେ ରାଜନୈତିକ ଦଳର ନେତା ସହ ସାଧାରଣ ଲୋକେ । ଇଦକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ପାଇଁ ସହରରେ 15 ପ୍ଲାଟୁନ ପୋଲିସ ଫୋର୍ସ ସହ ମୁତୟନ ସହ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । କଟକ ଡିସିପି ପ୍ରତ୍ୟକ୍ଷ ଭାବେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ।
ସେପଟେ ରାଜଧାନୀ ଭୁବନେଶ୍ବରର ମଧ୍ୟ ବିଭିନ୍ନ ମସଜିଦ୍ ରେ ଇଦ-ଉଲ-ଫିତର ପାଳିତ ହୋଇଯାଇଛି । ସହରର ମୁସଲିମ ସମ୍ପ୍ରଦାୟର ଛୋଟ ପିଲାଠାରୁ ବୟସ୍କ ସମସ୍ତେ ଏହି ପର୍ବରେ ସାମିଲ ହୋଇଥିଲେ । ଭୋରରୁ ୟୁନିଟ ୪ ସ୍ଥିତ ମସଜିଦରେ ମୁସଲମାନ ସମ୍ପ୍ରଦାୟ ଉପସ୍ଥିତ ରହି ସମୂହ ନମାଜ ପାଠ କରିବା ସହ ଇଦ-ଉଲ୍-ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇଥିଲେ । ଇଦ୍ ଅବସରରେ ସାମୁହିକ ନମାଜ ପାଠ ସରିବା ପରେ ସମସ୍ତେ ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଇଥିଲେ ।

