ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା

ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ମିଳିବ ୟୁନେସ୍କୋ ମାନ୍ୟତା
ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇବ ଘୋଷଯାତ୍ରା
ଖୁବଶୀଘ୍ର ନାମାଙ୍କନ ଦାଖଲ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ
ରଥଯାତ୍ରାକୁ ୟୁନେସ୍କୋ ପକ୍ଷରୁ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପୂର୍ବରୁ ୨୦୨୨, ୨୦୨୩ରେ ଫେଲ୍ ମାରିଥିଲା ଏ ଉଦ୍ୟମ । ୨୦୨୫ରେ ଏହି ମାନ୍ୟତା ପାଇଁ ନାମାଙ୍କନ ଦାଖଲ କରିବ ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ବେଳେ, ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ।
୪୦ରୁ ଅଧିକ ବିଭିନ୍ନ ବର୍ଗର ଫେଷ୍ଟିଭାଲକୁ ୟୁନେସ୍କୋ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେଇଥିବା ବେଳେ, ହିମାଚଳ ପ୍ରଦେଶର ରମ୍ମନ, କୁମ୍ଭମେଳା, ଦୁର୍ଗାପୂଜା ଭଳି ପର୍ବକୁ ମାନ୍ୟତା ମିଳିଛି । ଏହି ତାଲିକାରେ ଆଗକୁ ଯୋଡି ହେବାକୁ ଯାଉଛି ପୁରୀର ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ପୌରାଣିକ କିମ୍ବଦନ୍ତୀରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ତଥ୍ୟ ଭିତ୍ତିକ ଓ ପ୍ରାମାଣିକ ରହିଆସିଛି ।
ପୂର୍ବରୁ ତତ୍କାଳୀନ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ୨୦୨୩ରେ ଏଥିପାଇଁ ଏକ କମିଟି ଗଠନ ହୋଇ ୭ ଜଣଙ୍କୁ ରଖାଯାଇଥିଲା । ତେବେ ନାମାଙ୍କନ ପତ୍ର ଦାଖଲ ଏବଂ ପ୍ରକ୍ରିୟାକରଣରେ ବିଳମ୍ୱ ମାନ୍ୟତା ହାସଲରେ ବାଧା ହୋଇଥିଲା । ଏବେ ନୂଆ ସରକାରରେ ମାନ୍ୟତା ମିଳିବା ଦିଗରେ ସଠିକ୍ ପନ୍ଥା ଅନୁପାଳନ ନେଇ ଆଶା ସଞ୍ଚାର ହୋଇଛି ।