Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ୱରରେ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଶାଖା

Rashmita Mishra
Browse all articles by Rashmita Mishra
·1 year ago·2 min read
ଭୁବନେଶ୍ୱରରେ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଶାଖା

ଭୁବନେଶ୍ଵରରେ ସ୍ଥାପନ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ବ୍ରାଞ୍ଚ । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତଙ୍କୁ ଗତ ୧୩ ମାର୍ଚ୍ଚରେ ନୂଆଦିଲ୍ଲୀରେ ସାକ୍ଷାତ କରିବା ଅବସରରେ ଏକ ଦାବି ସମ୍ବଳିତ ପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ନେଇ ଭୁବନେଶ୍ବର ସାଂସଦଙ୍କୁ ଆଶ୍ବାସନା ଦେବା ସହିତ ଶୀଘ୍ର ଏହାର କାମ ଆରମ୍ଭ ହେବା ନେଇ ପ୍ରତିଶ୍ରୁତି ରଖିଛନ୍ତି ।

ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୨୦୨୪ ସେପ୍ଟେମ୍ବର ୧୦ ତାରିଖରେ ବ୍ରାଞ୍ଚ ଅଫ୍ ନାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ ବା ଏନଜିଏମଏ, ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ନିକଟରେ ପ୍ରଥମେ ପ୍ରସ୍ତାବ ରଖିଥିଲେ ।

ପୂର୍ବରୁ ୨୫ ସେପ୍ଟେମ୍ବର ୨୦୨୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ଶାଖା ପ୍ରତିଷ୍ଠା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଶୀଘ୍ର ଏକ ଚିଠି ଲେଖି ଦାବି ଜଣାଇଥିଲେ । ଏହି ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖାରେ ଖଣ୍ଡଗିରି, ଉଦୟଗିରି, ହାତୀ ଗୁମ୍ଫା, ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀ ଜଗନ୍ନଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ପରି ସ୍ଥାପତ୍ୟ ସ୍ଥାନ ଦେବାକୁ ପରାମର୍ଶ ରଖିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ। ପୁଣି ଥରେ ରାଜ୍ୟ ସରକାରଙ୍କ ଦାବିକୁ କେନ୍ଦ୍ର ନିକଟରେ ଭୁବନେଶ୍ବର ଏମପି ଦୋହରାଇବା ପରେ ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ସାରାଦେଶରେ ଭୁବନେଶ୍ବର ମନ୍ଦିର ମାଳିନୀ ନଗରୀ ଭାବେ ଖ୍ୟାତି ଅର୍ଜନ କରିଛି। ପର୍ଯ୍ୟଟନ ଓ ସଂସ୍କୃତି ଦିଗରୁ ଦେଖିବାକୁ ଗଲେ ଭୁବନେଶ୍ବରରେ ଅନେକ ପ୍ରାଚୀନ କୀର୍ତ୍ତିରାଜି ରହିଛି। ଏବେ ଭୁବନେଶ୍ବର ଏକ କ୍ରମ ବର୍ଦ୍ଧନଶୀଳ ସହରିକରଣର ସାମ୍ନା କରୁଛି। ତେଣୁ ଏହି ଅବସରରେ ପର୍ଯ୍ୟଟକଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରିବାକୁ, ଆମର ପ୍ରାଚୀନ କୀର୍ତ୍ତିରାଜି ଓ ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅବଗତ କରିବାକୁ, ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖାର ଆବଶ୍ୟକତା ବହୁଳ ଭାବରେ ଅନୁଭବ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଭୁବନେଶ୍ବର ଏମପି ଦାବିରେ କହିଛନ୍ତି ।

ଓଡ଼ିଶା ଏହାର ସମୃଦ୍ଧ କଳା, ଅଦ୍ବିତୀୟ ଭାସ୍କର୍ଯ୍ୟ ଓ ପ୍ରାଚୀନ ଐତିହାସିକ ସ୍ଥଳକୁ ନେଇ ବେଶ୍ ରୁଦ୍ଧିମନ୍ତ। ତେଣୁ ରାଜଧାନୀ ଭୁବନେଶ୍ବରରେ ଏନଜିଏମଏର ଗୋଟିଏ ବ୍ରାଞ୍ଚ ଭୁବନେଶ୍ବରରେ ସ୍ଥାପନ କରାଗଲେ, ଏହା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ପ୍ରସ୍ତାବ ଦେବା ସହିତ ଦାବି ରଖିଛନ୍ତି ଭୁବନେଶ୍ବର ଏମପି।

ଓଡ଼ିଶାରେ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଗୋଟିଏ ଶାଖା ପ୍ରତିଷ୍ଠା ହେଲେ, ରାଜ୍ୟର ଅନେକ ପ୍ରଖ୍ୟାତ କଳାକାରଙ୍କ କାରିଗରି ମଧ୍ୟ ଏଠାରେ ସ୍ଥାନ ପାଇପାରିବ ବୋଲି କହିଛନ୍ତି ଏମପି ଅପରାଜିତା ଷଡ଼ଙ୍ଗୀ। ବର୍ତ୍ତମାନ ପୂର୍ବ ଭାରତରେ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର କୌଣସି କେନ୍ଦ୍ର ନଥିବାରୁ, ସେହି ଦୃଷ୍ଟିରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଏହାକୁ ସ୍ଥାନ ଦେଇ, ପୂର୍ବ ଭାରତରେ ଏହାର ଅଭାବ ପୂରଣ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଭୁବନେଶ୍ବର ଏମପି।

ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖା ପ୍ରତିଷ୍ଠା କରାଗଲେ ଏହା ଆମର ଆଗାମୀ ପୀଢିକୁ ଆମର ପ୍ରାଚୀନ ଐତିହ୍ୟ, ସଂସ୍କୃତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାରେ ମାର୍ଗଦର୍ଶକ ହେବ ବୋଲି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ଭୁବନେଶ୍ବର ଏମପି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
a-branch-of-the-national-level-modern-art-gallery-center-will-be-established-in-bhubaneswar | Argus News