|
logo
Live
Argus News App
GET APP

Argus News - ଚାଉଳ ଆଣିବାକୁ ସକାଳୁ ଗଲେ ସନ୍ଧ୍ୟା ହେଉଛି !

Odisha

ଚାଉଳ ଆଣିବାକୁ ସକାଳୁ ଗଲେ ସନ୍ଧ୍ୟା ହେଉଛି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଚାଉଳ ଆଣିବାକୁ ସକାଳୁ ଗଲେ ସନ୍ଧ୍ୟା ହେଉଛି !

ପେଟ ପାଇଁ ପାହାଡ଼ ଚଢ଼ା ନାଟ । ଚାଉଳ ଆଣିବାକୁ ନିଇତି ୧୫ କିମି ବିପଦପୂର୍ଣ୍ଣ ଯାତ୍ରା । ସକାଳୁ ଘରୁ ବାହାରିଲେ ସନ୍ଧ୍ୟାକୁ ଫେରୁଛି ମଣିଷ । ବର୍ଷ ବର୍ଷ ଏମିତି ଚାଲିଥିଲେ ବି ପ୍ରଶାସନ ପଦକ୍ଷେପ ଶୂନ ।

ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ତତଲା ପଥର ଉପରେ ପାଦ ଦେଲା ମାତ୍ରେ ପୋଡି ଯାଉଛି । ସେଇଥିରେ ୨୦ରୁ ୩୫ କିଲୋ ଓଜନ ବସ୍ତାର ବୋଝ । ଚିନ୍ତା କରନ୍ତୁ କେତେ କଷ୍ଟ ହେଉଥିବ । ଚାଉଳ ଗଣ୍ଡାକ ପାଇଁ ଏଭଳି ସଂଘର୍ଷ କରୁଛନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ମୁଣ୍ଡତୋପା ଗାଁର ଲୋକେ ।

ପିଲାଠୁ ବୟସ୍କ ନିଇତି ପାହାଡ଼ ଚଢୁଛନ୍ତି ଆଉ ଓହ୍ଲାଉଛନ୍ତି । ଗର୍ଭବତୀ, ବୃଦ୍ଧବୃଦ୍ଧା, ମହିଳା ଛୋଟ ଛୋଟ ଛୁଆଙ୍କୁ କାଖେଇ ଚାଉଳ ପାଇଁ ଘରୁ ଗୋଡ଼ କାଢୁଛନ୍ତି। ଦୀର୍ଘ ୧୫ରୁ ୨୦ କିମି ଚାଲି ଚାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଚାଉଳ ଆଣୁଛନ୍ତି । ଯିଏ ପାଦରେ ନଚାଲିବ ସିଏ ଗାଡ଼ି ଭଡା କରି ୨୫ କିମି ବୁଲାଣିଆ ରାସ୍ତା ଦେଇ ପଞ୍ଚାୟତ ଅଫିସ୍ ଯାଇପାରିବ । ଯେଉଁଥିପାଇଁ କରିବାକୁ ପଡ଼ିବ ଅଧିକ ଖର୍ଚ୍ଚ। ଯାହାକି ଗରିବ ଆଦିବାସୀଙ୍କ ପକ୍ଷେ ସମ୍ଭବପର ନୁହେଁ । ଏଥିପାଇଁ ଏଭଳି ବିପଦପୂର୍ଣ୍ଣ ଘାଟି ଚଲାପଥକୁ ଭାଗ୍ୟ ମାନି ନେଇଛନ୍ତି ଗାଁ ଲୋକେ । ସବୁଠୁ ବିଡ଼ମ୍ବନା ବର୍ଷ ବର୍ଷ ଧରି ଏମିତି ଚାଲିଥିଲେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଯାଏଁ ପଦକ୍ଷେପ ଶୂନ ।

ତେବେ ଗମନାଗମନ ସୁବିଧା ଲାଗି ଅନେକବାର ଗୁହାରି କରିଛନ୍ତି ଗାଁ ଲୋକେ । ଗତ ବିଜେଡି ସରକାରରେ ପାହାଡ଼ କାଟି ରାସ୍ତା ନିର୍ମାଣ ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ତାହା କେବଳ କଥାରେ ରହିଗଲା । ସେପଟେ ସବ୍ ସେଣ୍ଟର କରାଯାଇ ବ୍ୟବସ୍ଥା କରିବାକୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।

ଜଙ୍ଗଲୀ ଜନ୍ତୁଙ୍କ ଭୟ ମଧ୍ୟରେ ପାହାଡ଼ ଚଢ଼ି ଓହ୍ଲାଇ ପେଟ ପାଇଁ ଚାଲିଥିବା ଏହି ନାଟରେ କେବେ ପଡ଼ିବ ଯବନିକା । ନୂଆ ଆଶା- ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଶୁଣିବେ ନିଜ ଜିଲ୍ଲାର ଦୁଃଖ ଓ ଗୁହାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚାଉଳ ଆଣିବାକୁ ସକାଳୁ ଗଲେ ସନ୍ଧ୍ୟା ହେଉଛି ! | Argus News