ପଥୁରିଆ ରାସ୍ତା ଉପରେ ନିର୍ଭର ଜୀବନ ଜୀବିକା

Key Points
ଦୁର୍ଗମ ଅଞ୍ଚଚଳରେ ଅପହଞ୍ଚ ସରକାରୀ ଯୋଜନା
ପଥୁରିଆ ରାସ୍ତା ଉପରେ ନିର୍ଭର ଜୀବନ ଜୀବିକା
ସ୍ୱାଧିନତାର ୭୭ ବର୍ଷ ପରେ ବି ଅବହେଳିତ ଗିର୍ଲିଗୁଡା ଗାଁ
ଦୁର୍ଗମରେ ଅବହେଳିତ ଗାଁ ଗିର୍ଲିଗୁଡା ସହ ଚାରିଖଣ୍ଡ ଗାଁର ଲୋକେ । କୋରାପୁଟ ଜିଲ୍ଲାରେ ଆଜିବି ଏମିତି ଅନେକ ଦୁର୍ଗମ ଅଞ୍ଚଳ ରହିଛି । ଯେଉଁଠି ବର୍ଷ ବର୍ଷ ଧରି ଗାଁକୁ ରାସ୍ତା ସଂଯୋଗ ହୋଇପାରୁ ନାହିଁ । ନିଜ ଭାଗ୍ୟକୁ ଆଦରି ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି ଲୋକେ । ଏଭଳି ଏକ ଗାଁ ହେଉଛି କୋରାପୁଟ ପଟ୍ଟାଙ୍ଗି ବ୍ଲକର ଗିର୍ଲିଗୁଡା । ଗାଁରେ ଥିବା ରାସ୍ତା ଅବସ୍ଥା ଅତି ଶୋଚନୀୟ । ସେପଟେ ଏହି ଗାଁ ଦେଇ ପଡୋଷୀ ଲାକାରାୟ, ବଡ଼ଲାକରାୟ, ଚିନ୍ତାଲଗୁଡା ଗାଁ ଲୋକେ ଯାତାୟତ କରିଥନ୍ତି । ଘଞ୍ଚ ଜଙ୍ଗଲ ମଝିରେ ସଂକୀର୍ଣ୍ଣ ପଥୁରିଆ ରାସ୍ତା ଦେଇ ଗାଁକୁ ଯିବାକୁ ପଡେ । ଗାଁରେ ୨୫ ରୁ ୩୦ ପରିବାର ବସବାସ କରୁଥିବା ବେଳେ ସ୍କୁଲ ପିଲା ଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କର ଗମନାଗମନର ମାଧ୍ୟମ ଏହି ଖାଲଖୋମା ରାସ୍ତା । ଗର୍ଭବତୀ ମହିଳା ଓ ରୋଗୀକୁ ପାହାଡିଆ ରାସ୍ତାରେ କାନ୍ଦରେ ବୋହି ନେବାକୁ ପଡେ ।
ସେହିପରୀ ଚନ୍ଦକା ଗ୍ରାମପଞ୍ଚାୟତ ଗାଁ ଠାରୁ ପାଞ୍ଚ କିଲୋକମିଟ ଦୂର । ପ୍ରତି ମାସ ହିତାଧିକାରୀ ମାନେ ପଞ୍ଚାୟତ ରୁ ଚାଉଳ ଓ ଭତ୍ତା ଆଣିବା ପାଇଁ ଏହି ରାସ୍ତା ଦେଉ ବହୁ କଷ୍ଟରେ ଯିବା ଆସିବା କରିଛନ୍ତି । ଗାଁକୁ ରାସ୍ତା ନଥିବାରୁ ସରକାରୀ ଯୋଜନା ପହଞ୍ଚି ପାରୁନାହିଁ । ସମସ୍ୟା ନେଇ ପ୍ରଶାସନ ଓ ଲୋକପ୍ରତିନିଧିଙ୍କୁ ବରମ୍ବାର ଗୁହାରି କଲେ ବି କେହି ଶୁଣୁ ନାହାନ୍ତି । ତେବେ ଦେଖିବାକୁ ବାକି କେବେ ଏହି ଆଞ୍ଚଳରେ ରାସ୍ତା ସମସ୍ୟା ଦୂର ଦେଉଛି ।