Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆରବ ସାଗରରେ ସୃଷ୍ଟି ହେଲା ଲଘୁଚାପ

Odisha

ଆରବ ସାଗରରେ ସୃଷ୍ଟି ହେଲା ଲଘୁଚାପ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆରବ ସାଗରରେ ସୃଷ୍ଟି ହେଲା ଲଘୁଚାପ

Key Points

କାଳବୈଶାଖୀ ବର୍ଷା ଦେଉଛି ଆଶ୍ବସ୍ତି
ତାତିରେ ଲାଗିଲା ବ୍ରେକ

ତାତିରେ ଲାଗିଲା ବ୍ରେକ। କାଳବୈଶାଖୀ ବର୍ଷା ଦେଉଛି ଆଶ୍ବସ୍ତି। ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ସେପଟ କେରଳ ମୁହାଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାରେ ସଅଳ ମୌସୁମୀ ଆସିବା ସମ୍ଭାବନା ।

ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସନ୍ଧ୍ୟାରେ ଲଘୁଚାପ ରୂପ ନେଇଛି। ପରବର୍ତ୍ତୀ ସମୟରେ ଲଘୁଚାପ ଉତ୍ତର ଦିଗରେ ଗତି କରିବା ସହ ଆଜି ଅବପାତରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ପଶ୍ଚିମ ଉପକୂଳ ଗୁଜରାଟ, ଗୋଆ, କର୍ଣ୍ଣାଟକ ଏବଂ କେରଳରେ ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ବଙ୍ଗୋପସାଗରରୁ ବାଦଲ ଖଣ୍ଡ ସ୍ଥଳଭାଗକୁ ଆସିଛି। ଫଳସ୍ବରୂପ ସକାଳୁ ସକାଳୁ ଆକାଶରେ କଳାହାଣ୍ଡିଆ ମେଘଖଣ୍ଡ ଦେଖିବାକୁ ମିଳିଥିଲା। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବାରୁ ସର୍ବାଧିକ ତାପମାତ୍ରା ପ୍ରାୟ ଅଞ୍ଚଳରେ କମିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ସମ୍ବଲପୁରରେ ୪୧.୨ ଡିଗ୍ରୀ ଥିବାବେଳେ ବୌଦ୍ଧରେ ୪୦.୨ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବର ୩୭.୨ ଏବଂ କଟକରେ ୩୪.୮ଡିଗ୍ରୀକୁ ହ୍ରାସ ପାଇଛି। ଅବଶିଷ୍ଟ ଅଞ୍ଚଳଗୁଡିକରେ ପାରଦ ୪୦ଡିଗ୍ରୀ ତଳେ ରହିଛି।

ଅପରାହ୍ଣରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ବଲାଙ୍ଗିର,ପୁରୀ, ଗୋପାଳପୁରରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗୋପାଳପୁର, ପୁରୀ, ପାରାଦ୍ବୀପ, ଭୁବନେଶ୍ବର, ଚାନ୍ଦବାଲି, କେନ୍ଦୁଝର, ବାଲେଶ୍ବର, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର ଏବଂ ହୀରାକୁଦରେ ବାୟୁମଣ୍ଡଳ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି।

ଆସନ୍ତା ୬ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପଟେ ଆସନ୍ତା ୩ରୁ ୪ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଆଜି ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗର, ମାଳଦ୍ବୀପ ଏବଂ ଦକ୍ଷିଣ ବଙ୍ଗୋପସାଗରର କେତେକ ଅଞ୍ଚଳ ସହ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗର ଅନେକ ଅଞ୍ଚଳକୁ ସ୍ପର୍ଶ କରିଛି। ଆଗକୁ ଦକ୍ଷିଣ ଆରବ ସାଗର କିଛି ଅଞ୍ଚଳ, ମାଳଦ୍ବୀପର କିଛି ଅଂଶ, ଲାକ୍ଷାଦ୍ବୀପର ଅନେକ ଅଞ୍ଚଳ, କେରଳ, ତାମିଲନାଡୁ, ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର କିଛି ଅଞ୍ଚଳ, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କିଛି ଅଞ୍ଚଳକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
a-low-pressure-area-has-formed-in-the-arabian-sea | Argus News