'ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ'

ଅର୍ଗସ ବ୍ୟୁରୋ: ଓଡ଼ିଶାର 25 ବର୍ଷ ବରବାଦ କରିଛି ବିଜେଡି। ପିଏମ୍ କହିଛନ୍ତି, ଆଦିବାସୀଙ୍କ ଭୂମି ଅଧିକାର ସହ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ପେଷା ଆଇନ ଲାଗୁ କରିପାରିଲା ନାହିଁ 25 ବର୍ଷର ନବୀନ ସରକାର। ମୋଦି କହିଛନ୍ତି ଏବେ ରାଜ୍ୟର ଗଳି କନ୍ଦି, ଘରେ ଘରେ ଗୋଟିଏ ନାରା ଗୁଞ୍ଜରିତ ହେଉଛି ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର।
ଖଣି, ପାଣି, ଉର୍ବର ଜମି ଓ ଜଙ୍ଗଲ। ସବୁ ସମ୍ପଦରେ ଭରପୁର ଓଡ଼ିଶା। ଏତେ ସମୃଦ୍ଧ ପ୍ରଦେଶ। ତଥାପି କାହିଁକି ଗରିବ ଓଡ଼ିଆ ? ଓଡ଼ିଶାକୁ କିଏ କରୁଛି ନଷ୍ଟ ? ଓଡ଼ିଆ ଯୁବକଙ୍କ ସ୍ବପ୍ନକୁ କିଏ କରୁଛି ଧୂଳିସାତ ? ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କର ଦୁରବସ୍ଥା ପାଇଁ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି ଭ୍ରଷ୍ଟାଚାରୀଙ୍କ କବଜାରେ ବିଜେଡି ସରକାର। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ମହଲା କାର୍ଯ୍ୟାଳୟ ଓ ନବୀନ ନିବାସ ଉଭୟକୁ କବଜା କରି ରଖିଛନ୍ତି ମୁଷ୍ଟିମେୟ ଭ୍ରଷ୍ଟାଚାରୀ। ଏତିକି ନୁହେଁ ଜଣେ ମାଫିଆ ଓଡ଼ିଶାର ସବୁ କ୍ଷେତ୍ରକୁ କବଜା କରି ରଖିଛି କହି ନିଆଁରେ ଘିଅ ଢାଳିଛନ୍ତି ପ୍ରଧାନମନ୍ତ୍ରୀ ।
ଦୀର୍ଘଦିନ ହେଲା ରାଜ୍ୟରେ ବିବାଦୀୟ ହୋଇଛନ୍ତି ପ୍ରଶାସକରୁ ନେତା ପାଲଟିଥିବା ଭି. କେ ପାଣ୍ଡିଆନ। କୁହାଯାଉଛି ରାଜ୍ୟରେ ଦେଖାଯାଇଛି ଶଶିକଳା ସିଣ୍ଡ୍ରୋମ୍। ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଞ୍ଜୁରୀରେ ବନ୍ଦୀ। ନବୀନଙ୍କୁ ବନ୍ଦୀ କରି ରଖିଛନ୍ତି ପାଣ୍ଡିଆନ। ନବୀନ ପାଲଟିଛନ୍ତି କାଠ କଣ୍ଢେଇ। କେବଳ ମୁଖ୍ୟମନ୍ତ୍ରୀ, ନୁହନ୍ତି ପୁରା ଶାସନ ବ୍ୟବସ୍ଥାକୁ ନିଜ କବଜାରେ ରଖିଛନ୍ତି ଭୈରବ। ମୋଦି ନାଁ ନ ନେଲେ ନାହିଁ କିନ୍ତୁ ଯାହା ଆଡ଼କୁ ସିଧା ସିଧା ଇସାରା କଲେ ସେ ହେଲେ ପାଣ୍ଡିଆନ । କହିଲେ ବିଜେପି ସରକାର ହେଲେ ଭାଙ୍ଗି ଦିଆଯିବ ସବୁ ଉପରେ କବଜା କରିଥିବା ମାଫିଆର ଅଣ୍ଟା।
ପାଣ୍ଡିଆନଙ୍କ ସହ ବିଜେଡି ଶାସନର ସବୁ ଶ୍ରେୟ ମୁଣ୍ଡାଇଛି 5ଟି । କୁହାଯାଉଛି ପ୍ରକୃତ 5 ଟି ହେଉଛନ୍ତି 5 ଜଣ ତାମିଲ। ସେମାନେ ହେଲେ ପାଣ୍ଡିଆନ୍, ମାଥି ଭାଥନନ, ପ୍ରଭାକରନ୍, ଭିନିଲକ୍ରିଷ୍ଣା ଓ ବାଲକ୍ରିଷ୍ଣନ୍। ଏହି 5 ତାମିଲ ହେଉଛନ୍ତି ଏବେ ଓଡ଼ିଶା ପାୱାର କରିଡରର ସର୍ବଶକ୍ତିମାନ। ଓଡ଼ିଶାର ଶାସନ ସହ ବିଜୁ ଜନତା ଦଳ ଏବେ ଏମାନଙ୍କ କବଜାରେ ବୋଲି ବିରୋଧୀଙ୍କ ଅଭିଯୋଗ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ କି ସମ୍ବଲପୁରର ସମଲେଇ ପ୍ରକଳ୍ପ । ବାହାର ରାଜ୍ୟର କଣ୍ଟ୍ରାକ୍ଟରଙ୍କୁ ହଜାର ହଜାର କୋଟିର ପ୍ରକଳ୍ପ ଟେକି ଦେଲେ 5ଟି। ଆଉ ଆଦାୟ କଲେ ଶହ ଶହ କୋଟିର ଚାନ୍ଦା। ଅଭିଯୋଗ ହେଉଛି ଓଡ଼ିଆ କଣ୍ଟ୍ରାକ୍ଟର ଏବଂ ଓଡ଼ିଆ ଲୋକଙ୍କ ରୋଜଗାର ମାରୁଛନ୍ତି ଏ 5ଟି ମାଫିଆ। ଏ ନେଇ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ।