ପଶ୍ଚିମାଞ୍ଚଳ ମାତୃଭାଷାକୁ ରାଜ୍ୟ ଭାଷା ଓଡ଼ିଆ ସହ ଯୋଡିବା ଦିଗରେ ଏକ ନୂଆ ସେତୁବନ୍ଧ

Key Points
ପଶ୍ଚିମାଞ୍ଚଳ ମାତୃଭାଷାକୁ ରାଜ୍ୟ ଭାଷା ଓଡ଼ିଆ ସହ ଯୋଡିବା ଦିଗରେ ଏକ ନୂଆ ସେତୁବନ୍ଧ
ଝାରସୁଗୁଡ଼ାରେ ଦ୍ୱିଭାଷୀ ବର୍ଣ୍ଣମାଳା ‘ପଠନ ପାର୍ବଣ’ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
କହିଲେ, ସମ୍ବଲପୁରୀ-କୋଶଲୀ ଭାଷାରେ ଓଡ଼ିଆ ବର୍ଣ୍ଣମାଳାର ଧ୍ୱନି, ବର୍ଣ୍ଣ ଓ ଶବ୍ଦର ଶିକ୍ଷା
ଛାତ୍ରଛାତ୍ରୀଙ୍କ ମଧ୍ୟରେ କଥନ, ଲିଖନ କୌଶଳ ସହ ପଠନ ଗୁଣବତ୍ତାକୁ କରିବ ବୃଦ୍ଧି
ସମଲେଇ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟର ତଦାରଖ କଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରୀ ଭାଷାରେ ବର୍ଣ୍ଣମାଳା ପୁସ୍ତକ ‘ସମ୍ବଲପୁରୀ ଭାଷା ଶିକ୍ଷା’ ଏବଂ ଝାରସୁଗୁଡ଼ା ଜିଲ୍ଲା ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲିଖିତ ବିଷୟକୁ ନେଇ ପ୍ରସ୍ତୁତ ‘ପଠନ ପାର୍ବଣ’ ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ପଶ୍ଚିମାଞ୍ଚଳରେ କଥିତ ମାତୃଭାଷାକୁ ରାଜ୍ୟ ଭାଷା ଓଡ଼ିଆ ସହ ଯୋଡାଯିବା ଦିଗରେ ନୂଆ ସେତୁବନ୍ଧ ତିଆରି ହୋଇଛି କହିଛନ୍ତି ଧର୍ମେନ୍ଦ୍ର ।
ଏହି ଦ୍ୱିଭାଷୀ ବର୍ଣ୍ଣମାଳା ଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ସମ୍ବଲପୁରୀ - କୋଶଲୀ ଭାଷାରେ ଓଡ଼ିଆ ବର୍ଣ୍ଣମାଳାର ଧ୍ୱନି, ବର୍ଣ୍ଣ, ଶବ୍ଦ ବ୍ୟବହାର ସହ ଓଡ଼ିଆ ଭାଷାର ବର୍ଣ୍ଣ ପ୍ରକରଣ ଶିଖି ପାରିବେ । କଥନ ସହ ପଠନ ଓ ଲିଖନରେ ମଧ୍ୟ ଦକ୍ଷତା ଅର୍ଜନ କରିପାରିବେ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ସମଲେଇ ପ୍ରକଳ୍ପ ଫେଜ-୨ର ନିର୍ମାଣସ୍ଥଳରେ ପହଞ୍ଚି ବୁଲି ଦେଖିବା ସହ କାର୍ଯ୍ୟ ତଦାରଖ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ ସମ୍ବଲପୁର ଗସ୍ତର ଆଜି ଥିଲା ଶେଷ ଦିନ । ଝାରସୁଗୁଡ଼ାରେ ବହି ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲା ଶିକ୍ଷାଅଧିକାରୀ ଥିଲେ ଉପସ୍ଥିତ ।