ଅଧାରେ ଲଟକିଛି ୧୦୦ କୋଟିର ପ୍ରକଳ୍ପ

Key Points
ଗତ ବିଜେଡି ସରକାରର ପୁରୀ ସହର ବିକାଶ ଘୋଷଣା ଥିଲା ଧୂଆଁବାଣ
ଆନ୍ତରିକତା ଅଭାବରୁ ପ୍ରକଳ୍ପ ତାଲିକାରେ ହୋଇଛି ମାତ୍ର ୪୦ ଭାଗ କାର୍ଯ୍ୟ
ଅଧାବିଧା କାମରେ ଲଟକିଛି ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ
ଅର୍ଗସ୍ ହାତରେ ପୁରୀ ପୌରସଂସ୍ଥାର ଏକ୍ସକ୍ଲୁସିଭ୍ ଦସ୍ତାବିଜ୍
ଜିଲ୍ଲାପାଳ କହିଲେ, ସମୀକ୍ଷା କରାଯାଇ ନିଆଯିବ ପଦକ୍ଷେପ
ପୁରୀ ସହରର ବିକାଶ ଲାଗି ପ୍ରକଳ୍ପର ଲମ୍ବା ତାଲିକା । ହେଲେ କାମର ନାହିଁ ଠିକଣା। ଏକଥା ଆମେ କହୁନୁ ପୁରୀ ପୌରସଂସ୍ଥା ପକ୍ଷରୁ ହସ୍ତଗତ ଏହି ତଥ୍ୟ ତାର ପ୍ରମାଣ । ଦସ୍ତାବିଜ୍ କହୁଛି, ୮୬୮ଟି ପ୍ରକଳ୍ପ ଅଧପନ୍ତରିଆ ରହିଛି । ୪୦ ପ୍ରତିଶତ କାମର ସମୀକ୍ଷା ହୋଇଛି ଓ ୩୦ ପ୍ରତିଶତ କାମ ଅର୍ଥ ଅଭାବରୁ ଆରମ୍ଭ ହୋଇନି । ଆଉ ୩୦ ପ୍ରତିଶତ ଅଧାରେ ଅଟକିଛି। ରାଜନୈତିକ ବିବାଦ, ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରୁ ପରିତ୍ୟକ୍ତ ଜାଗା ପୋଖରୀର ପୁନଃରୁଦ୍ଧାର, ଭଙ୍ଗାରାସ୍ତାର ମରାମତି, କମ୍ୟୁନିଟି ହଲ, ପାର୍କ, ଡ୍ରେନ୍ ସମସ୍ୟା, ନୂତନ ରାସ୍ତା ନିର୍ମାଣ ଭଳି ଅନେକ ପ୍ରକଳ୍ପ ଏବେବି ଆରମ୍ଭ ହୋଇନାହିଁ ଓ ଆଉ କିଛି ଅଧପନ୍ତରିଆ ରହିଛି । ଯାହାକୁ ନେଇ ସହର ବାସିନ୍ଦା ଅସନ୍ତୋଷ ପ୍ରକାଶ କରିବା ସହ ପୁରୀ ପୌରସଂସ୍ଥାକୁ ଭିଜିଲାନ୍ସ ପରିସରଭୁକ୍ତ କରାଯାଇ ତଦନ୍ତ କରିବାକୁ ଦାବି ହୋଇଛି ।
ନିର୍ବାଚନ ପୂର୍ବରୁ ବିଭିନ୍ନ ୱାର୍ଡରେ ରହିଥିବା ସମସ୍ୟାକୁ ଦେଖି ପ୍ରକଳ୍ପ ତାଲିକା ପ୍ରସ୍ତୁତ ହୋଇଥିଲା । ୨୦୨୪ ମାର୍ଚ୍ଚରେ ୩୨ଟି ୱାର୍ଡରେ ୯୧୧ଟି ପ୍ରକଳ୍ପକୁ ପୁରୀ ପୌରସଂସ୍ଥାର ଅନୁମୋଦନ ଓ ଆର୍ଥିକ ଅନୁଦାନ ମିଳିଛି । ପୌର କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଦେଶ ତାଲିକାରେ ୮୬୮ଟି କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅନେକ ପ୍ରକଳ୍ପ କାମ ଅଧାବିଧା ଓ ଆରମ୍ଭ ହୋଇନଥିବା ସ୍ବୀକାର କରିଛନ୍ତି ପୌରନିର୍ବାହୀ ଅଧିକାରୀ ।
📱 Get Argus News App
✨ସେପଟେ ଜିଲ୍ଲାପାଳ କହିଛନ୍ତି, କ୍ଷେତ୍ର ପରିଦର୍ଶନ ପରେ ପ୍ରକଳ୍ପର ଏକ ଷ୍ଟାଟସ ରିପୋର୍ଟ ପ୍ରସ୍ତୁତ କରାଯିବ। ଯେଉଁମାନେ ଅବହେଳା କରିଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ ସରକାରର ଅଣଦେଖା, ରାଜନୈତିକ ବିବାଦ ଓ ପ୍ରଶାସନିକ ଉଦାସୀନତା ଭିତରେ ଫସିଛି ପୁରୀ ସହର ଉନ୍ନତି। ବିଜେପି ସରକାର ପଦକ୍ଷେପ ନେଇ ପ୍ରକଳ୍ପ ଗୁଡ଼ିକ କାମ ସାରିବାକୁ ଆଶା ପ୍ରକଟ କରିଛନ୍ତି ପୁରୀ ସହରା ବାସିନ୍ଦା ।
