ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବଶୀଘ୍ର ଦିଆଯିବ କ୍ଷତିପୂରଣ

Key Points
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ
ଅଣମୌସୁମୀ ସମୟରେ ଅନିୟମିତ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା
ରାଜ୍ୟରେ ଚଳିତ ମାସ ୨୭ ମଇରୁ ୩୦ ମଇ ମଧ୍ୟରେ ହୋଇଥିବା ଲଘୁଚାପ ଜନିତ ଅଦିନିଆ ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖୁବ୍ ଶୀଘ୍ର କ୍ଷୟ କ୍ଷତି ସ୍ଥିତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବା ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଠାରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଂଜନ କୁମାର ସିଂହ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଓଡ଼ିଶା କୃଷି ଓ ବୖଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡଃ. ପ୍ରଭାତ କୁମାର ରାଉଳଙ୍କ ସମେତ ବିଭିନ୍ନ ଜିଳ୍ଲାର ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ କ୍ଷୟକ୍ଷତି ଓ କ୍ଷତିପୂରଣ ସମ୍ପର୍କରେ ଆଲୋଚନା କରିଥିଲେ ।
ବୈଠକର ପ୍ରାରମ୍ଭରେ ଭାରତୀୟ ପାଣିପାଗ କେନ୍ଦ୍ର ଆଞ୍ଚଳିକ ଶାଖା ନିର୍ଦ୍ଦେଶିକା ଶ୍ରୀମତୀ ମନୋରମା ମହାନ୍ତି ବର୍ତ୍ତମାନ ଲଘୁଚାପର ଅବସ୍ଥା ଓ ଆଗାମୀ ଦିନରେ ରାଜ୍ୟର ପାଣିପାଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ ୨୭ ମଇ ରୁ ୩୦ ମଇ ମଧ୍ୟରେ ରାଜ୍ୟରେ ହାରାହାରି ୪୧.୯ ମିମି ବର୍ଷା ହୋଇଥିବା ବେଳେ ୮ ଟି ଜିଲ୍ଲା କେନ୍ଦ୍ରାପଡା, କଳାହାଣ୍ଡି, ଜଗତ୍ସିଂହପୁର, କନ୍ଧମାଳ, ନବରଙ୍ଗପୁର, ଭଦ୍ରକ, ସୁବର୍ଣ୍ଣପୁର ଓ ରାୟଗଡାରେ ୫୦ ମିମି ରୁ ଅଧିକ ବର୍ଷା ହୋଇଛି । ସେହିପରି ଅନ୍ୟ ୨୨ ଟି ଜିଲ୍ଲାରେ ୧୦ ରୁ ୫୦ ମିମି ମଧ୍ୟରେ ବର୍ଷା ରେକର୍ଡ ହୋଇଛି ।
📱 Get Argus News App
✨ଏହି ଅବସରରେ ମନ୍ତ୍ରୀ ପୂଜାରୀ କହିଲେ ଯେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମିଳିତ ଭାବରେ କ୍ଷୟକ୍ଷତିର ସର୍ଭେ କରାଯାଉଛି । ସରକାର ଅଣ ମୌସୁମୀ ସମୟରେ ଅନିୟମିତ ବର୍ଷାକୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଥିବା ବେଳେ ପ୍ରତ୍ୟେକ ଚାଷୀ ଓ ବର୍ଷା ପବନରେ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନିଶ୍ଚିତ ଭାବେ କ୍ଷତିପୂରଣ ଦିଆଯିବ । କେହି ବି ଜଣେ ହେଲେ ଯେମିତି କ୍ଷତିପୂରଣ ପାଇବାରୁ ବଂଚିତ ହେବେ ନାହିଁ ସେଥିପ୍ରତି ସରକାର ସଜାଗ ଅଛନ୍ତି ।
ଜିଲ୍ଲାପାଳମାନେ ଖୁବ୍ ଶୀଘ୍ର କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବା ପରେ ସରକାର ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ପୂଜାରୀ ମତବ୍ୟକ୍ତ କରିଛନ୍ତି ।