Sad Story / ମେଡିକାଲରେ ଚିକିତ୍ସିତ ହେଉଛି ଅସୁସ୍ଥ ପୁଅ !

Key Points
ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଥିଲା ପୁଅ ।
ଜଳୁଛି ଯୁଇ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ବାହୁନି ବାହୁନି କାନ୍ଦୁଛନ୍ତି ପରିବାର ଓ ସମ୍ପର୍କୀୟ । ଝିଅ, ଜ୍ୱାଇଁଙ୍କୁ ହରାଇ ଛାତି ଫଟାଇ କାନ୍ଦୁଛି ମା’ । ପୁଅ, ବୋହୂକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର । ଏ ଯୁଇ ନିଆଁରେ ପୋଡ଼ି ଛାରଖାର ହୋଇଯାଇଛି ଗୋଟିଏ ପରିବାର । ଆଉ ପାଞ୍ଚ ବର୍ଷର ଏ ବାଳକର ବର୍ତ୍ତମାନ ଓ ଭବିଷ୍ୟତ । ଦେବଗଡ଼ କୁଣ୍ଢେଇଗୋଳା ଥାନା ଜିଅନ୍ତାପାଲିର ଦୁଷ୍ମନ୍ତ ମାଝୀଙ୍କ ପରିବାର ଶନିବାର ରାତିରେ ହୋଇଗଲା ସର୍ବସ୍ବାନ୍ତ । ସୋମବାର ଗାଁରେ ଏକା ସାଙ୍ଗରେ ସ୍ବାମୀ ସ୍ତ୍ରୀଙ୍କ ଯୁଇ ଜଳିବା ସମୟର ଦୃଶ୍ୟ ଥିଲା ଯେତିକି ଲୋମହର୍ଷକ, ଦିନକ ତଳେ ଜଙ୍ଗଲ ଭିତରେ, ପାଞ୍ଚ ବର୍ଷର ପୁଅ ଆଗରେ ଦୁଷ୍ମନ୍ତ ଓ ପତ୍ନୀ ରିଙ୍କି ବିଷ ପିଇ ମରିବା ଘଟଣା ସେତିକି ହୃଦୟ ବିଦାରକ ।
ଶନିବାର ସଂଧ୍ୟାରେ ସ୍ତ୍ରୀ ଓ ପାଞ୍ଚ ବର୍ଷର ପୁଅକୁ ବାଇକରେ ନେଇ ଶ୍ବଶୂର ଘରୁ ଫେରୁଥିଲେ ଦୁଷ୍ମନ୍ତ ମାଝୀ । ରାସ୍ତାରେ କୌଣସି କାରଣରୁ ସ୍ଵାମୀ ସ୍ତ୍ରୀଙ୍କ ଭିତରେ ବଚସା ହେଲା । ଦଲକ ନାମକ ଏ ସ୍ଥାନରେ ବାଇକ୍ ରଖିଲେ, ପୁଅକୁ ମୁଖ୍ୟ ରାସ୍ତାରୁ ପ୍ରାୟ 300 ମିଟର ଭିତର ନିଛାଟିଆ ଜଙ୍ଗଲ ଭିତରକୁ ଗଲେ ଦମ୍ପତି। କୀଟନାଶକ ପିଇ ଆତ୍ମହତ୍ୟା କଲେ। ପୁଅକୁ ବି ବିଷ ଦେଇଥିଲେ । ଘଟଣାସ୍ଥଳରେ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ରିଙ୍କି ଚେତାଶୂନ୍ୟ ହୋଇ ତଳେ ପଡିଥିଲେ । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଥିଲା ପୁଅ ।
ଜଙ୍ଗଲ ଭିତରେ ନିସ୍ତେଜ ହୋଇପଡ଼ିଥିଲେ ବାପା ମା। ଘନ ଅନ୍ଧକାରରେ ରାତି ତମାମ ସେମାନଙ୍କୁ ଜଗି ବସିଥିଲା 5 ବର୍ଷର ପୁଅ। ସକାଳ ହେବା ପରେ ଜଙ୍ଗଲରୁ ରାସ୍ତାକୁ ଆସି ଜଣେ ଟ୍ରକ୍ ଚାଳକଙ୍କୁ ଅଟକାଇ କହିଲା ସବୁ କଥା। ପରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଲା । ଛେଣ୍ଡିପଦା ଡାକ୍ତରଖାନାରେ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କଲେ, ସ୍ତ୍ରୀ ରିଙ୍କି ଓ ୫ ବର୍ଷର ପୁଅକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଗଲା । ଚିକିତ୍ସାଧିନ ଅବସ୍ଥାରେ ରିଙ୍କିଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଶିଶୁପୁତ୍ରକୁ କଟକ ସ୍ଥାନାନ୍ତର କରାଯାଇଛି ।
ବ୍ୟବଚ୍ଛେଦ ପରେ ଗତକାଲି ଗାଁକୁ ଆସିଥିଲା ଦୁଷ୍ମନ୍ତଙ୍କ ଶବ । କିନ୍ତୁ ମାଙ୍କୁ ଦିଆଯାଇନଥିଲା ପୁଅର ମୃତ୍ୟୁ ଖବର । ଗାଁ ମୁଣ୍ଡରେ ରହିଥିଲା ଶବ । ଆଜି ରିଙ୍କିଙ୍କ ଶବ ଅସିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ ଦାଣ୍ଡ । ଉଭୟଙ୍କ କୋକେଇ ଏକାଠି ଉଠିବା ପରେ ଗାଁ ଶ୍ମଶାନରେ ଏକାଠି ଦାହ କରାଯାଇଛି । ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଏମିତି କଣ ଘଟିଲା ଯେଉଁଥିପାଇଁ ନେଲେ ଏତେ ବଡ଼ ନିଷ୍ପତ୍ତି । ଏହାକୁ ରହିଛି ଦ୍ୱନ୍ଦ୍ୱ । ଅନ୍ୟପଟେ ୫ ବର୍ଷର ଶିଶୁପୁତ୍ରର ବର୍ତ୍ତମାନ ଓ ଭବିଷ୍ୟତ ହୋଇଯାଇଛି ଅନ୍ଧକାରଚ୍ଛନ୍ନ।