ଟ୍ୱିନସିଟି ରାସ୍ତାରେ ରହିବନି ଖାଲ ଖମା...

ଭୁବନେଶ୍ୱର: ଏଥର ଜମିବ ପାର୍ବଣ । ଟ୍ୱିନସିଟି ରାସ୍ତାରେ ରହିବନି ଖାଲ ଖମା । କଟକ-ଭୁବନେଶ୍ୱର ରାସ୍ତା ମରାମତି ଓ ଉନ୍ନତିକରଣ ପାଇଁ ବସିଲା ସମୀକ୍ଷା ବୈଠକ । ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆଜି ଦ୍ବୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହାସହିତ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ।
କଟକ ଓ ଭୁବନେଶ୍ୱରରେ ଥିବା ମୋଟ ୯୧୩ ଟି ରାସ୍ତାରୁ ୩୮୫ଟି ରାସ୍ତା ଅବସ୍ଥା ଖରାପ ହୋଇ ପଡ଼ିଛି । ସେଥିମଧ୍ୟରୁ ୩୧୬ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବାବେଳେ ୬୯ଟି ରାସ୍ତାରେ ବଡ଼ ତଥା ବ୍ୟାପକ ମରାମତି ଆବଶ୍ୟକ ।
ରାଜଧାନୀ ଭୁବନେଶ୍ବରରେ ମୋଟ ୭୯୮ କିଲୋମିଟର ବିଶିଷ୍ଟ ୮୧୮ଟି ରାସ୍ତା ରହିଥିବାବେଳେ ୨୨୨ କିଲୋମିଟର ବିଶିଷ୍ଟ ୩୫୧ଟି ରାସ୍ତାରେ ଆବଶ୍ୟକ ମରାମତି । ସେଥିମଧ୍ୟରୁ ୧୫୦.୭୬ କିଲୋମିଟର ବିଶିଷ୍ଟ ୨୮୯ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବା ବେଳେ ୭୧ କିଲୋମିଟର ବିଶିଷ୍ଟ ୬୨ଟି ରାସ୍ତାରେ ବ୍ୟାପକ ମରାମତି ଦରକାର ।
ସେହିପରି କଟକରେ ମୋଟ ୧୯୭ କିଲୋମିଟର ବିଶିଷ୍ଟ ୯୫ଟି ରାସ୍ତା ରହିଥିବାବେଳେ ୮୦ କିଲୋମିଟର ବିଶିଷ୍ଟ ୩୪ଟି ରାସ୍ତାରେ ଆବଶ୍ୟକ ମରାମତି । ସେଥିମଧ୍ୟରୁ ୨୭ଟି ରାସ୍ତାରେ ୭୦ କିଲୋମିଟର ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବାବେଳେ ୭ଟି ରାସ୍ତାର ୯.୫୯ କିଲୋମିଟରରେ ଆବଶ୍ୟକ ବ୍ୟାପକ ମରାମତି ହେବ।ଏପଟେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ରାସ୍ତା ଓ ଡ୍ରେନ କାମ ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରହୁନି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଭଳି ସମନ୍ଵୟ ରହିବ, ସେ ନେଇ ଗୁରୁତ୍ଵ ଦେବାକୁ ଦାବି କରିଛି ।
📱 Get Argus News App
✨ଆଗକୁ ରାସ୍ତା ତିଆରି ବେଳେ ଖରାପ ରାସ୍ତାକୁ ସମ୍ପୂର୍ଣ ଖୋଳି ନୂଆ ଦୀର୍ଘ ମିଆଦି ରାସ୍ତା ତିଆରି କରନ୍ତୁ । ନଚେତ୍ ୧୯୮୦ ମସିହାରୁ ତିଆରି ହୋଇଥିବା ଘର ଏବେ ରାସ୍ତା ଠୁ ତଳେ ରହିଲେଣି । ଯେଉଁଥି ପାଇଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି । ଏ ସମସ୍ୟାର ସମାଧାନ ଲାଗି ଦାବି କରିଛନ୍ତି ଭୁବନେଶ୍ଵର ମଧ୍ୟ ବିଧାୟକ ।