ସୁନ୍ଦର ଦୃଶ୍ୟ, ହାତୀ ପାଇଁ ଶ୍ରଦ୍ଧାଞ୍ଜଳି ସଭା...

ମୟୂରଭଞ୍ଜ: ସାଧାରଣତଃ ଆମେ ଜାଣିଛେ ଯେ' କୌଣସି ମଣିଷ ମରିଗଲା ପରେ ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥାଏ । କିନ୍ତୁ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ସହରର ରୋଟାରୀ କ୍ଲବ୍ ପରିସରରେ । କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଶ୍ରଦ୍ଧାଞ୍ଜଳି ସଭା ନୁହେଁ, ବରଂ ଶିମିଳିପାଳ ସୁରକ୍ଷାରେ ରହି ମୃତ୍ୟୁବରଣ କରିଥିବା ତିନି ହାତୀ ତଥା ମହେନ୍ଦ୍ର,ଶୋଭା ଓ ଭବାନୀ ସ୍ମୃତିରେ ଅନୁଷ୍ଠିତ ହୋଇଛି ଶ୍ରଦ୍ଧାଞ୍ଜଳି ସଭା ।
ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ଅତିଥି' ହାତୀ ଫୋଟ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ହାତ ଯୋଡି ନମସ୍କାର କରି ଭାବବିହ୍ବଳ ହୋଇ ଉଠୁଛନ୍ତି । ଯାହା ଜୀବଜନ୍ତୁଙ୍କ ପ୍ରତି ସାଧାରଣ ଲୋକଙ୍କ ମନରେ ରହିଥିବା ସ୍ନେହ,ଶ୍ରଦ୍ଧା ଓ ଭଲପାଇବାକୁ ବୟାନ କରୁଛି ।
ତେବେ ୨୦୦୧ ମସିହା ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ 'ହାମସୁରା ବନ୍ୟପ୍ରାଣୀ ଡିଭିଜନ'ର 'ହସ୍ତୀପ୍ରକଳ୍ପ' ଶିବିରରୁ ତାଲିମ ପ୍ରାପ୍ତ ଦନ୍ତାହାତୀ 'ମହେନ୍ଦ୍ର' ସହ ଦୁଇଟି ମାଈହାତୀ 'ଭବାନୀ' ଓ 'ଶୋଭା' କୁ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଅଣାଯାଇଥିଲା । ଅଭୟାରଣ୍ୟରେ କାଠମାଫିଆ ଏବଂ ବନ୍ୟଜନ୍ତୁଙ୍କୁ ଶିକାରୀ କବଳରୁ ରକ୍ଷାକରିବା ପାଇଁ ଏହି ତିନି ହାତୀଙ୍କୁ ନିୟୋଜିତ କରାଯାଇଥିଲା ।
📱 Get Argus News App
✨ହେଲେ ଏମାନଙ୍କ ମଧ୍ୟରୁ 'ମହେନ୍ଦ୍ର'ର କାର୍ଯ୍ୟ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରୁଥିଲା । ଯଉଥିପାଇଁ ମହେନ୍ଦ୍ରକୁ ଶିମିଳିପାଳର ହିରୋ ବୋଲି କୁହାଯାଉଥିଲା । ତିନି ହାତୀଙ୍କ ମଧ୍ୟରୁ ପ୍ରଥମେ ୨୦୨୨ ମସିହା ଡିସେମ୍ବର ୨୨ ତାରିଖରେ ୫୮ ବର୍ଷ ବୟସରେ 'ଶୋଭା' ମୃତ୍ୟୁବରଣ କରିଥିଲା ଏବଂ ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଶିମିଳିପାଳର ହିରୋ 'ମହେନ୍ଦ୍ର' ୬୫ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଥିବାବେଳେ ତାର ମାତ୍ର ୧୫ ଦିନ ପରେ ଅର୍ଥାତ୍ ଜାନୁଆରୀ ୨୮ ତାରିଖରେ ଭବାନୀ ମଧ୍ୟ ୬୨ ବର୍ଷ ବୟସରେ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଇଛି । ଯାହା ଶିମିଳିପାଳ ଅଭୟାରଣ୍ୟ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କୁହାଯାଉଛି । ତେଣୁ ଏହି ତିନି ହାତୀଙ୍କର ଶିମିଳିପାଳ ପାଇଁ ତଥା ସାରା ରାଜ୍ୟ ପାଇଁ କରିଥିବା ତ୍ୟାଗ ଓ ବଳିଦାନକୁ ଦୃଷ୍ଟି ରେ ରଖି ସଂଗ୍ରାମ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି ।
ଅନୁଷ୍ଠାନର ପ୍ରତିଷ୍ଠାତା ଭାନୋମିତ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅନେକ ବରେଣ୍ୟ ଅତିଥି ମାନେ ଏହି ୩ ହାତୀଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଅଭିଜ୍ଞତା ସେୟାର କରିଥିବା ବେଳେ ହାତୀ ମଣିଷର ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଅନେକ ଅବସରପ୍ରାପ୍ତ ବନକର୍ମଚାରୀ, ପରିବେଶବିତ୍, ସମାଜସେବୀ, ଆଇନଜୀବୀ,ଗଣମାଧ୍ୟମ ପ୍ରତିନିଧି ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ମୃତ ହାତୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ସମାଜକୁ ଏକ ନିଆରା ବାର୍ତ୍ତା ପ୍ରଦାନ କରିଛନ୍ତି ।