ABVPର ବଡ଼ ଦାବି, ନର୍ଭୟା ଭଳି ଆଇନ ଆସିଲେ ଦୋଷୀ ପାଇବ କଠୋର ଦଣ୍ଡ

Key Points
ABVPର ଦାବି ଶିକ୍ଷାନୁଷ୍ଠାନ ଏବଂ କର୍ମକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ପାଇଁ, ନିର୍ଭୟା ଆଇନ ଭଳି ରାଜ୍ୟରେ ଆଇନ ଆସିବା ଉଚିତ ।
ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।
ନିର୍ଭୟା ଆଇନ ଭଳି ସରକାର ଆଣନ୍ତୁ ଆଇନ। ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ନେଇ ଏମିତି ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ABVP ପକ୍ଷରୁ କୁହାଯାଇଛି ଶିକ୍ଷାନୁଷ୍ଠାନ ଏବଂ କର୍ମକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ପାଇଁ, ନିର୍ଭୟା ଆଇନ ଭଳି ରାଜ୍ୟରେ ଆଇନ ଆଣିବା ଉଚିତ । ଯାହା ଦ୍ଵାରା କେବଳ ଛାତ୍ରୀ ଏବଂ ମହିଳାମାନେ ସୁରକ୍ଷିତ ହେବେ ତାହା ନୁହେଁ, ବରଂ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅପରାଧୀମାନେ ଫାଷ୍ଟ-ଟ୍ରାକ୍ କୋର୍ଟ ମାଧ୍ୟମରେ କଠୋରତମ ଦଣ୍ଡ ପାଇବେ।
ରାଜ୍ୟ ସରକାର ମୁଖ୍ୟ ଅଭିଯୁକ୍ତ ସମୀର ସାହୁ ଓ କଲେଜ ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁ ମୃତ୍ୟୁଦଣ୍ଡ ଭଳି କଠୋର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଉଚିତ । ଏହି ଦୁର୍ଭାଗ୍ୟଜନକ ଘଟଣାର ନିରପେକ୍ଷ ତଦନ୍ତ କରିବାରେ ଅବହେଳା କରିଥିବା ICC କମିଟିର ସମସ୍ତ ସଦସ୍ୟଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।
UGC ନିୟମ ଅନୁଯାୟୀ ରାଜ୍ୟବ୍ୟାପୀ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ପୁନର୍ଗଠିତ ହେବା ଉଚିତ, ଯେଉଁଥିରେ ଅବସରପ୍ରାପ୍ତ ମହିଳା ବିଚାରପତି, ମହିଳା ଓକିଲ, ମହିଳା ପୋଲିସ ଅଧିକାରୀ, ଛାତ୍ର ଓ ଛାତ୍ରୀ ଏବଂ ପ୍ରମୁଖ ସାମାଜିକ ବ୍ୟକ୍ତିତ୍ଵ ସାମିଲ ହେବା ଉଚିତ।
NSUI ନେତା ସୌରଭ ବେହେରା, ଅସ୍ଥିତ ସ୍ପନ୍ଦନ ବେହେରା, ଅଜୟ କୁମାର ପଣ୍ଡା ଏବଂ ଅନ୍ୟ ଯେଉଁମାନେ ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସୋସିଆଲ ମିଡିଆରେ ନାନା ଅରୁଚିକର ମନ୍ତବ୍ୟ ଦେଇ ତାଙ୍କୁ ବଦନାମ କରିଥିଲେ, ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବା ଉଚିତ । ରାଜ୍ୟ ସରକାର ଝିଅମାନଙ୍କ ଦ୍ବାରା ସୋସିଆଲ ମିଡିଆରେ କରାଯାଉଥିବା ଅଭିଯୋଗ ପ୍ରତି ବିଶେଷ ସତର୍କ ରହିବା ଉଚିତ ଏବଂ ଏହି ସମସ୍ୟାଗୁଡ଼ିକର ଯଥାଶୀଘ୍ର ସମାଧାନ କରାଯିବା ଉଚିତ ବୋଲି ଦାବି କରିଛି ABVP।
ସେପଟେ ତଦନ୍ତ କରୁଥିବା ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଅଭିଯୁକ୍ତ HOD ସମୀର ସାହୁଙ୍କ ବିରୋଧରେ ମିଳିଛି ବଳିଷ୍ଠ ପ୍ରମାଣ । ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶକ ତଥା କମିଟି ମୁଖ୍ୟ କାଳୀ ପ୍ରସନ୍ନ ମହାପାତ୍ର କହିଛନ୍ତି ସମୀରଙ୍କ ବିରୋଧରେ କିଛି ପ୍ରମାଣ ମିଳିଛି । ଶନିବାର କମିଟିର ତଦନ୍ତ ଶେଷ ହେବ । ଖୁବଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ପ୍ରଥମେ ୪ ଜଣ ଛାତ୍ରଛାତ୍ରୀଙ୍କ ସହ କିଛି କର୍ମଚାରୀଙ୍କୁ ପଚରା ଉଚରା କରାଯାଇଥିଲା ।