ଆଖି ପିଛୁଳାକେ ଚାଲି ଯାଉଛି ଅମୂଲ୍ୟ ଜୀବନ...

ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ ଦୁର୍ଘଟଣା ଖବର ଆସୁନି । ପ୍ରତିଦିନ ଘଟୁଛି ଦୁର୍ଘଟଣା । ଆଖି ପିଛୁଳାକେ ଚାଲି ଯାଉଛି ଅମୂଲ୍ୟ ଜୀବନ । କେଉଁଠି ବେପରୁଆ ଗାଡି ଚଳାଇବା ମହଙ୍ଗା ପଡିଛି ତ କେଉଁଠି ଟିକିଏ ଅସାବଧାନତା ବସତଃ ଘଟୁଛି ଭୟଙ୍କର ଦୁର୍ଘଟଣା । ଆଜି ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ଘଟିଛି ଦୁର୍ଘଟଣା ।
କେନ୍ଦୁଝର ଚମ୍ପୁଆ ଥାନା 520 ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ନିକଟରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୋମବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି । ମୃତକ ବାସୁଦେବପୁର ଅଞ୍ଚଳର ବାସୁଦେବ ନାଏକ । ସମସ୍ତ ୪ ଜଣ ଗୁରୁତରଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଦୁଇଟି ବାଇକ୍ ମଧ୍ୟରୁ ଗୋଟିଏ ବାଇକ୍ ରଙ୍ଗ୍ ରୁଟ୍ ରେ ଯାଉଥିବା ବେଳେ, ସାମ୍ନାରୁ ଆସୁଥିବା ବାଇକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଗୋଟିଏ ବାଇକ୍ ରେ ୨ ଜଣ ଓ ଅନ୍ୟ ଏକ ବାଇକ୍ ରେ ୩ ଜଣ ବସିଥିବା କୁହାଯାଉଛି । ଚମ୍ପୁଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ।
📱 Get Argus News App
✨ସେହିପରି ପୁରୀ ଭୁବନେଶ୍ୱର 316 ନମ୍ବର ଜାତୀୟ ରାଜପଥ ପିପିଲି ମଧୁବନ ଛକ ନିକଟରେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ପିଟିଲା ଘରୋଇ ବସ । ଫଳରେ ୫ ଜଣ ବ୍ୟକ୍ତିଙ୍କ ସହ ଜଣେ ଶିଶୁ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଆମ୍ୱୁଲାନ୍ସ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ପିପିଲି ଓ ସାତଶଙ୍ଖ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ ହୋଇଛି ।
ପୁତୁରାକୁ ବାହା କରାଇବାକୁ ଯାଉଥିଲେ । ହେଲେ ଅଧା ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ମଉସାଙ୍କ ଜୀବନ । କାର - ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ରୁ ଅଧିକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଶରତ ଥାନା ହଦଗୁଠ ଛକ ନିକଟରେ ।
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ଗ୍ରାମ ନିକଟରେ ବ୍ରଜରଜପୁର ଗ୍ରାମର ବୃନ୍ଦାବନ ଜେନା ନିଜ ଗାଡିରେ ଗାଁକୁ ଯାଉଥିବାବେଳେ ହଠାତ ବିପରୀତ ଦିଗରୁ ବାଣିଆ ରାଜୁ ଦାସ ଓ ସୂର୍ଯ୍ୟ ନାରାୟଣ ଦାସ ନାମକ ଦୁଇ ଜଣ ଯୁବକ ତାଙ୍କ ଗ୍ଲାମର ଗାଡ଼ିରେ ଆସି ପିଟିହୋଇଥିଲେ । ଫଳରେ ଉଭୟ ବାଇକର ତିନି ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତିନି ଜଣକୁ ଏମକେସିଜିକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିବା ଜଣାପଡିଛି ।