ଦୁର୍ଘଟଣା: ହସ୍ପିଟାଲ ବେଡ୍ରେ ସ୍ୱାମୀ ଜୀବନ ଭିକ୍ଷା ମାଗୁଛି ସ୍ତ୍ରୀ

Key Points
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଦୁର୍ଘଟଣା ପରେ ହସ୍ପିଟାଲ ବେଡ୍ରେ ସ୍ୱାମୀ
ଜୀବନ ଭିକ୍ଷା ମାଗୁଛି ସ୍ତ୍ରୀ
ସେପଟେ ଅର୍ଥ ଅଭାବରୁ ବାପାଙ୍କର ଚିକିତ୍ସା କରାଇ ପାରୁନାହିଁ ପୁଅ
ସରକାରୀ ସହାୟତାକୁ ଅନେଇ ବସିଛି ପରିବାର
ସମୟର ଚକାଭଉଁରୀ । କେତେବେଳେ ଆଣେ ଖୁସି ଅସୁମାରୀ ତ ଆଉ କେତେବେଳେ ଦିଏ ସବୁ ସାରି । ଏଇ ଦେଖୁନାହାନ୍ତି ସେହି ସମୟ କେମିତି ବଇରି ସାଜିଛି ଭଦ୍ରକ ଭଣ୍ଡାରିପୋଖରୀ ଜଳ ମଣ୍ଡୁଆ ପଞ୍ଚାୟତ ମଙ୍ଗିଳିଆ ସାହିର ଭରତ ସାହୁଙ୍କ ପୁଅ ଘନଶ୍ୟାମ ସାହୁଙ୍କ ସହ । ଘରକୁ କୁନି ଅତିଥି ଆସିବାର ଆଗମନରେ ମନର ଅଗଣାରେ ଯେତେବେଳେ ଖୁସିର ଫୁଆରା ଖେଳୁଥିଲା ଠିକ ସେହି ସମୟରେ କାଳ ସାଜି ମାଡି ଆସିଥିଲା ବୋଲେରୋ ଗାଡି । ଡାକ୍ତରଖାନା ଯାଇ ପତ୍ନୀଙ୍କ ଡେଲିଭରି କଣ ବୁଝିବେ, ସାଥିରେ କଣ ଛିଡା ହେବେ ଓଲଟା ନିଜେ ପେସେଣ୍ଟ ସାଜିଗଲେ । ଦୁର୍ଘଟଣା ପରେ ଦାର୍ଘଦିନ କୋମାରେ ରହିବା ପରେ ଏବେ ସଂପୂର୍ଣ୍ଣ ଶଯ୍ୟାଶାୟୀ ।
ସେପଟେ ନିଜର ଏକମାତ୍ର ରୋଜଗାରିଆ ପୁଅର ଏଭଳି ଅବସ୍ଥା ଦେଖି ନିଜର କୋହ ସମ୍ଭାଳି ପାରୁନାହାନ୍ତି ମାଆ ବାପା । ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ପୁଅର ମେଡିସିନ କେମିତି ଆଣିବେ, ତିନି ନାତୁଣୀ ସହ ପୁରା ପରିବାରର କେମିତି ପ୍ରତିପୋଷଣ କରିବେ ସେଇ ଚିନ୍ତାରେ ଘନଶ୍ୟାମଙ୍କ ବାପା ଭରତ । ତେବେ ଘନଶ୍ୟାମଙ୍କ ଏଭଳି ଅବସ୍ଥା ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ଘନଶ୍ୟାମଙ୍କୁ ମାଗଣା ମେଡିସିନ, ଦିବ୍ୟାଙ୍ଗ ଭତ୍ତା, ଲେବର କାର୍ଡର ପୁନଃପଂଜିକରଣ ସହ ବିଦ୍ୟାଳୟ ପକ୍ଷରୁ ଦୁଇ ନାତୁଣୀଙ୍କ ପାଠପଢାର ସ୍ପନସର କରାଯିବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।
ସେପଟେ ଅର୍ଥ ଅଭାବରୁ ବାପାଙ୍କର ଚିକିତ୍ସା କରାଇ ପାରୁନାହିଁ ପୁଅ । କିଡିନୀ ପରି ରୋଗରେ ପଡି ଜୀବନ ସହ ସଂଘର୍ଷ କରୁଛନ୍ତି ଧାମନଗରର ବୀରଭଦ୍ର ନାୟକ । ଯେଉଁଠି ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଡ କରିବା କଷ୍ଟକର ସେଠି କିଡିନୀ ଚିକିତ୍ସା ପାଇଁ ଅର୍ଥ କୁଆଡୁ ଆଣିବେ ସେଇ ଚିନ୍ତାରେ ବୀରଭଦ୍ରଙ୍କ ପୁଅ ଅଶ୍ବିନୀ । ମୁଲ ଲାଗିଲେ ଚୁଲି ଜଳେ । ନ ହେଲେ ପେଟରେ ଓଦାକନା ପକାଇ ଦିନ କଟେ । ଟିକେ ଭଲକରି ଦେଖନ୍ତୁ କେମିତି ଆଉ କେଉଁ ପରିସ୍ଥିରେ ରହୁଛନ୍ତି ବୀରଭଦ୍ରଙ୍କ ପରିବାର । ମୁଣ୍ଡ ଉପରେ ପକା ଘରଟିଏ ନାହିଁ । ଅତି ଦୟନୀୟ ଅବସ୍ଥାରେ ବିତୁଛି ଜୀବନ । ଗାଁ ଲୋକଙ୍କ ଠାରୁ ମାଗି ଯାଚି ଯେହା ଯେମିତି କଷ୍ଟେ ମଷ୍ଟେ ବାପାଙ୍କ ଚିକିତ୍ସା କରାଇବା ପରେ ଏବେ ସରକାରୀ ସହାୟତା ହିଁ ଏକମାତ୍ର ଭରଷା । ବୀରଭଦ୍ରଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ତେବେ ଯଦି କୌଣସି ସହୃଦୟ ବ୍ୟକ୍ତି ବୀରଭଦ୍ରଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିବେ ତେବେ ଏହି ନମ୍ବରରେ ଯୋଗାଯୋଗ କରିବା ସହ ଆର୍ଥିକ ସହାୟତା କରିପାରିବେ ।