HOD ଗିରଫ, ଅଧ୍ୟାପକଙ୍କ ସହ FM କଲେଜ ପ୍ରିନ୍ସପାଲ୍ ନିଲମ୍ବିତ

Key Points
ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା
ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇଲେ ବାଲେଶ୍ବର FM କଲେଜର ଛାତ୍ରୀ
ଗୁରୁତର ଅବସ୍ଥାରେ ଭୁବନେଶ୍ବର AIIMS ହସ୍ପିଟାଲରେ ଭର୍ତ୍ତି
ଲିଖିତ ଭାବେ କଲେଜ ଅଧ୍ୟକ୍ଷ ଓ କମିଟିକୁ କରିଥିଲେ ଅଭିଯୋଗ
ଆତ୍ମାହୁତି ପରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ କଡ଼ା ଆକ୍ସନ
ଗିରଫ ହେଲେ ଅଭିଯୁକ୍ତ HOD ସମୀର ସାହୁ
ଅଧ୍ୟାପକଙ୍କ ସହ FM କଲେଜ ପ୍ରିନ୍ସପାଲ୍ ବି ନିଲମ୍ବିତ
ଫକୀରମୋହନ କଲେଜ, ବାଲେଶ୍ବର । ସମୟ - ମଧ୍ୟାହ୍ନ 12ଟା। କଲେଜ ଆଗରେ ଧାରଣା ଦେଇଥିବା ଛାତ୍ରୀ ହଠାତ୍ ନିଜ ଦେହରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ। ସିସିଟିଭି କ୍ୟାମେରାରେ କଏଦ ହେଲା ଏ ଲୋମହର୍ଷକ ଚିତ୍ର । ଫକୀରମୋହନ କଲେଜର ଏଜୁକେସନ ବିଭାଗର HOD ସମୀର ସାହୁଙ୍କ ନାଁରେ ସାଂଘାତିକ ଅଭିଯୋଗ କରିଥିଲେ ଇଣ୍ଟିଗ୍ରେଟେଡ୍ ବିଇଡି କରୁଥିବା ଏ ଛାତ୍ରୀ । ଅଧ୍ୟାପକଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ପ୍ରତିବାଦରେ ଆଜି ଛାତ୍ରୀ କଲେଜରେ ଧାରଣା ଦେଇଥିଲେ । ଦୀର୍ଘ ତିନି ଘଣ୍ଟା ଧାରଣା ଦେବା ପରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ପରେ ତୁରନ୍ତ କଡ଼ା ଆକ୍ସନ ନେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ। ଅଭିଯୁକ୍ତ ଅଧ୍ୟାପକଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି । କଲେଜ ପ୍ରିନ୍ସପାଲଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ।
ଭୋଗରାଇ ଅଞ୍ଚରର ଛାତ୍ରୀ ଜଣକ ବାଲେଶ୍ୱରରେ ରହି ପାଠ ପଢିବା ସହ ସେଲ୍ଫ ଡିଫେନ୍ସ ର ପ୍ରଶିକ୍ଷଣ ଦେଉଥିଲେ । ଘରେ ତାଙ୍କ ବାପା ମା' ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ଥିଲେ । ଯାହାକୁ ନେଇ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସମୀର ସାହୁଙ୍କୁ ଜଣାଇଥିଲେ । କିନ୍ତୁ ସେ ଏକଥା ଶୁଣିନଥିଲେ । ବାରମ୍ବାର ଛାତ୍ରୀଙ୍କୁ କ୍ଲାସରୁ ବାହାରେ ଛିଡ଼ା କରିବା ସହ ମାନସିକ ନିର୍ଯାତନା ଦେଉଥିଲେ । ଚଳିତ ବର୍ଷ ପରୀକ୍ଷା ଦେବାକୁ ବି ଦେଇ ନଥିଲେ । ଏ ସବୁ ବାବଦରେ ଲିଖିତ ଭାବେ କଲେଜ ପ୍ରିନସିପାଲ ଓ କଲେଜ କମିଟିକୁ ଜଣାଇଥିଲେ ଛାତ୍ରୀ । କିନ୍ତୁ କେହି ଏହାକୁ ଗୁରୁତ୍ୱ ଭାବେ ଗ୍ରହଣ କରିନଥିଲେ ।
ଘଟଣା ନେଇ ଫକୀରମୋହନ କଲେଜରେ ଉତ୍ତେଜନା ଦେଖା ଦେଇଥିବାବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ସଦର ବିଧାୟକ ମାନସ ଦତ୍ତ ପହଁଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ।
ବାଲେଶ୍ବରର ଏ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ତଦନ୍ତ କମିଟିର ରିପୋର୍ଟ ପରେ ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।