BJDକୁ ଧରି GA-IDCO ଜମି ସହ ଜଙ୍ଗଲ ଜମି ବି ହଡ଼ପ କରିଛନ୍ତି ଅଚ୍ୟୁତ !

ବିଜେଡି ଶାସନ ବେଳେ ସରକାରୀ କଳକୁ ବ୍ୟବହାର କରି ଅଚ୍ୟୁତ ସାମନ୍ତ GA, IDCO ଜମି ସହ ଜଙ୍ଗଲ ଜମି ହଡ଼ପ କରିଥିବା ଅଭିଯୋଗ । ଏହା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କଠାରୁ ଉତ୍ତର ଦାବି କଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ ବା ଓସା । ଓସା କହିଛି, କିଟ୍ ଓ କିସ୍ ବିରୋଧରେ ଅଣାଯାଇଥିବା ସମସ୍ତ ଅଭିଯୋଗ RTIରେ ମିଳିଥିବା ଓ ସରକାରୀ ତଥ୍ୟ ଆଧାରିତ । ଏହା କୌଣସି ମନଗଢା ଅଭିଯୋଗ ନୁହେଁ । କିସ୍ରେ ଆଦିବାସୀ ଛାତ୍ରଛାତ୍ରୀମାନେ କେଉଁ ଅବସ୍ଥାରେ ଅଛନ୍ତି ତାହା CWC ନିଜ ରିପୋର୍ଟରେ ଦର୍ଶାଇଛନ୍ତି । ଏସବୁ ଅଭିଯୋଗର ପ୍ରମାଣ ରହିଛି । କିନ୍ତୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଏସବୁ ପ୍ରସଙ୍ଗରେ ଚୁପ୍ ରହିଛନ୍ତି । ତେଣୁ ଏସବୁ ଅଭିଯୋଗ ଉପରେ ସେ ସ୍ପଷ୍ଟିକରଣ ଦିଅନ୍ତୁ ।
ତେବେ ଗତ ମାର୍ଚ୍ଚ ୮ ତାରିଖରେ କିଟ୍ କାଣ୍ଡ ନେଇ ୩ ଦିନ ଘଣ୍ଟାଚକଟା କରିବା ପରେ ଦିଲ୍ଲୀ ଫେରିଯାଇଛି NHRC ଟିମ୍। ଫେରିବା ପୂର୍ବରୁ ବିଭିନ୍ନ ଅଭିଯୋଗ ଉପରେ କିସ୍ କ୍ୟାମ୍ପସକୁ ଯାଇ ବି ସରଜମିନ ତଦନ୍ତ କରିଥିଲେ। ବହୁ ଅଂଶୀଦାରଙ୍କ ସହ ଆଲୋଚନା ବି କରିଛନ୍ତି। ଖୁବଶୀଘ୍ର ଏନେଇ କମିଶନଙ୍କ ପାଖରେ ରିପୋର୍ଟ ଦାଖଲ ହେବ ବୋଲି ସୂଚନା ଦେଇଛନ୍ତି।
ସେହିପରି କିଟ୍ ପ୍ରତିଷ୍ଠାତାଙ୍କ ବିରୋଧରେ ଜମି କେଳେଙ୍କାରୀ ନେଇ ଯେଉଁ ସଂଗୀନ ଅଭିଯୋଗ ଆସିଥିଲା ସେନେଇ ବରିଷ୍ଠ ନାଗରିକ, RTI କର୍ମୀ ଓ ଜମି ମାଲିକଙ୍କଠାରୁ ତଥ୍ୟ ସଂଗ୍ରହ କରିଛି NHRC। କେବଳ କିଟ୍ ନୁହେଁ କିସରେ ବି ପଶିଥିଲା ତଦନ୍ତକାରୀ ଦଳ। କିସ୍ ଆଦିବାସୀ ସ୍କୁଲରେ କିଭଳି ଅବସ୍ଥାରେ ରହୁଛନ୍ତି ଛାତ୍ରଛାତ୍ରୀ? କେତେ ସଂଖ୍ୟକ ଛାତ୍ରଛାତ୍ରୀ ହୋଇଛନ୍ତି ନିଖୋଜ? ନିଖୋଜ ହେଉଥିବା ଛାତ୍ରଛାତ୍ରୀଙ୍କୁ ନେଇ କିସ୍ କର୍ତ୍ତୃପକ୍ଷ କାହିଁକି ଦେଉନଥିଲେ FIR? କିସ୍ କର୍ତ୍ତୃପକ୍ଷଙ୍କୁ ମାରାଥନ ଜେରା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କଠାରୁ ଏ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତଥ୍ୟ ହାସଲ କରି ଦିଲ୍ଲୀ ଫେରିଯାଇଛି ଟିମ୍। ଖୁବ୍ଶୀଘ୍ର କମିଶନଙ୍କ ପାଖରେ ଏନେଇ ରିପୋର୍ଟ ଦାଖଲ କରାଯିବ ବୋଲି ସୂଚନା ଦେଇଛନ୍ତି ଲ’ ରେଜିଷ୍ଟ୍ରାର ଯୋଗେନ୍ଦ୍ର ସିଂହ।
କୁହାଯାଉଛି ବରିଷ୍ଠ ନାଗରିକଙ୍କ ଜମିକୁ ଯାଇଥିବା ସର୍ବସାଧାରଣ ରାସ୍ତା ଉପରେ ଛିଡ଼ା ହୋଇଛି କିସ୍ର ପାଚେରୀ ଓ ଘର। ରାସ୍ତା ଉପରେ କିସ୍ ପକ୍ଷରୁ ତିଆରି ହୋଇଛି ଗେଟ୍, ଜଗିଛନ୍ତି ସିକ୍ୟୁରିଟି। ଏମିତିକି ଯେତେବେଳେ ବରିଷ୍ଠ ନାଗରିକମାନେ ନିଜ ଜମିକୁ ଯିବାକୁ ଚାହିଁଥିଲେ, ପ୍ରଥମେ ଛାଡ଼ିନଥିଲେ ସିକ୍ୟୁରିଟି। ବହୁ ଅନୁରୋଧ ପରେ ସେମାନଙ୍କୁ ନିଜ ଜମି ନିକଟକୁ ଯିବାକୁ ବାଟ ଛାଡ଼ିଥିଲେ।