Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀଅଧର ଉଚ୍ଚ ଲାଉତୁମ୍ବ ଭଳି ମାଟି ପାତ୍ରରେ ହୁଏ ଅଧରପଣା

Odisha

ଶ୍ରୀଅଧର ଉଚ୍ଚ ଲାଉତୁମ୍ବ ଭଳି ମାଟି ପାତ୍ରରେ ହୁଏ ଅଧରପଣା

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ଶ୍ରୀଅଧର ଉଚ୍ଚ ଲାଉତୁମ୍ବ ଭଳି ମାଟି ପାତ୍ରରେ ହୁଏ ଅଧରପଣା

Key Points

ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ ।

ମହାପ୍ରଭୁଙ୍କ ବିଭିନ୍ନ ଭୋଗ ମଧ୍ୟରେ ପଣା ଭୋଗ ହେଉଛି ଅନ୍ୟତମ ।

ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ନୀତି ସମ୍ପନ୍ନ ହୋଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ । ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ । ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରାଯାଇଥାଏ ।

ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ । ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବାଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି । ଅଧରପଣାରେ ମୁଖ୍ୟତଃ କଦଳୀ, ଦୁଗ୍ଧ, ମହୁ, ଚନ୍ଦନ, କର୍ପୂର ଓ ଅନ୍ୟାନ୍ୟ ଶୁଦ୍ଧ ଉପାଦାନ ମିଶାଇ ପ୍ରସ୍ତୁତ ହୁଏ। ହାଣ୍ଡିଗୁଡ଼ିକର ବର୍ଣ୍ଣ ଈଷତ୍ ଲାଲ ରଙ୍ଗର ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଅଧର ହାଣ୍ଡିର ଉଚ୍ଚତା ୫ ଫୁଟ, ଶ୍ରୀବଳଭଦ୍ରଙ୍କର ୪.୧/୨ ଫୁଟ, ସୁଭଦ୍ରା ଦେବୀଙ୍କର ୪ ଫୁଟ। ହାଣ୍ଡିର ମୁହଁ ବା ଫାନ୍ଦ ୧୫ ଇଞ୍ଚ ବିଶିଷ୍ଟ ହୋଇଥାଏ।

ମହାପ୍ରଭୁଙ୍କ ବିଭିନ୍ନ ଭୋଗ ମଧ୍ୟରେ ପଣା ଭୋଗ ହେଉଛି ଅନ୍ୟତମ । ପଣା ଭୋଗ ଠାକୁରଙ୍କ ଦୈନନ୍ଦିନ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣୀରେ ମଧ୍ୟ ହୋଇଥାଏ । ଏହାର ଅନ୍ୟ ଏକ ନାମ ହେଲା ‘ପ୍ରପାଣକ’। ଏହି ନାମ ଅପଭ୍ରଂଶରେ ପ୍ରପାନକ ବା ପଣା ନାମରେ ପରିଚିତ ହୋଇଛି । ମାଦଳାପାଞ୍ଜି ତଥ୍ୟ ଅନୁସାରେ ଅତୀତରେ ଶ୍ରୀମନ୍ଦିରରେ ପଣା ପ୍ରସ୍ତୁତ କରୁଥିବା ସେବକଙ୍କୁ ‘ପଣା ସୁଆର ସେବକ’ କୁହାଯାଉଥିଲା।

ସାଧାରଣତଃ ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ତାହା ହେଲା ଦୈନିକ ପଣା, ଅଣସର ପଣା ଓ ଅଧରପଣା। ତେବେ ରଥ ଉପରେ ଅନୁଷ୍ଠିତ ଅଧରପଣା ହେଉଛି ସର୍ବବୃହତ ପଣା ଭୋଗ। ସୁନାବେଶ ପରଦିନ ତିନିରଥ ଉପରେ ଅଧରପଣା ନୀତି ସଂପନ୍ନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ।

ଗବେଷକଙ୍କ କହିବାନୁସାରେ ଓଡ଼ିଆ ମଠରୁ ପ୍ରାପ୍ତ ସନନ୍ଦକୁ ଆଧାର କରି ଉଲ୍ଲେଖ କରାଯାଇଛି ଯେ, ପୂର୍ବେ ବାହୁଡା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀରେ ତିନି ହାଣ୍ଡି ଓ ଦ୍ଵାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଭୋଗ ହୁଏ। ତେବେ ଅନନ୍ୟ ଏ ଅଧରପଣା ନୀତି ପଛରେ ରହିଛି ଗୁଢ ତତ୍ତ୍ୱ। ପାପୀ, ତପି, ମ୍ଳେଚ୍ଛ, ଦୀନ, ଯବନ ଉଦ୍ଧାର ପାଇଁ ରଥଯାତ୍ରାର ଶେଷରେ ଜନସମାଜକୁ ଅମୃତର ପାନ ପାଇଁ ଅଧରପଣା ନୀତି ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ କୁହନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Actually Adharapana Prepared for Whoom | Argus News