Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ଆସିଲା ମାର୍ଗଦର୍ଶିକା; ୧୫ ସୁଦ୍ଧା ପଞ୍ଚାୟତ ଦେବ ପ୍ରକଳ୍ପ ତାଲିକା

Sushanta Sahoo
Browse all articles by Sushanta Sahoo
·1 year ago·3 min read
ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ଆସିଲା ମାର୍ଗଦର୍ଶିକା; ୧୫ ସୁଦ୍ଧା ପଞ୍ଚାୟତ ଦେବ ପ୍ରକଳ୍ପ ତାଲିକା

Key Points

ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ମାର୍ଗଦର୍ଶିକା

୧୫ ସୁଦ୍ଧା ପଞ୍ଚାୟତ ଦେବ ପ୍ରକଳ୍ପ ତାଲିକା

ବଜେଟ୍‌ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ

ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ପ୍ରାଥମିକତା

ଭୁବନେଶ୍ଵର: ଆଗେଇବ ପଞ୍ଚାୟତ, ଗାଁର ହେବ ବିକାଶ । ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି । ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ସରକାର ବଜେଟ୍‌ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ।


ନୂଆ ମାର୍ଗଦର୍ଶିକା ମୁତାବକ, ଏହି ଟଙ୍କାକୁ ପ୍ରତି ପଞ୍ଚାୟତକୁ ଆବଣ୍ଟନ କରାଯିବ । ନୂଆ ବ୍ୟବସ୍ଥା ଅନୁସାରେ, ପଛୁଆ ବା ଆଦିବାସୀ ବହୁଳ ଅଞ୍ଚଳକୁ ଏହି ଯୋଜନାରେ ସର୍ବାଧିକ ପ୍ରାଥମିକତା ଦିଆଯିବ । ଏଥିପାଇଁ ମୋଟ ପାଣ୍ଠିର ୪୦ ପ୍ରତିଶତ ବା ୪୦୦ କୋଟି କେବଳ ଆଇଟିଡିଏ ବା ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି ଅଧିନରେ ଥିବା ବ୍ଲକ୍‌ରେ ଖର୍ଚ୍ଚ ହେବ ।


ରାଜ୍ୟର ମୋଟ ୩୧୪ ବ୍ଳକ୍ ଭିତରୁ ୧୨୧ଟି ବ୍ଳକ୍ ଆଇଟିଡିଏ ଅଧିନରେ ଆସୁଛି । ଏ ସବୁ ଅଞ୍ଚଳର ବିକାଶକୁ ସରକାର ଅଧିକ ଗୁରୁତ୍ଵ ଦେବେ । ବାକି ୧୯୩ଟି ବ୍ଲକରେ ଥିବା ପଞ୍ଚାୟତକୁ ୬୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ ହେବ । ପ୍ରତି ଗାଁରେ ଭଲ ରାସ୍ତା ନିର୍ମାଣ ପାଇଁ ଟଙ୍କା ଦିଆଯିବ । ଗାଁରେ ବ୍ଲକ ଟପ୍ ରୋଡ୍, କଂକ୍ରିଟ୍ ରୋଡ୍ ଓ ପେଭର ବ୍ଲକ ରାସ୍ତା ତିଆରି ହେବ । ଆବଶ୍ୟକ ସ୍ଥାନରେ ଡ୍ରେନ୍ ବି ନିର୍ମାଣ ହେବ ।


ତେବେ ପଞ୍ଚାୟତକୁ ମିଳିଥିବା ମୋଟ ପାଣ୍ଠିର ୩୫ ପ୍ରତିଶତ କେବଳ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ । ଏହାଠାରୁ ଅଧିକ ଟଙ୍କା ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ କରି ହେବନି । ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ଅଞ୍ଚଳ ଭିତରେ ରହୁଥିବା ଲୋକଙ୍କ ପାଇଁ ମଧ୍ୟ ମେଟାଲିଂ ମାନର ରାସ୍ତା ନିର୍ମାଣ କରାଯିବ । ପୂର୍ବରୁ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଜଙ୍ଗଲ ଅଞ୍ଚଳରେ ରାସ୍ତା ତିଆରି ଉପରେ କଟକଣା ଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଣିକି ଏହି ଯୋଜନା ଅଧୀନରେ ପ୍ରତି ବ୍ଲକରେ ରିଡିଂ ରୁମ୍ ବା ପଠନ ଗୃହ ବ୍ୟବସ୍ଥା କରାଯିବ । ଏଠାରେ ପଢ଼ାବହି ସାଙ୍ଗକୁ ଇଣ୍ଟରନେଟ୍ ସୁବଧା ମିଳିବ । ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ଏଠାରେ ସ୍ୱଳ୍ପ ଦେୟ ଦେଇ ଆରାମରେ ବସି ପଢ଼ି ପାରିବେ ।


ସେହିଭଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର, ଗାଧୁଆ ତୁଠ, ପୋଖରୀ ଓ ନଦୀ କୂଳରେ ଚେଞ୍ଜିଂ ରୁମ୍, ମାର୍କେଟ୍ ସେଡ୍ ତିଆରି ପାଇଁ ଟଙ୍କା ମିଳିବ । ଭୋଗ ମଣ୍ଡପ, ଭାଗବତ ଟୁଙ୍ଗୀ ତିଆରି ହେବ । ସବୁ ଧର୍ମର ଉପାସନାସ୍ଥଳୀ ବା ଧାର୍ମିକ ପୀଠର ବିକାଶ ପାଇଁ ପାଣ୍ଠି ଖର୍ଚ୍ଚ ହେବ । ଧାର୍ମିକ ସ୍ଥଳ ପାଖରେ ଶୌଚାଳୟ ଓ ପିଇବା ପାଣି ସୁବିଧା କରାଯିବ । ପଞ୍ଚାୟତରେ ଥିବା ଛୋଟ ଛୋଟ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବ୍ୟବସ୍ଥା ହେବ ।


ଶିକ୍ଷା ଭିତ୍ତିଭୂମି ପାଇଁ ମଧ୍ୟ ଏହି ଯୋଜନାରୁ ପାଣ୍ଠି ମିଳିବ । ବିଦ୍ୟାଳୟର ଆଧୁନିକୀକରଣ, ପ୍ରତି ଗାଁରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ । ଲମ୍ବ ଡିଆଁ ଓ ଉଚ୍ଚ ଡିଆଁ ପାଇଁ ବ୍ୟବସ୍ଥା ରହିବ । ସବୁଠୁ ବଡ଼ କଥା ହେଉଛି, ନୂଆ ସରକାର ପୁରୁଣା ପ୍ରକଳ୍ପର ଆବଶ୍ୟକତାକୁ ହୃଦୟଙ୍ଗମ କରି ପାଣ୍ଠି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ଆରମ୍ଭ ହୋଇ ଅଟକି ଯାଇଥିବା ପ୍ରକଳ୍ପ ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରୁ ଟଙ୍କା ଦେଇ ହେବ ।


ତେବେ ପୁରୁଣା ପ୍ରକଳ୍ପ କାମରେ ମୋଟ ପାଣ୍ଠିର ୨୦ ପ୍ରତିଶତରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲେ ଯାଇ ଏହାକୁ ଆଗେଇବାକୁ ଅନୁମତି ମିଳିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । ସବୁ ପଞ୍ଚାୟତ ଗ୍ରାମସଭା ଡାକି ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ପାଇଁ ପ୍ରକଳ୍ପ ଚୟନ କରିବେ । ଗ୍ରାମସଭାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରାଯିବ । ଫେବ୍ରୁଆରୀ ୧୪ ସୁଦ୍ଧା ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ସମସ୍ତ ପଞ୍ଚାୟତ ୧୫ ତାରିଖରେ ବ୍ଲକରେ ଏହି ପ୍ରକଳ୍ପ ତାଲିକା ଦାଖଲ କରିବେ । ୧୮ ତାରିଖ ସୁଦ୍ଧା ପଞ୍ଚାୟତ ସମିତିର ଟେକ୍ନିକାଲ କମିଟି ଏହାର ଯାଞ୍ଚ ସାରିବ । ୨୦ ତାରିଖ ସୁଦ୍ଧା ଏହାକୁ ଜିଲ୍ଲାପାଳଙ୍କ ପାଖକୁ ପଠଯିବ । ଜିଲ୍ଲାପାଳ ପ୍ରକଳ୍ପର ଅନୁମୋଦନ ଦେବା ପରେ କାମ ଆଗେଇବ ।

Sponsored