ଦୀର୍ଘଦିନ ପରେ ପୂରଣ ହେଲା ସ୍ବପ୍ନ, ଦଶପଲ୍ଲାକୁ ଗଡିଲା ଟ୍ରେନ

ନୟାଗଡ: ଦୀର୍ଘଦିନ ପରେ ପୂରଣ ହେଲା ଦଶପଲ୍ଲା ବାସୀଙ୍କ ସ୍ବପ୍ନ I ନୂଆଗାଁ ଠାରୁ ଆଉ 15 କିମି ସଂଯୋଗ ହେଲା ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ I ଏହି ଅବସରରେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେଠାରେ ସେ ଦଶପଲ୍ଲାରେ ନୂଆ ରେଳ ଷ୍ଟେସନର ଉଦଘାଟନ କରିବା ସହ ଚାରୋଟି ପାସେଞ୍ଜର ଟ୍ରେନକୁ ଦଶପଲ୍ଲା ଯାଏଁ ଯାତାୟାତ ସମ୍ପ୍ରସାରଣ କରିଛନ୍ତି I ଏହି ଅବସରରେ ନୂତନ ଯାତ୍ରୀ ପ୍ରେଖ୍ୟାଳୟ ଓ ପଞ୍ଜିକରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ଦିନ 11:30ଟା ସମୟରେ କେନ୍ଦ୍ରରେଳ ମନ୍ତ୍ରୀ ଶ୍ୱିନ ବୈଷ୍ଣବ ଆନୁଷ୍ଠାନିକ ଭାବରେ ଯୋଗ ଦେଇ ଦଶପଲ୍ଲା ରେଳ ଷ୍ଟେସନ କୁ ଉଦ୍ଘାଟନ କରିଛନ୍ତି । ତତ୍ ସହିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କନ୍ଧମାଳ ସାଂସଦ ଡ଼ . ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା l ଆଜିଠାରୁ ଦଶପଲ୍ଲାରୁ ଭୁବନେଶ୍ୱର,ପୁରୀ ଓ ଭଦ୍ରକ କୁ ଯାତ୍ରା କରିବ ଟ୍ରେନ । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଖୋର୍ଦ୍ଧା ବଲାଙ୍ଗିର ରେଳ ଲାଇନ ଏକ ଐତିହାସିକ ପ୍ରକଳ୍ପ ।
ଦୀର୍ଘ ବର୍ଷ ଧରି କାମ ଶେଷ ହୋଇପାରିନଥିଲା । କିନ୍ତୁ କେନ୍ଦ୍ରରେ ମୋଦିଜୀଙ୍କ ସରକାର ଅସିବା ପରେ ଯୁଦ୍ଧକାଳୀନ ଭିତ୍ତି କାମ ଆଗେଇ ଚାଲିଛି। ଆଜି ଦଶପଲ୍ଲା ଯାଏଁ ରେଳଲାଇନ ସଂଯୋଗ ହୋଇଛି I ଏହା ମୋଦିଙ୍କ ସରକାରଙ୍କ ସବକା ସାଥ - ସବକା ବିକାଶର ଗ୍ୟାରେଣ୍ଟି ବୋଲି କହିଛନ୍ତି ଅଶ୍ଵିନୀ । କେନ୍ଦ୍ର ସରକାରଙ୍କ ସବୁ ଯୋଜନାରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ପଡ଼ିବ । ଏଥିପାଇଁ ଦଳୀୟ ଭାବନା ଏବଂ ରାଜନୀତିରୁ ଉପରକୁ ଉଠି କାମ କରିବାକୁ ପଡ଼ିବ । ଦଶପଲ୍ଲାରୁ ଆଗାମୀ ରଥଯାତ୍ରାରେ ସ୍ଵତନ୍ତ୍ର ଟ୍ରେନ ଚଳାଇବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । 2014 ପୂର୍ବରୁ କେନ୍ଦ୍ରରୁ ମାତ୍ର 800 କୋଟି ଟଙ୍କା ଓଡ଼ିଶାକୁ ଆସୁଥିଲା । ଏବେ 10 ହାଜର କୋଟି ଟଙ୍କା ଅନୁଦାନ ମୋଦି ଓଡ଼ିଶା ପାଇଁ ପଠାଉଛନ୍ତି । 2014 ପୂର୍ବରୁ ଓଡ଼ିଶାର ବର୍ଷକୁ ମାତ୍ର 50 କିମି କାମ ହେଉଥିଲା । ଏବେ ଓଡ଼ିଶାରେ ବାର୍ଷିକ 450 କିମି ରେଳ ଲାଇନ୍ ତିଆରି ହେଉଛି । ଆମେରିକା, ଜାପାନ ଠାରୁ ମଧ୍ୟ ଉନ୍ନତ ଧରଣର ରେଳ ଷ୍ଟେସନ ଭୁବନେଶ୍ଵରରେ ତିଆରି ହେଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି I ସେପଟେ ଆଜିଠାରୁ ଦଶପଲାକୁ ରେଳ ଚଳାଚଳ କରିଥିବାରୁ ଦଶପଲ୍ଲା ବାସୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି I
ଅଧିକ ଦେଖନ୍ତୁ: