ରାଜଧାନୀରେ ଡାଇରିଆ ପରେ ମୁଣ୍ଡ ଟେକିଲା ଜଣ୍ଡିସ: ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

Key Points
ରାଜଧାନୀରେ ଜଣ୍ଡିସ ଆତଙ୍କ
ବଢିଲା ଚିନ୍ତା, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
ଓ୍ଵାଟକୋ ମୁଣ୍ଡରେ ଦୋଷ ଲଦିଲେ ଲୋକେ
ବର୍ଷା ଆରମ୍ଭରୁ ରାଜଧାନୀକୁ ମାଡି ଆସିଲାଣି ଜଳବାହିତ ରୋଗର ଭୟ। କିଛି ଦିନ ତଳେ ରାଜଧାନୀର ଏକ ଆପାର୍ଟମେଣ୍ଟରେ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ମୁଣ୍ଡ ଟେକିଲାଣି ଜଣ୍ଡିସ୍ । ବଡଗଡ ବ୍ରିଟ୍ କଲୋନୀ ଅଞ୍ଚଳରେ ଥିବା ବିଭିନ୍ନ ଘରେ ଜଣ୍ଡିସ ବ୍ୟାପିଥିବା ଦେଖିବାକୁ ମିଳିଛି । ଏଥିପାଇଁ ଓ୍ଵାଟକୋ ମୁଣ୍ଡରେ ଦୋଷ ଲଦିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ରାସ୍ତା ଖୋଳାଯାଇ ଡ୍ରେନେଜ କାମ ଚାଲୁଥିବା ବେଳେ ଏଥିରୁ ଲିକେଜ୍ ହୋଇ ପାନୀୟ ଜଳ ଯୋଗାଣ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି ।
ସେପଟେ ଅଭିଯୋଗକୁ ଓ୍ଵାଟକୋ ପକ୍ଷରୁ ଖଣ୍ଡନ କରାଯାଇଛି । ସପ୍ଲାଏ ପାଣିରେ କୌଣସି ସମସ୍ୟା ନାହିଁ। ଲୋକଙ୍କ ଘରେ ଯେଉଁଠି ପାଣି ସଂରକ୍ଷିତ ହୋଇ ରହୁଛି, ସେଠାରେ ସମସ୍ୟା ଥାଇପାରେ ବୋଲି ଆଶଙ୍କା କରିଛି ଓ୍ଵାଟକୋ। ଏହା ବ୍ୟତୀତ ବ୍ୟକ୍ତିଗତ କିମ୍ବା ସରକାରୀ କାର୍ଯ୍ୟରେ ପାଇପ୍ ଫାଟିବା ଘଟଣା ସାମ୍ନାକୁ ଆସିଲେ, ତୁରନ୍ତ ଏହାର ମରାମତି କରାଯାଉଛି। ବେଆଇନ ଭାବରେ କିଛି ଲୋକ ପାଣି ଚୋରି କରୁଥିବାରୁ ଜଣ୍ଡିସ ପାଇଁ ସେମାନଙ୍କୁ ଦାୟୀ କରିଛି ଓ୍ଵାଟକୋ।
ଡାଇରିଆ ହେଉ ଅବା ଜଣ୍ଡିସ, ସରକାରଙ୍କ ପକ୍ଷରୁ ତୁରନ୍ତ ଏହା ଉପରେ ପଦକ୍ଷେପ ନିଆଯିବା ସହ ନିୟନ୍ତ୍ରଣ ଆଣିବାର ଆବଶ୍ୟକତା ରହିଛି।