୧୨ଦିନର ଲୀଳାଖେଳା ସାରି ନୀଳ କନ୍ଦରକୁ ବାହୁଡ଼ିଲେ ନୀଳାଦ୍ରିନାଥ

Key Points
୧୨ଦିନର ଲୀଳାଖେଳା ସାରି ନୀଳ କନ୍ଦରକୁ ବାହୁଡିଲେ ନୀଳାଦ୍ରିନାଥ
ରଥାରୂଢ଼ କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର
ଶ୍ରୀମନ୍ଦିରକୁ ଫେରି ରତ୍ନବେଦିରେ ବିରାଜମାନ ହୋଇଛନ୍ତି
ମାନବୀୟ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିଛନ୍ତି ରଥାରୂଢ଼ କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଗତକାଲି ନୀଳକନ୍ଦରକୁ ବିଜେ କରିଛନ୍ତି ମହାବାହୁ । ଘୋଷଯାତ୍ରାରେ ୧୩ଦିନ ଧରି ଜନ୍ମବେଦି ଓ ରଥ ଉପରୁ ଅଗଣିତ ଭକ୍ତଙ୍କୁ ଆଶିଷ ଢାଳିବା ପରେ ମହାପ୍ରଭୁ ଗତକାଲି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ଶ୍ରୀମନ୍ଦିରକୁ ଫେରି ରତ୍ନବେଦିରେ ବିରାଜମାନ ହୋଇଛନ୍ତି।
ଚଳିତବର୍ଷ ନୀଳାଦ୍ରି ବିଜେରେ ଚତୁର୍ଦ୍ଧା ବିଗ୍ରହଙ୍କ ବିଳମ୍ବରେ ପହଣ୍ଡି ଆରମ୍ଭ ଓ ବିଳମ୍ବରେ ପହଣ୍ଡି ଶେଷ ହୋଇଛି। ପ୍ରାୟ ୩ଘଣ୍ଟା ବିଳମ୍ବରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଶେଷ ହୋଇଛି। ଶ୍ରୀମନ୍ଦିର ଭିତରେ ବିଭିନ୍ନ ନୀତିକାନ୍ତ ବଢ଼ିବା ପରେ ଚତୁର୍ଦ୍ଧା ବିଗ୍ରହ ରତ୍ନବେଦିରେ ବିଜେ କରିଛନ୍ତି। ବିଜେ ନୀତି ସଂପନ୍ନ ପରେ ଚାରମାଳ ଫିଟା ସହ ଅନ୍ୟାନ୍ୟ କାର୍ଯ୍ୟ ଶ୍ରୀମନ୍ଦିର ଭିତରେ ସଂପନ୍ନ ହୋଇଛି। ଶ୍ରୀମନ୍ଦିର ଭେଟମଣ୍ଡପରୁ ଲକ୍ଷ୍ମୀ-ନାରାୟଣ ଭେଟ ଓ ବଚନିକା ପାଠ ପରେ ମହାପ୍ରଭୁ ରତ୍ନବେଦିକୁ ବିଜେ କରିଥିଲେ। ଭକ୍ତମାନେ ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ନୀଳାଚଳ ଅବଢା ପାଇ କୃତାର୍ଥ ହେବେ।