KISSରେ ପିଲାଙ୍କ ପାଇଁ ନାହିଁ ଭଲ ରୁମ୍ ଆଉ ଟଏଲେଟ, ସକାଳୁ ଦେଉଛନ୍ତି ଚୁଡ଼ା ଚିନି !

KIIT ପରେ ଏବେ ସାମ୍ନାକୁ ଆସିଲା KISS କେଳେଙ୍କାରୀ । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଆଉ ଏକ ସଂସ୍ଥାରେ ସାଂଘାତିକ ଅବ୍ୟବସ୍ଥା। ଆଦିବାସୀ ପିଲା ପାଠ ପଢୁଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ ବା KISSରେ କେମିତି ଘୋର ଅବ୍ୟବସ୍ଥା ରହିଛି ଏବଂ ଛାତ୍ରଛାତ୍ରୀ ଅବହେଳାର ଶିକାର ହେଉଛନ୍ତି ସେନେଇ ଆସିଛି ସାଂଘାତିକ ତଥ୍ୟ।
ଏ ବାବଦରେ ୯ ବର୍ଷ ତଳେ ରିପୋର୍ଟ ଦେଇଥିଲା ଚାଇଲ୍ଡ ୱେଲଫେୟାର କମିଟି ବା CWC । ସବୁଠାରୁ ବଡ଼ କଥା ହେଲା ୨୦୧୭ ମସିହାରେ ହିଁ ଶେଷ ଥର ପାଇଁ KISSକୁ ଯାଇଥିଲା CWC। ସେତେବେଳେ KISSରେ ଅବ୍ୟବସ୍ଥା ଓ ଛାତ୍ରଛାତ୍ରୀଙ୍କୁ ସାଘାଂତିକ ଅବହେଳା ସମ୍ପର୍କରେ ରିପୋର୍ଟ ଦେଇଥିଲା CWC ।
୨୦୧୭ର ସେହି ରିପୋର୍ଟ ଅନୁସାରେ - KISS କ୍ୟାମ୍ପସ ପରିସରରେ ରହିବା ପାଇଁ ଠିକରେ ହଷ୍ଟେଲ ସୁବିଧା ନାହିଁ । ପିଲାଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ପାଇଖାନା ନାହିଁ। ହଷ୍ଟେଲରେ ଥିବା ଟଏଲେଟ୍ ଗୁଡ଼ିକ ଭାଙ୍ଗିଯାଇଛି । ସିଙ୍ଗିଲ ବେଡ୍ରେ ଦୁଇ ଜଣ ଲେଖାଏଁ ପିଲା ଶୋଉଛନ୍ତି । ୪୦୦ ପିଲାରେ ଜଣେ ମାତ୍ର ସୁପରଭାଇଜର ଅଛନ୍ତି, ସେ ପୁଣି ତାଲିମପ୍ରାପ୍ତ ନୁହନ୍ତି । ପିଲା କେଉଁ ଦିନ କଣ ଖାଇବେ, ସେନେଇ ଖାଦ୍ୟର କୌଣସି ତାଲିକା ପ୍ରସ୍ତୁତ ହୋଇନାହିଁ। ହଷ୍ଟେଲରେ ପିଲାମାନେ କିଭଳି ରହୁଛନ୍ତି ଅନୁଧ୍ୟାନ କରାଯାଉନାହିଁ। ହଷ୍ଟେଲ୍ ରୁମ୍ ଗୁଡ଼ିକରେ ଭେଣ୍ଟିଲେସନ୍ର ବ୍ୟବସ୍ଥା ଠିକ୍ ନାହିଁ। ହଷ୍ଟେଲ୍ ରୁମ୍ ଗୁଡ଼ିକରେ କ୍ଷମତାଠାରୁ ବହୁ ଅଧିକ ପିଲାଙ୍କୁ ରଖାଯାଉଛି।
ସବୁଠାରୁ ବଡ଼ କଥା ଥିଲା ପିଲାଙ୍କୁ ଖାଇବାକୁ ସକାଳେ ଦିଆଯାଉଥିଲା କେବଳ ଚୁଡ଼ା ଆଉ ଚିନି। ସକାଳେ ଚୁଡ଼ା, ଚିନି ଖାଇ ପାଠ ପଢୁଥିଲେ ପିଲା, ଆଉ ଅପରାହ୍ନରେ ଦିଆଯାଉଥିଲା ମଧ୍ୟାହ୍ନ ଭୋଜନ। ପିଲାଙ୍କୁ କାଉନସେଲିଂରୁ ଜଣାପଡ଼ିଥିଲା ଯେ, ସେମାନେ ଗରିବ ପରିବାରର ହୋଇଥିବାରୁ ବିଭିନ୍ନ ସମୟରେ ନିଜର କଷ୍ଟକୁ ପ୍ରକାଶ କରିପାରୁନାହାଁନ୍ତି ।
ଅନ୍ୟପଟେ କିଟ୍ର ଲେଡିଜ୍ ହଷ୍ଟେଲ୍ରେ ନେପାଳୀ ଛାତ୍ରଙ୍କ ମୃତ୍ୟୁ ପରେ ଏବେ ସତେ ଯେମିତି କାହାର କୋପ ଦୃଷ୍ଟି ପଡ଼ିଛି ପ୍ରତିଷ୍ଠାତା ଅଚ୍ୟୁତ ସାମାନ୍ତଙ୍କ ଉପରେ । କାରଣ ବହୁ ଦିନରୁ ଯେଉଁ ସବୁ କେଳେଙ୍କାରୀ ଚପି ଯାଇଥିଲା ତାହା ଏବେ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଅଚ୍ୟୁତଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯିବା ସହ ତାଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କଲେଣି ଲୋକେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଭ୍ୟମାନେ ଅଚ୍ୟୁତଙ୍କ ନାଁରେ ନାରା ବାଜି କରିବା ସହ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଲେଣି । ଏମିତିକି ବିଧାନସଭାରେ ମଧ୍ୟ KIIT ପ୍ରସଙ୍ଗ ଉଠିଲାଣି । ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ ବିଧାନସଭାରେ ସିଧା ସଳଖ ଅଚ୍ୟୁତଙ୍କ ଗିରଫ ଦାବି କରିଛନ୍ତି ।
ତେବେ କୁହାଯାଉଛି ନେପାଳୀ ଛାତ୍ରୀ ପ୍ରକ୍ରିତିଙ୍କ ବାବଦରେ ସବୁ ଜାଣିଥିଲା କିଟ୍ । କାରଣ ପ୍ରକୃତି ଆଉ ଅଦ୍ୱିକ୍ ଦୁହିଁକର ବିଟେକ୍ ଥାର୍ଡ ୟିର ଥିଲା । ସକାଳ ହେଲେ କ୍ୟାମ୍ପସରେ ମିଟ୍ । ସଂଧ୍ୟା ହେଲେ କାଫେରେ ଭେଟଘାଟ । ମର୍ଣ୍ଣିଂର ଚା ଆଉ ରାତିର ଡିନର ସବୁ ଏକାଠି । ସେମ୍ ବ୍ୟାଚ୍, ସେମ୍ କଣ୍ଟ୍ରି । ବୋଧେ ବନ୍ଧୁତା ପ୍ରେମର ରୂପ ନେଇଯାଇଥିଲା । ତାପରେ ଅନ୍ତରଙ୍ଗ ଭିଡିଓ ରଖି ପୁରୁଷ ବନ୍ଧୁ କରନ୍ତି ବ୍ଲାକେ ମେଲିଂ । କଥା ପହଞ୍ଚେ କିଟ୍ର ଇଣ୍ଟରନେସନାଲ ରିଲେସନ ଅଫିସ ବା IRO ରେ । ଆଉ ତା'ପରେ ରୁମରେ ଡେଡବଡି ।
📱 Get Argus News App
✨ଆଗରୁ ସବୁ ଜାଣି ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନଥିଲା ସାମନ୍ତଙ୍କ ସଂସ୍ଥା ? ୩୪ ବିଭାଗରେ ୨୭ ହଜାର ପିଲା ୟୁନିଭର୍ସିଟରେ ପଢୁଛନ୍ତି । ୬୫ ଦେଶର ୨ ହଜାର ଷ୍ଟୁଡେଣ୍ଟ ଆଡମିଶନ କରିଛନ୍ତି । କ୍ୟାମ୍ପସରେ ପ୍ରେମ-ପ୍ରତାରଣା- ସୁଇସାଇଡ ଘଟୁଛି । ପୂର୍ବରୁ ମଧ୍ୟ ସୁଇସାଇଡ୍ କେସ୍ ଇନ୍ଫୋସିଟି ଥାନାରେ ଗଡୁଛି । କେବଳ ଗୋଟିଏ ନୁହେଁ ସମାନ ଭାବେ ଏମିତି ୧୩ ଘଟଣାର କଳଙ୍କ ବୋଳି ହୋଇଛି କିଟ ।