ମମତାଙ୍କ ପରେ ପରେ ଏଇମାନେ ଛାଡିବେ ବିଜେଡି !

Key Points
- ମମତାଙ୍କ ପରେ ପୁଣି କେଉଁମାନେ ଛାଡିବେ ବିଜେଡି ?
- ଦଳରେ ସ୍ଵାଧୀନତା ନଥିବାରୁ ଦଳ ଛାଡିଥିଲେ ମମତା
- ଏବେ ପୁଣି ଥରେ ରାଜ୍ୟସଭା ଯିବାକୁ ବିଜେପି ଦେଲା ସୁଯୋଗ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ମମତା ମହାନ୍ତ । ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ, ହେଲେ ଦଳରେ ତାଙ୍କୁ ଯେଉଁପରି ଭାବରେ ବ୍ୟବହାର କରାଗଲା...ସ୍ଵାଧୀନତା ବୋଲି କିଛି ଦିଆଗଲାନାହିଁ । ଏମିତିକି ନିଜ ପାଣ୍ଠିର ଟଙ୍କା ନିର୍ଦ୍ଧିଷ୍ଟ ଜିଲ୍ଲାରେ ବ୍ୟବହାର କରିବାକୁ ବାଧ୍ୟ କରାଯିବା ପରେ ରାଜ୍ୟସଭା ପଦ ସହ ଦଳ ଛାଡିବାକୁ ନିଷ୍ପତ୍ତି ନେଲେ ମମତା । ଖାଲି ଦଳ ଛାଡିଲେ ତାହା ନୁହେଁ ବରଂ ବବି କେମିତି ନିଜ କଥା ମାନିବାକୁ ବାଧ୍ୟ କରୁଥିଲେ ତାହା ବି ଗୁମର ଖୋଲିଲେ । ଯେହେତୁ ଲୋକସଭାରେ ବିଜେଡିର ସଂଖ୍ୟା ଶୂନ ରହିଛି, ତେଣୁ ରାଜ୍ୟସଭାରେ କେନ୍ଦ୍ରକୁ ଟାର୍ଗେଟ୍ କରିବାକୁ ପ୍ଲାନ କରିଥିଲା ଦଳ । ହେଲେ ରାଜ୍ୟସଭାରୁ ମମତା ଯିବା ପରେ ବିଜେଡି ଓ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢିଥିଲା । ଆଉ ଏହାରି ଭିତରେ ଗତକାଲି ରାଜ୍ୟସଭା ଲାଗି ପୁଣି ଥରେ ନାମାଙ୍କନ ଭରିଛନ୍ତି ମମତା ।
କୁଡୁମୀ ସମାଜକୁ ବଡ଼ ପ୍ରତିନିଧିତ୍ଵ । ଓଡିଆ ଅସ୍ମିତାକୁ ଆଉ ଏକ ବଡ ସ୍ଵୀକୃତି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ମମତା ମହାନ୍ତ । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧିବଦ୍ଧ ଭାବେ ଦୁଇ ସେଟ୍ ନାମାଙ୍କନ ଭରିଛନ୍ତି ମମତା । ବିଧାନସଭାରେ ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଦଳର ବିଧାୟକ, ସାଂସଦ ଏବଂ ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ଡମି କ୍ୟାଣ୍ଡିଡେଟ୍ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି ।
ବିଜେଡିର ସବୁଠାରୁ ବଡ଼ ଶକ୍ତି, ରାଜ୍ୟସଭାରେ ଦଳର ଥିଲେ ୯ ସାଂସଦ । ହେଲେ ଲୋକସଭାରେ ଦଳର ସଂଖ୍ୟା ଶୂନ ହେବା ପରେ ରାଜ୍ୟସଭା ବିଜେଡି ଶକ୍ତିର ଆଧାର ଥିଲା । ମମତା ମହାନ୍ତଙ୍କ ଏକ୍ କମିଲା, ସଂଖ୍ୟା ପହଞ୍ଚିଲା ୮ରେ । ବିଶେଷଜ୍ଞଙ୍କ ଆଗୁଆ ଆକଳନ, ମମତାଙ୍କ ପଦ ଅନୁସରଣ କରିପାରନ୍ତି ଦଳର ଆହୁରି ଅନେକ ରାଜ୍ୟସଭା ସାଂସଦ । ଦଳ ଓ ସାଂସଦ ସଦସ୍ୟ ପଦ ଛାଡିବା ବେଳେ ମମତା ଆଣିଥିଲେ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ । ନିଜ ସାଂସଦ ହାତପାଣ୍ଠିକୁ ନିଜ ଜିଲ୍ଲା ଓ କୁଡମୀ ସମାଜ ପାଇଁ ଖର୍ଚ୍ଚ କରିବା ବଦଳରେ ବବି-ପାଣ୍ଡିଆନଙ୍କ ଇଚ୍ଛାରେ ଯାଜପୁର ଜିଲ୍ଲାରେ ଲାଗୁଥିଲା ତାଙ୍କ ହାତ ପାଣ୍ଠି ।
📱 Get Argus News App
✨ଅନ୍ୟପଟେ ବିଜେଡିର ସାଂଗଠନିକ ସ୍ଥିତିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ମମତାଙ୍କ ପରେ ଆହୁରି ଆସୁଛନ୍ତି । ବିଜେଡ଼ିର ଅନେକ ପୂର୍ବତନ ବିଧାୟକ, ସାଂସଦ ବିଜେପି ସମ୍ପର୍କରେ ଅଛନ୍ତି । ଅନେକ ବର୍ତ୍ତମାନର ବିଧାୟକ ସାଂସଦ ବି ସମ୍ପର୍କରେ ଅଛନ୍ତି । ସେପଟେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି ।
ମୋଟ୍ ଉପରେ, ନିର୍ବାଚନ ହାରିବା ପରେ ବିଜେ଼ଡିର ଏବେ ଟେନସନ ବଢିବାରେ ଲାଗିଛି । କାରଣ ଅନେକ ବରିଷ୍ଠ ନେତା ଦଳ ଛାଡିଥିବା ବେଳେ ଆଗାମୀ ଦିନରେ ଆହୁରି ନେତା ଦଳ ଛାଡିବେ । ତେଣୁ ସ୍ଥିତି ଯଦି ଏମିତି ଲାଗି ରହେ ଆଗାମୀ ଦିନରେ ଦଳ କାହାକୁ ନେଇ ସଂଗଠନ କରିବ ତାହାକୁ ନେଇ ଚର୍ଚ୍ଚା ।