ଜନ୍ମବେଦୀରେ ଲୀଳାଖେଳା ସାରି ରତ୍ନ ବେଦୀକୁ ଫେରିଲେ ମହାପ୍ରଭୁ

Key Points
ଶୃଙ୍ଖଳିତ ଭାବେ ଚାଲିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି
ଝୁଲି ଝୁଲି ଆସୁଛନ୍ତି ମହାପ୍ରଭୁ ଜଗନ୍ନାଥ
ଶୃଙ୍ଖଳିତ ଭାବେ ଚାଲିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ଜନ୍ମବେଦୀରେ ଲୀଳାଖେଳା ସାରି ନୀଳ କନ୍ଦରକୁ ଆଜି ବାହୁଡିଲେ ନୀଳାଦ୍ରୀନାଥ । ବଡ଼ ଓଡ଼ିଆ ମଠ ମହନ୍ତ ବଂଶୀଧର ଗୋସ୍ୱାମୀ ମହାରାଜ ପଶ୍ଚିମ ଦ୍ବାରରେ ପ୍ରବେଶ କରି ସିଂହାସନ ମାର୍ଜଣା ନୀତି ସମ୍ପର୍ଣ୍ଣ କରିଛନ୍ତି । ଚନ୍ଦନ, କର୍ପୂର, କେଶର, କସ୍ତୁରୀ ଦିବ୍ୟ ପଦାର୍ଥ ମିଶ୍ରଣ ହୋଇ ଗୋଟିଏ କୁଡିଆରେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନର ଚକା ଏବଂ କାନ୍ଥରେ ପ୍ରଲେପ ଦିଆଯାଇ ସଂସ୍କାର କରାଯାଏ । ଏହାପରେ ବନ୍ଦାପନା ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହୋଇଥାଏ ।
କାଳିଆ ସାଆନ୍ତଙ୍କ ପହଣ୍ଡିବେଳେ ଦେଖିବାକୁ ମିଳିଥାଏ ଆଉ ଏକ ମାନବୀୟ ଲୀଳା । ଝୁଲି ଝୁଲି କରି ମହାପ୍ରଭୁ ଜଗନ୍ନାଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା କ୍ଷଣି ସିଂହଦ୍ୱାର କବାଟ ବନ୍ଦ କରିବେ ମା ଲକ୍ଷ୍ମୀ ସାଆନ୍ତାଣୀ । ନିଜ ଧର୍ମପତ୍ନୀଙ୍କୁ ବୁଝାସୁଝା କରି ମାନଭଞ୍ଜନ କରିବା ପାଇଁ ରସଗୋଲା ଭୋଗ ସହ ପାଟବସ୍ତ୍ର ଦେବା ପରେ କବାଟ ଖୋଲି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେବେ ମା' ଲକ୍ଷ୍ମୀ । ମହାପ୍ରଭୁଙ୍କ ଏହି ଅନନ୍ୟ ଲୀଳାକୁ ଦେଖି ଭକ୍ତର ମନ ଖୁସିରେ ନାଚି ଉଠିବା ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠେ ବଡଦାଣ୍ଡ । ଆସନ୍ତାକାଲି ବାହାରିବ ପ୍ରଥମ ନୀଳାଚଳ ଅବଢା ।