ରାଜା ପରେ ଏବେ ଆଉ ଜଣେ ମୁଖ୍ୟ କାର୍ପଟଦାର ପଡ଼ିଛି EOW ପଞ୍ଝାରେ

ଖୋଲୁଛି ରାଜା ଚକ୍ର ଓ ସହଯୋଗୀଙ୍କ ଗୋଟିଏ ପରେ ଗୋଟେ କଳା ଚିଠା । ଗନ୍ଧମାର୍ଦ୍ଧନ କୋପରେଟିଭ୍ ସୋସାଇଟି ଦୁର୍ନୀତି ମାମଲାରେ EOWର ତନାଘନା ପରେ ଦୁର୍ନୀତିର ଦ୍ବିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ ସାମଲକୁ EOW ପକ୍ଷରୁ ଜେରା କରାଯାଇଛି । ରାଜା ସହ ମିଶି ସୋସାଇଟି ଅଫିସ ଉପରେ ସୁଶାନ୍ତ କରିଥିଲା କବଜା । ଶ୍ରମିକ ଓ ସ୍ଥାନୀୟ ବାସିନ୍ଦାଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ କରିଥିଲେ ହଡପ୍ । ବବି- ପାଣ୍ଡିଆନଙ୍କ ଛତ୍ରଛାୟାରେ ରାଜା ଓ ସୁଶାନ୍ତ ଦେଖାଉଥିଲେ ବହପ ।
EOW ସ୍କାନରରେ ବିଜେଡି ନେତା ରାଜା ଚକ୍ର ଓ ସହଯୋଗୀଙ୍କ କଳା କାରନାମା। ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଧନ କୋପରେଟିଭ୍ ଲୋଡିଙ୍ଗ ସୋସାଇଟି ଘୋଟାଲର ଦ୍ବିତୀୟ ମୁଖ୍ୟ କାର୍ପଟଦାର ସୁଶାନ୍ତ ସାମଲ ଓରଫ ବାବୁଲାକୁ ଜେରା କରିଛି ଅର୍ଥନୈତିକ ଅପରାଧିକ ଶାଖା। କେନ୍ଦୁଝର ଶୁଆକାଟୀ ସ୍ଥିତ OMC ଗନ୍ଧମାର୍ଦ୍ଦନ ଖଣିର ପ୍ରଭାବିତ ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ବିକାଶ ପାଇଁ ଗଠନ ହୋଇଥିଲା ଗନ୍ଧମାର୍ଦ୍ଦନ କୋ-ଅପରେଟିଭ୍ ଲୋଡିଙ୍ଗ ସୋସାଇଟି। ଅଭିଯୋଗ ହୋଇଛି ଏହି ସୋସାଇଟି ଉପରେ କବଜା କରି ବିକାଶ ପାଇଁ ଆସୁଥିବା ଅର୍ଥ ହଡପ କରିଥିଲା ରାଜ୍ ଚକ୍ର। ଏଥିରେ ତାର ମୁଖ୍ୟ ସହଯୋଗୀ ଥିଲା ସୁଶାନ୍ତ ସାମଲ । ଯିଏକି ୨୦୧୦/୧୧ରେ ଖଣି ଚୋରି ମାମଲାରେ ଗିରଫ ହୋଇଥିଲା।
ରାଜା ସହ ମିଶି ସୋସାଇଟି ଉପରେ କବଜା କରିବାକୁ ସୁଶାନ୍ତ କରିଥିଲା ଚକ୍ରାନ୍ତ। ଆଉ ଏଥିରେ ସହଯୋଗ କରିଥିଲେ ବିଜେଡିର ସେତେବଳର କ୍ଷମତାଶାଳୀ ନେତା ବବି ଦାସ । ବବିଙ୍କ ଛତ୍ରଛାୟାରେ ରହି ସୋସାଇଟି ଅର୍ଥକୁ ହଡ଼ପ କରିଥିଲେ ରାଜା ଓ ସୁଶାନ୍ତ। ଏଥିରେ ଉଭୟଙ୍କୁ ଭରପୁର ସହଯୋଗ କରିଥିଲେ ତତକାଳୀନ କେନ୍ଦୁଝର ଏସପି ଓ ଜିଲ୍ଲାପାଳ। ସୋସାଇଟିର ଯେଉଁ ସଦସ୍ୟମାନେ ରାଜାକୁ ବିରୋଧ କରିଥିଲେ ସେମାନଙ୍କୁ ମିଛ ମାମଲାରେ ଫଶାଇ ଗିରଫ କରାଯାଉଥିଲା। ଯାହାର ସୁଯୋଗ ନେଇ ସୁଶାନ୍ତ ସୋସାଇଟି ଅଫିସକୁ ନିଜ ଘରକୁ ଉଠାଇ ନେଇଥିଲା। EOW ଏ ସମସ୍ତ ପ୍ରସଙ୍ଗରେ ସୁଶାନ୍ତକୁ ଜେରା କରିଥିବା ଜଣାପଡ଼ିଛି।
ଅଭିଯୋଗ ହୋଇଛି ଏକଦା ରେଡିଓ ମେକାନିକ ଭାବେ କାମ କରୁଥିବା ରାଜା ଚକ୍ର ବବି- ପାଣ୍ଡିଆନଙ୍କ ଛତ୍ରଛାୟାରେ ରହି ମାତ୍ର କିଛିବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସମ୍ପତ୍ତିର ହୋଇଥିଲା ଅଧିକାରୀ। କେନ୍ଦୁଝର ଜିଲାର ଖଣି କାରବାରରେ ନିଜର କାୟା ବିସ୍ତାର କରି କରୁଥିଲା ରାଜ୍। ସେତିକିରେ ସୀମିତ ରହିଲାନି ରାଜାର କାରନାମା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିକୁ କରାୟତ୍ତ କରି କୋଟି କୋଟି ଟଙ୍କାର ଘୋଟାଲା କରିଥିଲା ରାଜା । ଏହି ଲୁଟ ଅର୍ଥରେ ଅଏସ କରୁଥିଲେ ରାଜା ଓ ତାର ସହଯୋଗୀ। ଗୋପାଳପୁର ଜଙ୍ଗଲଜମିରେ ଥିବା ରାଜାର ଆଲିସାନ ଫାର୍ମ ହାଉସ ତାର ବଡ଼ ପ୍ରମାଣ। ଯେଉଁଥିରେ ରହିଛି ତାରକା ହୋଟେଲ ଭଳି ବିଳାସର ସୁବିଧା।
ପୂର୍ବରୁ EOW ରାଜା ଚକ୍ରର ସହଯୋଗୀ ସମୀର କୁମାର ଜେନା ଓ କଣ୍ଟ୍ରାକ୍ଟର ସୁଧାଂଶୁ ଶେଖର ନାୟକଙ୍କୁ 8 ଘଣ୍ଟା ଧରି ଜେରା କରିଥିଲା ଆଜି ରାଜାର ଅନ୍ୟତମ ସହଯୋଗୀ ସୁଶାନ୍ତ ସାମଲ ସହ ତାର କାରବାର ବୁଝୁଥିବା ପ୍ରଭାତ ପଟ୍ଟନାୟକକୁ ମଧ୍ୟ ଜେରା କରିଛି ଅର୍ଥନୈତିକ ଅପରାଧ ଶାଖା। ଏବେ ପ୍ରଶ୍ନ ରାଜା ଚକ୍ରର ଗଡଫାଦରମାନେ କେବେ ଆସିବେ ତଦନ୍ତ ପରିସରକୁ ।