୫୦ ମିଟର ଗଡ଼ିବା ପରେ ହଠାତ୍ ୨୦ ମିନିଟ୍ ଅଟକି ଗଲା ବାଡ଼ ଠାକୁରଙ୍କ ରଥ

Key Points
ବଡ଼ ଠାକୁରଙ୍କ ରଥର ମନ୍ଥର ଗତି।
ଅତି ଧୀରେ ଧୀରେ ଆଗକୁ ଗଡ଼ିଥିଲା ତାଳଧ୍ବଜ ।
ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା ସମସ୍ତ ନୀତିକାନ୍ତି।
ଆରମ୍ଭ ହେଲା ଲୀଳାମୟ ଠାକୁରଙ୍କ ନବଦିନାତ୍ମକ ଯାତ୍ରା । ଘଣ୍ଟ ଘଣ୍ଟା ଧ୍ବନି ମଧ୍ୟରେ ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣିଲେ ଭକ୍ତ । ସ୍ଥିରିକୃତ ନୀତିନିର୍ଘଣ୍ଟ ଅନୁସାରେ ସମ୍ପନ୍ନ ହୋଇଛି ସମସ୍ତ ନୀତିକାନ୍ତି । ହେଲେ ଏପର୍ଯ୍ୟନ୍ତ ଶରଧାବାଲିରେ ପହଂଚିପାରିଲାନି ଗୋଟିଏ ବି ରଥ । ସେପଟେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ବ୍ୟବସ୍ଥିତ କରିବା ପାଇଁ ପୋଲିସ ପକ୍ଷରୁ କରାଯାଇଛି ଅଭୂତ ପୂର୍ବ ବ୍ୟବସ୍ଥା ।
ନିର୍ବିଘ୍ନରେ ଅନୁଷ୍ଠିତ ହୋଇଛି ବିଶ୍ବନିୟନ୍ତାଙ୍କ ଚଳିତ ବର୍ଷର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଅନୁକୁଳ ପାଗ ଏଥର ରଥଯାତ୍ରାକୁ ଆସିଥିବା ଭକ୍ତଙ୍କ ପାଇଁ ଥିଲା ବଡ଼ ଆଶ୍ବସ୍ତି । ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଥିଲେ ବି କୌଣସି ରଥ ଆଜି ଶରଧା ବାଲିରେ ପହଞ୍ଚିପାରିଲାନି । କାରଣ ଥିଲା ବଡ଼ ଠାକୁରଙ୍କ ରଥର ମନ୍ଥର ଗତି। ଅତି ଧୀରେ ଧୀରେ ଆଗକୁ ଗଡ଼ିଥିଲା ତାଳଧ୍ବଜ ।
ଗୋଟିଏ ସମୟରେ ମାତ୍ର ୫୦ ମିଟର ଗଡ଼ି, ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ପ୍ରାୟ ୨୦ ମିନିଟ୍ କାଳ ଅଟକି ଯାଇଥିଲା ତାଳଧ୍ବଜ । ୧୬ ଥର ରଥକୁ ଟାଣିବାକୁ ପ୍ରୟାସ ସତ୍ତ୍ବେ ଆଗକୁ ଇଞ୍ଚେମାତ୍ର ହଲି ନଥିଲା ବଳଭଦ୍ରଙ୍କ ରଥ। ପରେ ଅତି ଧୀରେ ଧୀରେ ଆଗକୁ ବଢ଼ିଥିଲା ପ୍ରଥମ ରଥ। ଯେଉଁଥିପାଇଁ ଦେବୀ ସୁଭଦ୍ରା ଓ ମହାପ୍ରଭୁଙ୍କ ରଥ ଟଣା ବିଳମ୍ବିତ ହୋଇଥିଲା। ଅପରାହ୍ନ ପ୍ରୟ ସାଢେ ୫ଟା ପାଖାପାଖି ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା। ଏସବୁ ସତ୍ତ୍ବେ ବଡ଼ଦାଣ୍ଡରେ ରଥାଋଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରି ଧନ୍ୟ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଯୋଗୁଁ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା ସମସ୍ତ ନୀତିକାନ୍ତି।
ବିଶ୍ବନିୟନ୍ତାଙ୍କର ଏହି ଅଦ୍ଭୁତ ଲୀଳା ଦେଖିବାକୁ ପୁରୀରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ତେଣୁ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ବ୍ୟବସ୍ଥିତ କରିବା ପାଇଁ ଏଥର ପୋଲିସ ପକ୍ଷରୁ କରାଯାଇଛି ଅଭୂତ ପୂର୍ବ ବ୍ୟବସ୍ଥା । ଚଳିତ ରଥଯାତ୍ରାରେ ସର୍ବାଧିକ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଏସ୍ଏଫ୍, ରାପିଡ ଆକ୍ସନ ଫୋର୍ସ, ବମ ସ୍କ୍ବାର୍ଡ ଓ ଡଗ୍ ସ୍କ୍ବାର୍ଡ ସହ ସିସିଟିଭି ସର୍ଭେଲାନ୍ସର ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ପୁରୀରେ କାର୍ଯ୍ୟକ୍ଷମ ହୋଇଛି ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଭୁବନେଶ୍ଵର-ପୁରୀ ଓ ପୁରୀ- କୋଣାର୍କ ରାସ୍ତା ସହିତ ପୁରୀ ସହରରେ ୨୭୫ଟି AI କ୍ୟାମେରା ଲଗାଯାଇଛି । ଏଥିସହ ଆଣ୍ଟି ଡ୍ରୋନ ବ୍ୟବସ୍ଥା, ଡଗ ସ୍ବାର୍ଡ ଓ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ ମଧ୍ୟ ମୁତୟନ ହୋଇଛନ୍ତି ।
ସ୍ଥିରିକୃତ ନୀତିନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ସକାଳ ୭.୧୫ରେ ମଙ୍ଗଳ ଆଳତି ପରେ ନିର୍ଦ୍ଧାରତ ସମୟ ଅନୁସାରେ ମଇଲମ ଓ ତଡ଼ପଲାଗି ନୀତି, ଅବକାଶ ପୂଜା, ସୂର୍ଯ୍ୟ ପୂଜା, ଗୋପାଳବଲ୍ଲଭ ଓ ସକାଳ ଧୂପ ଓ ମଙ୍ଗଳାର୍ପଣ ପରେ ୧୦ଟା ୧୫ରେ ଆରମ୍ଭ ହୋଇଥିଲା ପହଣ୍ଡି। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ଦେବୀ ସୁଭଦ୍ରା ବିଜେ କରିଥିଲେ ରଥକୁ।
ଏହାପରେ ରଥକୁ ବିଜେ କରିଥିଲେ ବଡ଼ ବାଡ଼ ସାମନ୍ତ ପ୍ରଭୁ ବଳଭଦ୍ର। ଆଉ ଶେଷରେ ଟାହିଆ ହଲାଇ ସିଂହଦ୍ବାର ଦେଇ ବାହାରକୁ ଆସିଥିଲେ କାଳିଆ ସାଆନ୍ତ । ସାଢେ ୧୨ ସୁଦ୍ଧା ଶେଷ ହୋଇଥିଲା ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ବିଜେ । ଏହାପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରଥକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଶ୍ରୀନଅରରୁ ତାମଜାନରେ ରଥ ନିକଟକୁ ଆସିଥିଲେ ଗଜପତି ମହାରାଜା । ତିନିରଥରେ ଛେରାପହଁରା ସରିବା ପରେ ଅପରାହ୍ନ ୪ ଟା ୮ ରେ ପ୍ରଥମେ ଆରମ୍ଭ ହୋଇଥିଲା ବଡ଼ଠାକୁର ବଳଭଦ୍ରଙ୍କ ରଥଟଣା ।