Odisha Politics / ଯାହାକୁ ସୁଯୋଗ ମିଳୁଛି ସିଏ ନାଦି ଦେଉଛି !

Key Points
ଆପଣାର ବସ୍ତ୍ର କାହାକୁ ଦେଲେ ଆଉ ତାହାର ପରିଣାମ କଣ ହେଲା ସମସ୍ତେ ଜାଣୁଛନ୍ତି ।
ଏମିତି ଆଉ କେତେ ଦିନ ତିଷ୍ଠିବ ବିଜେଡି । ଜଣକ ପରେ ଜଣେ ନେତା ଦଳୀୟ ନେତୃତ୍ୱଙ୍କୁ କରୁଛନ୍ତି ଟାର୍ଗେଟ୍ । ଯିଏ ଟିକେ ସୁଯୋଗ ପାଉଛି, ଦି ପଦ ନାଦି ଦେଉଛି । କଥାରେ ଅଛି ନା, 'ନଇଁ ପଡ଼ିଥିବୁ ଯେତିକି ବେଳେ, ବିଧାଏ ମାରିବୁ ସେତିକି ବେଳେ' । ଠିକ୍ ସେମିତି ବିଜେଡି ସତ୍ତା ହରାଇବା ପରେ ଏବେ ଆଉ ଦଳୀୟ ନେତୃତ୍ୱଙ୍କ କଣ୍ଟ୍ରୋଲରେ ନାହାନ୍ତି ନେତା । ଦୀର୍ଘ ବର୍ଷର ପୁଞ୍ଜିଭୂତ ଅସନ୍ତୋଷକୁ, ସୁଯୋଗ ଦେଖି ପ୍ରକାଶ କରୁଛନ୍ତି । ପ୍ରଥମେ ଶ୍ରୀମୟୀଙ୍କ ପରେ ଏଲିନା । ତାପରେ ଭୁବନେଶ୍ୱରର ଯୁବ ନେତା ଅଜିତ ବେହେରା । ଆଉ ଏବେ ବରିଷ୍ଠ ନେତା ସ୍ୱର୍ଗତ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ।
ନୂଆପଡ଼ାରେ ବିଜେଡିର ବିପର୍ଯ୍ୟୟ ପରେ ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ ଦେଇଛନ୍ତି ବିସ୍ଫୋରକ ବୟାନ । ସେ ସିଧା ସିଧା କହିଛନ୍ତି, 'ଏରା ଗେରାଙ୍କୁ ପ୍ରଚାର ଦାୟିତ୍ୱ ଦେବା, ଦଳ ପାଇଁ ଭାରି ପଡ଼ିଲା । ଯେଉଁମାନେ ନିର୍ବାଚନ ପ୍ରଚାରରେ ଯାଇଥିଲେ ସେମାନଙ୍କୁ ପଠାଇଥିଲା କିଏ ? ସେ ଲିଷ୍ଟ କିଏ ତିଆରି କରିଥିଲା ? ଯେଉଁମାନେ ନିଜ ଦାୟିତ୍ୱ ଠିକ ସେ କରି ନାହାନ୍ତି । ସେହିଭଳି ଦାୟିତ୍ବ ହୀନ ଲୋକକୁ ପଠେଇଥିଲା କିଏ' ?
ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, 'ଦଳ ଚିନ୍ତା କରିବା ଦରକାର କେଉଁମାନେ ଗଲେ ଓ କାହାକୁ ଦାୟିତ୍ୱ ଦେଲେ ସେମାନେ ସୁଚାରୁ ରୂପେ କରିପାରିବେ । ବିପର୍ଯ୍ୟୟର କାରଣ ଖୋଜିବାକୁ ସମୀକ୍ଷା ନିହାତି ଆବଶ୍ୟକ । କଣ ପାଇଁ ଆମେ ତୃତୀୟ ସ୍ଥାନକୁ ଆସିଲୁ । ୟାକୁ ନେଇ ବର୍ତ୍ତମାନ କର୍ମୀଙ୍କ ଭିତରେ ଦୁଃଖ ଓ ଅସନ୍ତୋଷ ବଢୁଛି । ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତାମାନେ ଏହାର ସମୀକ୍ଷା କରନ୍ତୁ, ଯେଉଁମାନେ ଦାୟିତ୍ୱରେ ଥିଲେ ସେମାନଙ୍କ କେଉଁଠି ଲାକୁନା ରହିଲା ଆଲୋଚନା କରାଯାଉ । ଆପଣା ବସ୍ତ୍ର ପରକୁ ଦେଇ ଶିବ ଚାଲିଲେ ଲଙ୍ଗଳା ହୋଇ । ଆପଣାର ବସ୍ତ୍ର କାହାକୁ ଦେଲେ ଆଉ ତାହାର ପରିଣାମ କଣ ହେଲା ସମସ୍ତେ ଜାଣୁଛନ୍ତି । ଶାରୀରିକ ଅସୁସ୍ଥତା ସତ୍ତ୍ବେ ନବୀନ ବାବୁ ଦୁଇ ଦୁଇ ଥର ଗଲେ ଫଳ କଣ ହେଲା ସମସ୍ତେ ଜାଣିଲେ' ।
ତେବେ ଏଠି ପ୍ରଶ୍ନ, କାହାକୁ ଏରା ଗେରା କହିଲେ ସମ୍ବିତ । କେଉଁ ନେତାଙ୍କୁ କରିଛନ୍ତି ଟାର୍ଗେଟ୍ । ଗଣମାଧ୍ୟମ ପାଖରେ ଯେଉଁ ଖବର ରହିଛି, ନୂଆପଡ଼ା ଉପନିର୍ବାଚନ ଦାୟିତ୍ୱରେ ଥିଲେ ବିଜେଡିର ଅନେକ ବରିଷ୍ଠ ନେତା । ସେଥିମଧ୍ୟରୁ ବବି ଦାସ, ଦେବୀ ମିଶ୍ର, ଅରୁଣ ସାହୁ, ପ୍ରୀତିରଞ୍ଜନ ଘଡ଼େଇ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା । ଏମିତି ପ୍ରାୟ ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଥିଲା ବିଜେଡି। ଯେଉଁଥିରେ ଏକ ନମ୍ବରରେ ଥିଲେ ନବୀନ ପଟ୍ଟନାୟକ ଆଉ ଦୁଇ ନମ୍ବରରେ ଥିଲା ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ । ତେବେ ଏହି ନେତା ମାନଙ୍କ ମଧ୍ୟରୁ କାହାକୁ ଟାର୍ଗେଟ କରିଛନ୍ତି ସମ୍ବିତ । କାହାକୁ କହିଛନ୍ତି ଏରାଗେରା । ତାଙ୍କର ଏଭଳି ମନ୍ତବ୍ୟ ପରେ ବିଜେଡି ଶିବିରରେ ପୁଣି ଅଡ଼ୁଆ ପାରିସ୍ଥିତି ସୃଷ୍ଟି ହେଲାଣି ।
ସମ୍ବିତଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜନୀତି ବିଶେଷଜ୍ଞମାନେ କହନ୍ତି, ବିଜେଡିରେ ଯଦି ଏମିତି ଚାଲେ, ଏହି ଦଳ ଆଉ କେତେ ଦିନ ତିଷ୍ଠିବ ? କେବଳ ନବୀନ ପଟ୍ଟନାୟକଙ୍କ ନାଁ ନେଇ ଦଳ କେତେ ଦିନ ଏମିତି ଘୁସୁରିବ । ଏଠି ଆଉ କେହି କାହାକୁ ମାନିବାକୁ ନାରାଜ ।
📱 Get Argus News App
✨Related Topics
Explore more stories