ଏମିତି ବି ଆସେ ମୃତ୍ୟୁ ,ବୋହୁ ପରେ ଚାଲିଗଲା ଶାଶୁ

ଏମିତି ବି ଆସେ ମୃତ୍ୟୁ । ଗୋଟିଏ ପରିବାରର ଚାଲିଗଲା ୨ ଦୁଇ ଜଣଙ୍କ ଜୀବନ । ପ୍ରଥମେ ବୋହୁ ପରେ ଶାଶୁ । ମାତ୍ର କିଛି ସମୟ ବ୍ୟବଧାନରେ ଏମିତି କିଛି ଘଟିଗଲା ଯାହାକୁ ନେଇ ପୁରା ପରିବାର ସ୍ତବ୍ଧ । ଘରକୁ ସମ୍ଭାଳୁଥିବା ୨ ଦୁଇଟା ସ୍ତ୍ରୀଲୋକ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲଗଲେ । ପଣତକାନୀ ଶୂନ୍ୟ ହୋଇଗଲା ପରିବାର । ଭୋ ଭୋ ହୋଇ କାନ୍ଦୁଛି ପୁଅ । ଏକା ସାଙ୍ଗରେ ନିଜର ସ୍ତ୍ରୀ ଆଉ ମାଆକୁ ହରାଇ କଷ୍ଟକୁ ନା ସେ ସହି ପାରୁଛି ନା ଛାତିର କୋହକୁ ଦେଖାଇ ପାରୁଛି । ଆଉ ବାପାର ମୁଣ୍ଡ ଠିକ ନଥିବାରୁ ସେ କିଛି କହିପାରୁନାହାନ୍ତି ।
ବୋହୁର ମୃତ୍ୟୁ ଦେଖି ସହିପାରିଲେନି ଶାଶୁ । ମାତ୍ର କିଛି ସମୟ ଭିତରେ ତାଙ୍କର ମଧ୍ୟ ହୃଦଘାତରେ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା, ଯାହା ଦେଖିବାକୁ ମିଳିଛି ବଲାଙ୍ଗିର ସହର ଇନ୍ଦିରାନଗର ଅଂଚଳରେ । ପରିବାରର ଗୌରହରୀ ସାହୁ ବାହାରକୁ କୌଣସି କାମରେ ଯାଇଥିବା ବେଳେ ଘରେ ଥିଲେ ତାଙ୍କର ପତ୍ନୀ ଆନନ୍ଦିନୀ , ଶାଶୁ ଜମ୍ବୁବତୀ ଏବଂ ତାଙ୍କର ବାପା । ହେଲେ କାମ ସାରି ଫେରିଲା ବେଳକୁ ନିଜ ସ୍ତ୍ରୀଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଆଉ ସାଙ୍ଗେ ସାଙ୍ଗେ ବୋହୂକୁ ଏମିତି ଅବସ୍ଥାରେ ଦେଖି ଶାଶୁଙ୍କର ହୃଦଘାତରେ ଚାଲି ଯାଇଥିଲା ଜୀବନ ।ତେବେ ବୋହୁ କାହିଁକି ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଥିବା ବେଳେ ବୋହୁକୁ ଯୌତୁକ ନିର୍ଯ୍ୟାତନାରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ ।
ଦୀର୍ଘ ୧୧ ବର୍ଷ ତଳେ ଗୌରହରୀଙ୍କୁ ବିବାହ କରିଥିଲେ ଆନନ୍ଦିନୀ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲ ଥିବା ମଧ୍ୟ ପ୍ରକାଶ କରିଛନ୍ତି ଗୌରହରୀ । କେବେ ଟଙ୍କା ପଇସାରେ ଅଭାବ ରଖିନାହାନ୍ତି । ହେଲେ ଆତ୍ମହତ୍ୟା କେଉଁ କାରଣ ନେଇ ସେ କରିଛନ୍ତି, ତାହା ସେ ଜାଣିନଥିବା ପ୍ରକାଶ କରିଛନ୍ତି ।
ସେପଟେ ପରିବାର ଲୋକେ ଯୌତୁକ ଯୋଗୁ ହତ୍ୟା କରାଯାଇଥିବା ପୋଲିସକୁ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଟାଉନ ଥାନା ପୋଲିସ ପକ୍ଷରୁ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ ହୋଇଛି ।