ବାତ୍ୟା `ଦାନା' ପରେ ଏବେ ଦାଉ ସାଧୁଛି ବନ୍ୟା

Key Points
- ଘର ଭିତରେ ପାଣି, ବାହାରେ ପାଣି
- ବାତ୍ୟା `ଦାନା' ପରେ ଏବେ ଦାଉ ସାଧୁଛି ବନ୍ୟା
- ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି
- ବାଲେଶ୍ବର, ଭଦ୍ରକରେ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ
ଅର୍ଗସ ବ୍ୟୁରୋ: ବାତ୍ୟା ଦାନାର ତାଣ୍ଡବ ପରେ ଏବେ ଦାଉ ସାଧୁଛି ବନ୍ୟା । ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ବାହାନଗା, ସୋର, ବାଲିଆପାଳ, ବସ୍ତା, ଭୋଗରାଇ ବ୍ଲକର ବିଭିନ୍ନ ଗାଁରେ ପଶିଛି ବନ୍ୟା ପାଣି । ସହରାଞ୍ଚଳରେ ମଧ୍ୟ ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଜିଲ୍ଲାର ପ୍ରାୟ ସବୁ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ, କାଂଶବାଂଶ, ସୋନରେ ପାଣି ବଢୁଥିବାରୁ ଛାନିଆ ନଦୀ କୁଳିଆ ଲୋକେ । ସ୍ଥିତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଓ ବିଧାୟକ ।
ବାଲେଶ୍ବର ଭଳି ଭଦ୍ରକରେ ବନ୍ୟା ସ୍ଥିତି ଗମ୍ଭୀର । ଲଗାଣ ବର୍ଷା ଯୋଗୁଁ ଲୋକଙ୍କ ଘରେ ପଶିଛି ପାଣି। ଭଦ୍ରକ ସହରାଞ୍ଚଳ ସହ ସହର ନିକଟବର୍ତ୍ତୀ, ଗେଲପୁର, କୋର୍କରା, ହରିପୁର, ଅର୍ଣ୍ଣପାଳ ଆଦି ପଞ୍ଚାୟତର ବହୁ ଗାଁ ବନ୍ୟାପ୍ଲାବିତ ହୋଇଛି । ଲୋକଙ୍କ ଘରେ ପାଣି ପଶିଥିବାବେଳେ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଭଦ୍ରକ ସଦର ବିଧାୟକ ଲୋକଙ୍କ ପାଖରେ ପହଞ୍ଚି ରିଲିଫ୍ ବାଣ୍ଟିଛନ୍ତି । ପୂର୍ବାଞ୍ଚଳ DIG, ଭଦ୍ରକ ଏସ୍ପି ଓଡ୍ରାଫ୍ ଟିମ୍ ସହାୟତାରେ ବନ୍ୟା ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ଧାମନଗର NACର ବହୁ ଅଞ୍ଚଳ ବି ବନ୍ୟା ପାଣିରେ ବୁଡ଼ିଛି । ଜୟୀ ନଗର ଅଞ୍ଚଳରେ ପାଣି ଘେରରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ଭଦ୍ରକ-କେନ୍ଦୁଝର ସୀମାନ୍ତ ବନ୍ତ ବ୍ଲକ୍ ଅଧୀନ ଓଳମ ଦେଇ ପ୍ରବାହିତ ରେବ ନଦୀର ପୋଲ ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ପ୍ରବାହିତ ହେଉଛି l ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ।
କେନ୍ଦ୍ରାପଡ଼ା ଜିଲ୍ଲାରେ ବି ବନ୍ୟା ସ୍ଥିତି । ରାଜକନିକା ବ୍ଲକ ଗୋଖର୍ଣ୍ଣେଶ୍ବର ଗାଁର ୬୦ ପରିବାରର ତିନି ଶହରୁ ଅଧିକ ଲୋକ ଜଳବନ୍ଦୀ ହୋଇଛନ୍ତି । ଗାଁର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି l ସାତଭାୟା କଲୋନୀ ଜଳମଗ୍ନ ହୋଇଛି । ବାତ୍ୟା `ଦାନା' ଆହୁରି ଦୁର୍ବଳ ହୋଇ ସମ୍ପୂର୍ଣ ନିଷ୍କ୍ରିୟ ବା ଦୁର୍ବଳ ହୋଇଯିବ । ରାଜ୍ୟରେ ଆସନ୍ତାକାଲିଠାରୁ ବର୍ଷା କମିବ । ଗତ ୨୪ ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ଭୀଷଣ ବର୍ଷା ସହ ୧୧ ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଏବଂ ୧୯ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବାଲେଶ୍ବର ଔପଦାରେ ସର୍ବାଧିକ ୨୪୦ ମିମି ବର୍ଷା ରେକର୍ଡ ହୋଇଛି ।