କୋରାପୁଟରେ ଚାଷୀଙ୍କୁ ଧୋକା, ହଜାର ହଜାର ଚାଷୀ ହତାସ

Key Points
କୋରାପୁଟ ଜିଲ୍ଲାର ୨ଟି ବ୍ଲକରେ ଥିବା ଚାଷ ଜମିର ଅବସ୍ଥା ନକହିବା ଭଲ ।
ପାଣି ପାଇଁ ଜମି ଫାଟି ଆଁ କରିଛି ।
ଦେଢବର୍ଷ ହେଲାଣି ଜମିରେ ନିର୍ମାଣ ହୋଇନି ବୋରଓ୍ୱେଲ ।
ବିଜୁ କୃଷକ କଲ୍ୟାଣ ଯୋଜନା ହରିଲୁଟ । ପୁଣି କୋରାପୁଟ ଜିଲ୍ଲାରେ ଚାଷୀଙ୍କୁ ଧୋକା । ପାଣି ଦେବା ନାଁରେ ଲୁଟିନେଲେ ଲକ୍ଷାଧିକ ଟଙ୍କା । ଯୋଜନା ଆଶାରେ ହତାସ ହଜାର ହଜାର ଚାଷୀ । ପ୍ରଶ୍ନ ଘେରରେ ୨୪ ବର୍ଷର ପୂର୍ବ ବିଜେଡି ସରକାର ।
କୋରାପୁଟ ଜିଲ୍ଲାର ୨ଟି ବ୍ଲକରେ ଥିବା ଚାଷ ଜମିର ଅବସ୍ଥା ନକହିବା ଭଲ । ପାଣି ପାଇଁ ଜମି ଫାଟି ଆଁ କରିଛି । ଯେଉଁ ଚାଷୀମାନେ ବିଜୁ କୃଷକ ବିକାଶ ଯୋଜନାର ଲାଭ ଉଠାଇବା ନିମନ୍ତେ ଅନଲାଇନରେ କରିଥିଲେ ଆବେଦନ ଏବେ ତାଙ୍କ ଅବସ୍ଥା ବି ନକହିବା ଭଲ । ସାଧାରଣବର୍ଗର ଲୋକେ ୨୦ ହଜାର, STSC ବର୍ଗର ଲୋକେ ୧୦ ହଜାର ଟଙ୍କା ୟୁନିଅନ ବ୍ୟାଙ୍କରେ ଜମା କରିଥିଲେ । ଯାହାର ପ୍ରମାଣ ଏବେ ବି ତାଙ୍କ ହାତରେ ରହିଛି । କିନ୍ତୁ ଦେଢବର୍ଷ ହେଲାଣି ଜମିରେ ନିର୍ମାଣ ହୋଇନି ବୋରଓ୍ୱେଲ । ଶୁଖିଲା ପଡ଼ିଛି ୨ ଶହ ଏକର ଜମି ।
ବୋରୀଗୁମ୍ମା ବ୍ଲକ ଅଧିନରେ ଥିବା ବିଜାପୁର, ବଡ଼ ପିଣ୍ଡାପଦର, ସାନ ପିଣ୍ଡାପଦର, ହାର୍ଦ୍ଧଳୀ, ନୂଆଗାଁ, ସର୍ଗିଗୁଡା, ବୋରିଗୁମ୍ମା, ଦୁଲାଗୁଡା, ଧୁବୁଲି ଅଞ୍ଚଳରେ ଶହଶହ ଚାଷୀଙ୍କର ବି ସମାନ ଅବସ୍ଥା । ପୂର୍ବ ବିଜେଡି ସରକାର ଭୂଆଁ ବୁଲାଇଲା, ଏବେ ଡବଲ ଇଞ୍ଜିନ ସରକାରଠୁ ଆଶା ବାନ୍ଧିଛନ୍ତି ଚାଷୀ, ଜମିକୁ ପାଣି ମିଳିବ ।
କୋରାପୁଟ ଜିଲ୍ଲାପାଳ କହିଛନ୍ତି, ଏହି ବୋରୱେଲ ଖନନକୁ ନେଇ ସରକାରଙ୍କ ପକ୍ଷରୁ ନୂଆ ଟେଣ୍ଡର ଆହ୍ଵାନ କରାଯିବ । ସମସ୍ୟାର ସମାଧାନ କରାଯିବ ।
ପ୍ରଥମେ କାଳିଆ ଆଉ ପରେ ବିଜୁ କୃଷକ କଲ୍ୟାଣ ଭଳି ଯୋଜନା କରି ତତ୍କାଳୀନ ସରକାର ଠକି ଦେଇଥିବା ଅଭିଯୋଗ । ଏବେ ବିଜେପି ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବେ ବୋଲି ଆଶା ବାନ୍ଧିଛନ୍ତି ଚାଷୀ ।