ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ

ପୁଣି ଜଗତର ନାଥ ଜଗନ୍ନାଥଙ୍କୁ ଅପମାନ
ସମୁଦ୍ରକୂଳରେ ପଡିରହିଛନ୍ତି ଭାଇଭଉଣୀ
ଉତ୍ସବ ସରିବା ପରେ ଅନାଦର ହୋଇଗଲେ ମହାପ୍ରଭୁ ?
ମାଟି ବାଲିରେ ପୋତି ହୋଇ ପଡିଛନ୍ତି ଆମ ଆରାଧ୍ୟ ଦେବତା । ଯେଉଁ ଦୃଶ୍ୟ ଦେଖିବା ପରେ ପ୍ରତିଟି ଓଡିଆର ହୃଦୟରେ ଶକ୍ତ ଆଘାତ ଲାଗିବ । ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଏପରି ଅପମାନ କରୁଥିବାର ଅନେକ ଭିଡିଓ ଆମ ସାମ୍ନାକୁ ଆସିଛି । ଏଥିପ୍ରତି ସେମାନଙ୍କୁ ଯେତେ ସଚେତନ କରିଲା ପରେ ମଧ୍ୟ ପୁଣି ଏମିତି ଏକ ଭିଡିଓ ଏବେ ଆପଣଙ୍କ ସମ୍ମୁଖରେ ।
ପ୍ରତିଟି ଓଡିଆର ଭାବାବେଗ ସହିତ ଜଡିତ ଆମ ମହାପ୍ରଭୁ ଜଗନ୍ନାଥ । ଯିଏ ସାରା ବିଶ୍ବ ବ୍ରହ୍ମାଣ୍ଡର ମୁରବୀ , ତାଙ୍କୁ ସମୁଦ୍ରକୁଳରେ ବିକ୍ଷିପ୍ତ ଭାବେ ପକାଯାଇଛି । ଅନ୍ୟ ଦେଶରେ ଶ୍ରୀଜଗନ୍ନାଥଙ୍କ ଦେଶର ଲୋକଙ୍କୁ ସମ୍ମାନ ଦିଆଯାଉଥିବା ବେଳେ ସ୍ବୟଂ ମହାପ୍ରଭୁଙ୍କ ଦେଶରେ ତାଙ୍କୁ ଏପରି ଅପମାନ ଦିଆଯିବା ଅତ୍ୟନ୍ତ ନିନ୍ଦନୀୟ । ଏ ଦୃଶ୍ୟ ହେଉଛି ବାଲେଶ୍ବର ଜିଲ୍ଲା ଡଗରା ସମୁଦ୍ର ବେଳାଭୂମିର । ଏହି ବେଳାଭୂମିରେ ଜଗନ୍ନାଥଙ୍କର ଅନେକ ଗୁଡିଏ ମୂର୍ତ୍ତି ବିକ୍ଷିପ୍ତ ଆବସ୍ଥାରେ ପଡି ରହିଛି ।
ବାଲିଆପାଳ ବ୍ଲକ ଅଞ୍ଚଳର ଦୁଇଟି ସ୍ଥାନରେ ଗତ ଫେବୃଆରୀ ମାସରେ ଜଗନ୍ନାଥଙ୍କ ୩୨ ବେଶ କରାଯାଇ ୧୦ ଦିନିଆ ଉତ୍ସବ କରାଯାଇଥିଲା । ଉତ୍ସବ ପରେ ଡଗରା ସମୁଦ୍ର ବେଳାଭୂମିରେ ଜଗନ୍ନାଥଙ୍କ ୩୨ ବେଶର ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯାଇଥିଲା । ହେଲେ ସମୁଦ୍ର ଜୁଆରରେ ମୂର୍ତ୍ତିଗୁଡ଼ିକୁ କୂଳରେ ଅତି ବିକ୍ଷିପ୍ତ ଅବସ୍ଥାରେ ପଡି ରହିଛି ।
ମହାପ୍ରଭୁଙ୍କୁ ଉତ୍ସବରେ ଆଣିବା ବେଳେ ଯଦି ଏତେ ଆଡମ୍ବରରେ ଆଣୁଛନ୍ତି, ତେବେ ବିସର୍ଜନ ବେଳେ ଏତେ ହତାଦର କାହିଁକି ? ପୂର୍ବରୁ ମଧ୍ୟ ଅନେକ ଥର ଉତ୍ସବ ସରିବା ପରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଏମିତି ଅବସ୍ଥାରେ ପଡି ରହିଥିବା ଦୃଶ୍ୟ ନଜର ଆସିଛି । ଏବେ ପୁଣିଥରେ ସେମିତି ଭୂଲ କରିଥିବାରୁ ସେହି ଲୋକମାନଙ୍କ ବିରୋଧରେ କୋଠର ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।