Agniveer / ଅଗ୍ନିବୀର ଦେଖାଇଲେ ବୀରତ୍ୱ, ଥରେ ଦେଖନ୍ତୁ ରୁମ ଟାଙ୍କୁରି ଉଠିବ...

Key Points
ରାମଚଣ୍ଡୀ ମୁହାଣରେ ରାଜ୍ୟ ଦେଖିଲା ଅଗ୍ନିବୀରଙ୍କ ପରାକ୍ରମର ଝଲକ୍ । ରାଜ୍ୟ ଜଳ ଦକ୍ଷତା ଏବଂ ଜୀବନ ରକ୍ଷୀ ପ୍ରତିଷ୍ଠାନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ପ୍ରାକୃତିକ ଦୁର୍ବିପାକରେ ଲଢ଼ିବା ଲାଗି ଆଗ୍ନିକଙ୍କୁ ମିଳିବ ଉପଯୁକ୍ତ ତାଲିମ । ସାମୁଦ୍ରିକ କ୍ରୀଡ଼ା ସହ ପର୍ଯ୍ୟଟନକୁ ମିଳିବ ପ୍ରୋତ୍ସାହନ ।
କେତେବେଳେ ମଝି ଦରିଆରେ ବୋଟରେ ନିଆଁ ଲାଗିଲାଣି ତ କେତେବେଳେ ଅଗାଧ ଜଳକୁ ଲମ୍ଫ ମାରି ଜୀବନ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ସ୍କୁବା ଡ୍ରାଇଭର୍। ଯୁଆଡେ ଦେଖିବେ ସେଆଡେ ଅଗ୍ନିଯୋଦ୍ଧାଙ୍କ ବୀରତ୍ୱର ଝଲକ୍। ପୁରୀର ରାମଚଣ୍ଡୀ ମୁହାଣରେ ଆଜି ଉଦଘାଟିତ ହୋଇଛି ରାଜ୍ୟ ଜଳ ଦକ୍ଷତା ଏବଂ ଜୀବନ ରକ୍ଷୀ ପ୍ରତିଷ୍ଠାନ। ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସାମିଲ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପୁରୀ ବିଧାୟକ ସୁନିଲ ମହାନ୍ତି, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଖିଛନ୍ତି ଅଗ୍ନିଯୋଦ୍ଧାଙ୍କ ବୀରତ୍ୱ । ଏହି ପ୍ରତିଷ୍ଠାନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଉପରେ ଆଗ୍ନିକଙ୍କୁ ଉପଯୁକ୍ତ ତାଲିମ ମିଳିପାରିବ ।
ଓଡ଼ିଶାରେ ୩ଟି ତାଲିମ ପ୍ରତିଷ୍ଠାନ ମଧ୍ୟରୁ କୋଣାର୍କ ରାମଚଣ୍ଡୀ ମୁହାଣରେ ଗୋଟିଏ ରହିଛି। ଏଠାରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯିବା ଫଳରେ ନୂଆ ପିଲାମାନେ ଉପଯୁକ୍ତ ତାଲିମ ନେଇପାରିବେ । ରାମଚଣ୍ଡୀ ମୁହାଣ ସବୁଠୁ ବିପଦଜ୍ଜନକ ହୋଇଥିବାରୁ ଏଠି ତାଲିମପ୍ରାପ୍ତ ଯୁବକ ଓଡ଼ିଶା ବିପର୍ଯ୍ୟୟ ସମୟରେ ଗୁରୁତ୍ୱପୂର୍ଣ ଭୂମିକା ନିଭେଇବେ ବୋଲି ଆଶା କରାଯାଉଛି।
ପ୍ରତିଷ୍ଠାନରେ ୧୫୦ ଆଗ୍ନିକ ତାଲିମ ନେବାର ବ୍ୟବସ୍ଥା ରହିଛି। ଆଜି ପତାକା ଉତ୍ତୋଳନ ପରେ ଅବିସ୍ମରଣୀୟ ଡେମୋର ଫ୍ଲାଗ ଅଫ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଏବଂ ଜୀବନ ରକ୍ଷୀ ପ୍ରତିଷ୍ଠାନ ବା ଓସ୍ୱାଲି ପାଇଁ ପର୍ଯ୍ୟଟନ ବିଭାଗ ଓ ଅଗ୍ନିଶମ ବିଭାଗ ମଧ୍ୟରେ ମିଳିତ ରାଜିନାମା ହୋଇଛି। ଦୁଇ ଲାଇନରେ ରେସକ୍ୟୁ ବୋଟ ସୁନିୟୋଜିତ ସମନ୍ଵୟରେ ଆଗକୁ ବଢିଥିଲେ।
ଏହି ଡେମୋ ବା ଫରମେସନ୍ ମାଧ୍ୟମରେ ଓସ୍ୱାଲି ଟିମର ଶୃଙ୍ଖଳା, ସମନ୍ଵୟକୁ ପ୍ରଦର୍ଶିତ କରାଯାଇଛି। ଏହାପରେ ୧୨୦ ଜଣ ସ୍ଵିମର ପ୍ଲଟିଂ ଷ୍ଟେଜ୍ ପ୍ରତି ସମାନ୍ତରାଳ ଗତିରେ ସନ୍ତରଣ କରି ଆସିବା ବେଶ୍ ଚିତାକର୍ଷକ ଥିଲା। ବୋଟ୍ ରେ ମିସ୍ ଫାୟାର ବା ଜରୁରୀ ପରିସ୍ଥିତି ଉପୁଜିବା ସମୟରେ ଓସ୍ୱାଲିର ଫାୟାର ଫାଇଟିଂ ଟିମ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଡେମୋ ସେମାନଙ୍କ ଶକ୍ତି, ସାହସକୁ ପ୍ରମାଣିତ କରିଥିଲା। ପରେ ମୁଖ୍ୟମନ୍ତ୍ରୀ ଓସ୍ୱାଲି ବିଲ୍ଡିଂର ସମସ୍ତ ନିର୍ମାଣ ବୁଲି ଦେଖିଥିଲେ। କେବଳ ଜଳ ଦକ୍ଷତା ଏବଂ ଜୀବନ ରକ୍ଷା ନୁହେଁ ସାମୁଦ୍ରିକ କ୍ରୀଡା ପାଇଁ ଏହା ବେଶ୍ ଉତ୍ସାହ ଓ ପ୍ରେରଣା ଯୋଗାଇଛି। ଏହାଦ୍ବାରା ପର୍ଯ୍ୟଟନ ଅଭିବୃଦ୍ଧିର ଆଶା ସୃଷ୍ଟି ହୋଇଛି।
📱 Get Argus News App
✨Related Topics
Explore more stories