ଭିଡ ଓ ଟ୍ରାଫିକ୍ ନିୟନ୍ତ୍ରଣ କରିବ AI କ୍ୟାମେରା

Key Points
ରଥଯାତ୍ରା ଶୃଙ୍ଖଳିତ କରିବାକୁ ନିଆଯିବ କଠୋର ପଦକ୍ଷେପ
ଅଣସେବାୟତ ରଥ ଉପରେ ଚଢିଲେ କରାଯିବ ଗିରଫ
ସେବାୟତମାନେ ରଥରେ ଫୋନ୍ ବ୍ୟବହାର ଉପରେ ଲାଗିବ କଟକଣା
ପହଣ୍ଡିରେ କେଉଁ ସେବାୟତ ରହିବେ ଆଗୁଆ ପ୍ରସ୍ତୁତ ହେବ ତାଲିକା
ପ୍ରଥମଥର ପାଇଁ ଖୋଲାଯିବ ଇଣ୍ଟିଗ୍ରେଟେଡ଼ କାମାଣ୍ଡାଣ୍ଟ କଣ୍ଟ୍ରୋଲ ସେଣ୍ଟର
ଭିଡ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ AI କ୍ୟାମେରା ଜରିଆରେ ରଖାଯିବ ନଜର
ଗତ ରଥଯାତ୍ରା ବେଳେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥରେ ଚଢିଥିବା ଅଣସେବାୟତଙ୍କ ହାତଧରି ଭିଡ଼ିଭିଡ଼ି ନେବା ଦୃଶ୍ୟ ଖୁବ ଚର୍ଚ୍ଚାକୁ ଆସିଥିଲା। ବଡ଼ଠାକୁରଙ୍କ ପହଣ୍ଡି ବେଳେ ହୋଇଥିବା ଅଘଟଣ ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାର ଶୃଙ୍ଖଳା ରକ୍ଷା ପାଇଁ କିଛି କଠୋର ନିଷ୍ପତ୍ତି ନେଇଥିଲେ। ଏଥର ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଗତବର୍ଷଠାରୁ ବି ଅଧିକ କଠୋର ପଦକ୍ଷେପ ନିଆଯିବ। ସେଗୁଡ଼ିକ ଯଥା
ଅଣ ସେବାୟତ ରଥ ଉପରେ ଚଢିଲେ ଗିରଫ କରାଯିବ
ରଥରେ ସେବାୟତମାନେ ମୋବାଇଲ ଫୋନ୍ ବ୍ୟବହାର ଉପରେ ଲାଗିବ ରୋକ୍
ପହଣ୍ଡିରେ କେଉଁ କେଉଁ ସେବାୟତ ରହିବେ ସେମାନଙ୍କ ତାଲିକା ଆଗୁଆ ପ୍ରସ୍ତୁତ ହେବ
କେଉଁ ଘଣ୍ଟୁଆ ସେବାୟତ ରଥରେ ରହିବେ ସେମାନଙ୍କ ତାଲିକା ବି ପ୍ରସ୍ତୁତ କରାଯିବ
ଛତିଶା ନିଯୋଗ ସହ ଆଲୋଚନା ହୋଇ ଏ ସବୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେହିପରି ରଥଯାତ୍ରା ବେଳେ ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଅନେକ ନୂଆ ପଦକ୍ଷେପ ଗ୍ରହଣ କରୁଛି ପୋଲିସ। ସେଗୁଡ଼ିକ ମଧ୍ୟରେ ରହିଛି
ପ୍ରଥମଥର ପାଇଁ ପୁରୀରେ ଇଣ୍ଟିଗ୍ରେଟେଡ଼ କାମାଣ୍ଡାଣ୍ଟ କଣ୍ଟ୍ରୋଲ ସେଣ୍ଟର ଟାଉନ ଥାନାରେ ଖୋଲାଯିବ
ଉତ୍ତରାଛକ ରୁ ପୁରୀ ପର୍ଯ୍ୟନ୍ତ ସିସିଟିଭି ସର୍ଭିଲାନ୍ସରେ ରହିବ
ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ବି ସିସିଟିଭି ଲଗାଯିବ
AI କ୍ୟାମେରା ଦ୍ୱାରା ଭିଡ଼ ଓ ଟ୍ରାଫିକ୍ ଉପରେ ନଜର ରଖାଯିବ
କଣ୍ଟ୍ରୋଲ ରୁମରୁ ଜନସାଧାରଣଙ୍କ ପାଇଁ ଆଡଭାଇଜାରୀ ଜାରି ହେବ
ଏକ ଆପ୍ ଜରିଆରେ ପାର୍କିଂ ଓ ଟ୍ରାଫିକ୍ ରୁଟ୍ ସମ୍ପର୍କରେ ଭକ୍ତଙ୍କୁ ସୂଚନା ଦିଆଯିବ
ଡ୍ରୋନ ଓ ଆଣ୍ଟି ଡ୍ରୋନ ସିଷ୍ଟମ ପୁରୀରେ ମୁତୟନ କରାଯିବ
ସେପଟେ ପୁରୀ ଯାଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ସେ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ତିନି ରଥର ମୁଖ୍ୟ ବିଶ୍ଵକର୍ମାଙ୍କ ସହ ଆଲୋଚନା କରିଥିଲେ। ସେହିପରି ଶ୍ରୀମନ୍ଦିର ସିଂହଦ୍ଵାରଠାରେ ଚାଲିଥିବା ସମସ୍ତ ଚିତ୍ର କାର୍ଯ୍ୟ ମଧ୍ୟ ମୁଖ୍ୟ ଶାସନ ସଚିବ ବୁଲି ଦେଖିଥିଲେ। ମହାପ୍ରଭୁଙ୍କର ଆଶୀର୍ବାଦରୁ ଚଳିତବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେବ କହିଛନ୍ତି ମୁଖ୍ୟ ଶାସନ ସଚିବ।
ରଥଯାତ୍ରାରେ ଯେପରି କୌଣସି ବିଶୃଙ୍ଖଳା ନହୁଏ କିମ୍ବା ଅଘଟଣ ନଘଟେ ସେଥିପାଇଁ ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟପକ ବନ୍ଦୋବସ୍ତ କରାଯାଉଛି। ଏସବୁ ବ୍ୟବସ୍ଥା ଉପରେ ସରକାରଙ୍କ ପକ୍ଷରୁ ମଧ୍ୟ ବାରମ୍ବାର ସମୀକ୍ଷା କରାଯାଉଛି।