Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

AI / ଏ.ଆଇ. ସାମ୍ବାଦିକତାକୁ ସଶକ୍ତ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ: ବାଚସ୍ପତି

Banajyotshna Ray
Browse all articles by Banajyotshna Ray
·7 months ago·3 min read
ଏ.ଆଇ. ସାମ୍ବାଦିକତାକୁ ସଶକ୍ତ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ: ବାଚସ୍ପତି

Key Points

ଜାତୀୟ ମିଡିଆ ମହାକୁମ୍ଭ ଉଦଯାପିତ
ଗଣମାଧ୍ୟମରେ କୁତ୍ରିମ ବୁଦ୍ଧିମତ୍ତା ନୀତି ପାଇଁ ଆହ୍ୱାନ

ସାମ୍ବାଦିକତାରେ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.) ବ୍ୟବହାର ସମୟରେ ଗଣମାଧ୍ୟମ ନୀତିଗତ ମାନଦଣ୍ଡକୁ ବଜାୟ ରଖିବା ସହ ସାମାଜିକ ଆସ୍ଥାକୁ ଅକ୍ଷୁର୍ଣ୍ଣ ରଖି ଖବର ପ୍ରସାରଣ କରିବାର ଆବଶ୍ୟକତା ଉପରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଗୁରୁତ୍ୱାରୋପ କରିଛନ୍ତି। ରବିବାର ଦିନ କିମସ ଅଡିଟୋରିୟମରେ ଇନଷ୍ଟିଚ୍ୟୁଟ ଅଫ ମିଡ଼ିଆ ଷ୍ଟଡ଼ିଜ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ସହଭାଗିତାରେ ଆୟୋଜିତ ତିନିଦିନିଆ ଜାତୀୟ ମିଡ଼ିଆ ମହାକୁମ୍ଭର ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଚସ୍ପତି କହିଲେ ଯେ ଏ.ଆଇ. ସାମ୍ବାଦିକତାକୁ ସଶକ୍ତ କରିବାରେ ଏକ ଶକ୍ତିଶାଳୀ ମାଧ୍ୟମ, କିନ୍ତୁ କୃତ୍ରିମ ବୁଦ୍ଧିମତା ବିନିଯୋଗ କଲାବେଳେ ସଠିକ୍ ମାନବ ନିୟନ୍ତ୍ରଣର ଆବଶ୍ୟକତା ରହିଛି ।

ଗଣମାଧ୍ୟମ ପାଇଁ ଆସ୍ଥା ହାସଲ କରିବା କଠିନ, କିନ୍ତୁ ହରାଇବା ସହଜ ବୋଲି ଅଭିହିତ କରି, ଗଣମାଧ୍ୟମ ଖବର ସୃଷ୍ଟି ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଜାତୀୟ ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୪୨ ଜଣ ପ୍ରମୁଖ ଗଣମାଧ୍ୟମ ବିଶେଷଜ୍ଞମାନଙ୍କୁ ସମ୍ବୋଧନ କରି ବାଚସ୍ପତି ଏହି ମତବ୍ୟକ୍ତ କରିଛନ୍ତି। ଏହି ତିନିଦିନିଆ ସମ୍ମିଳନୀରେ ‘ମିଡିଆ ୫.୦: ଡିଜିଟାଲ କମ୍ୟୁନିକେସନ୍’ ବିଷୟରେ ଚର୍ଚ୍ଚା ହୋଇଥିଲା। ସେ ମଧ୍ୟ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ସାମ୍ବାଦିକତାଗତ କୃତି, ସ୍ଵାଧୀନତା ସଂଗ୍ରାମ ଓ ନୂତନ ଓଡ଼ିଶା ଗଠନରେ ତାଙ୍କର ବଳିଷ୍ଠ ଭୂମିକା ଉପରେ ଆଲୋକପାତ କରିଥିଲେ ।

ଅନ୍ୟତମ ଅତିଥି ଏଫ୍ଏମ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠି କହିଛନ୍ତି ଯେ ଏବେ ଆମେ ଏ.ଆଇ. ଯୁଗରେ ବାସ କରୁଛୁ। ଆମେ କୁତ୍ରିମ ବୁଦ୍ଧିମତ୍ତାକୁ ଏଡ଼ାଇ ପାରିବା ନାହିଁ; ଆମକୁ ଏହାକୁ ଗ୍ରହଣ କରିବାକୁ ପଡିବ। ଏ.ଆଇ.ର ସର୍ବୋତ୍ତମ ଅଂଶଗୁଡ଼ିକୁ ଗ୍ରହଣ କରି, ଏହାର ସବୁଠାରୁ ଖରାପ ଅଂଶକୁ ପ୍ରତ୍ୟାଖ୍ୟାନ କରିବାକୁ ପଡିବ। ଏ.ଆଇ.ର ସଠିକ ବ୍ୟବହାର ହେବା ଉଚିତ, ଏହାର ଅପବ୍ୟବହାର ନୁହେଁ। ଏ.ଆଇ. ବ୍ୟବହାର କରିବା ସମୟରେ, ଆମକୁ ମାନବ ବୁଦ୍ଧିମତ୍ତା ମଧ୍ୟ ପ୍ରୟୋଗ କରିବାକୁ ପଡିବ ବୋଲି ସେ ମତବ୍ୟକ୍ତ କରିଥିଲେ |

ଗାନ୍ଧୀନଗର ସ୍ଥିତ ପଣ୍ଡିତ ଦୀନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଦୀପ ମଲ୍ଲିକ ତଥ୍ୟତନ୍ତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଯୁକ୍ତିବିଦ୍ୟା ମିଡ଼ିଆକୁ ଗଣତାନ୍ତ୍ରିକ କରିଛି। ଆମେ ପ୍ରଯୁକ୍ତିବିଦ୍ୟାକୁ ପ୍ରତିରୋଧ କରିପାରିବା ନାହିଁ, କିନ୍ତୁ ଆମେ ଏହା ଦ୍ୱାରା ନିୟନ୍ତ୍ରିତ ହେବା ଉଚିତ୍ ନୁହେଁ। ଡାଟାକ୍ରେସି ଏବଂ ଆଲଗୋରିଦମ-ଚାଳିତ ଗଣମାଧ୍ୟମର ଯୁଗରେ, ଆମେ ସତ୍ୟ କ'ଣ ତାହା ବୁଝିବା ସହ ଆମର ନିଜସ୍ୱ ନିଷ୍କର୍ଷରେ ପହଞ୍ଚିବାକୁ ସକ୍ଷମ ହେବା ଉଚିତ ବୋଲି ସେ କହିଥିଲେ। ସମାଜ ଏବଂ ସମଗ୍ର ଦେଶର ପ୍ରଗତି ପାଇଁ - ବୃହତର ମଙ୍ଗଳ ପାଇଁ - ଆମେ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃତ୍ରିମ ବୁଦ୍ଧିମତ୍ତା ମଧ୍ୟ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରାଯିବା ଉଚିତ ବୋଲି ସେ କହିଛନ୍ତି ।

ଏହି ଅବସରରେ ଛଅ ଜଣ ଯୁବ ଗବେଷକଙ୍କୁ ଶ୍ରେଷ୍ଠ ସନ୍ଦର୍ଭ ଉପସ୍ଥାପନା ପାଇଁ ପୁରସ୍କୃତ କରାଯାଇଥିଲା । ସେହିପରି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟକୁ ଜନସଂପର୍କ କାର୍ଯକ୍ରମ ପାଇଁ ଶ୍ରେଷ୍ଠ ସଂଗଠନ ଭାବେ ୯ମ ଏନ.ଏମ. ସି ପୁରସ୍କାର ପ୍ରଦାନ କରାଯାଇଛି । ଗୁରୁ ଜମ୍ଭେଶ୍ୱର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ଡକ୍ଟର ମିହିର ରଞ୍ଜନ ପାତ୍ରଙ୍କୁ ପ୍ରଥମ ଚଳଚ୍ଚିତ୍ର ମହୋତ୍ସବର ସଫଳତାର ସହିତ ଆୟୋଜନ କରିବା ପାଇଁ ସମ୍ମାନିତ କରାଯାଇଥିଲା । ଏଥିରେ ୧୨ ଗୋଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ଆନ୍ନା ବିଶ୍ୱବିଦ୍ୟାଳୟର ମିଡିଆ ସାଇନ୍ସର ପ୍ରଫେସର ଡକ୍ଟର ଏସ୍. ଆରୁଲଚେଲଭାନ ଏବଂ ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର ଡକ୍ଟର ରୁଚିତା ସୁଜାଇ ଚୌଧୁରୀ ଏହି ଅବସରରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। କନକ୍ଲେଭର ଅଧ୍ୟକ୍ଷ ଏବଂ ଆଇ.ଏମ.ଏସ.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ, ଏନଏମସିର ସାଙ୍ଗଠନିକ ସଚିବ ତଥା ଆଇ.ଏମ.ଏସ.ର ସହକାରୀ ପ୍ରଫେସର ମନୋରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
AI | AI Is Empowering Modern Journalism | Argus News | Argus News