ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଆକାଶ ଅମ୍ବାନୀ

Key Points
ମହାପ୍ରଭୁଙ୍କ ଦର୍ଶନ କଲେ ଆକାଶ ଅମ୍ବାନୀ
ମହାପ୍ରଭୁଙ୍କ ଦର୍ଶନ କଲେ ଆକାଶ ଅମ୍ବାନୀ । ଭାରତର ବିଶିଷ୍ଟ ଶିଳ୍ପପତି ତଥା ରିଲିଆନ୍ସ ଜିଓର ପ୍ରତିଷ୍ଠାତା ମୁକେଶ ଅମ୍ବାନୀଙ୍କ ଜ୍ୟେଷ୍ଠ ପୁତ୍ର ଆକାଶ ଅମ୍ବାନୀ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ସିଂହଦ୍ଵାର ଥାନା ପାଖରେ ଆକାଶ ଅମ୍ବାନୀ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିବା ବେଳେ କଡା ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ।
ତାଙ୍କ କୌଳିକପଣ୍ଡା ଜଗନ୍ନାଥ କର ଆକାଶ ଅମ୍ବାନୀଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ମହାପ୍ରଭୁଙ୍କ ଦର୍ଶନ ସମେତ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରି ସେ ବେଶ ଖୁସି ପ୍ରକଟ କରିଥିଲେ ବୋଲି ତାଙ୍କ କୌଳିକପଣ୍ଡା କହିଛନ୍ତି । ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥିବାରୁ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା ତେଣୁ ବିଳମ୍ବିତ ରାତିରେ ସଂଧ୍ୟା ଧୂପ ସମୟରେ ଆକାଶ ଅମ୍ବାନୀ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପାର୍ଶ୍ୱଦେବାଦେବୀଙ୍କ ଦର୍ଶନ କରିଥିଲେ ।
📱 Get Argus News App
✨ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଆକାଶ ଅମ୍ବାନୀ ଶ୍ରୀମନ୍ଦିର ଭିତରେ ସମୟ ଅତିବାହିତ କରିଥିବା ବେଳେ ପ୍ରାୟ 15 ମିନିଟ୍ ଧରି ସେ କେବଳ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଥିଲେ ବୋଲି କହିଛନ୍ତି ତାଙ୍କ କୌଳିକପଣ୍ଡା । ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ସମୟରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯିବା ସହ କୌଳିକପଣ୍ଡା ଜଗନ୍ନାଥ କର ମଧ୍ୟ ତାଙ୍କୁ ଖଣ୍ଡୁଆ ଓ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଭେଟି ଆକାରରେ ଦେଇଥିଲେ ।
ପରେ ଆକାଶ ଅମ୍ବାନୀ ତାଙ୍କ କୌଳିକପଣ୍ଡାଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇ କଡା ସୁରକ୍ଷା ମଧ୍ୟରେ ଫେରିଯାଇଥିଲେ । ଆକାଶ ଅମ୍ବାନୀ ଏକ ରିଲିଆନ୍ସ ଖାମ୍ ରେ ଶ୍ରୀମନ୍ଦିରକୁ କିଛି ଅର୍ଥ ଦାନ ଆକାରରେ ଦେଇଛନ୍ତି । ଯାହା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମରେ ପ୍ରକାଶ କରାଯିବ ବୋଲି ତାଙ୍କ କୌଳିକପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ।