Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ସର୍ଭେ

Rashmita Mishra
Browse all articles by Rashmita Mishra
·12 months ago·2 min read
ଓଡ଼ିଶା ସୀମାରେ ଆନ୍ଧ୍ର ଅଧିକାରୀଙ୍କ ସର୍ଭେ

Key Points

ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଅନୁପ୍ରବେଶ
ଗଜପତି ଗଙ୍ଗାବାଡ଼ ପଞ୍ଚାୟତରେ ଆନ୍ଧ୍ର ଅଧିକାରୀଙ୍କ ସର୍ଭେ
ପକ୍କା ଘର, ଭତ୍ତା, ପିଲାଙ୍କ ଶିକ୍ଷା ପାଇଁ ଟଙ୍କା ଦେବାକୁ ପ୍ରଲୋଭନ
ପ୍ରଲୋଭନରେ ନ ଭଳିବାରୁ ଲୋକଙ୍କୁ ଦେଖାଇଲେ ନାଲି ଆଖି
ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଉପଜିଲ୍ଲାପାଳ

ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ମହେନ୍ଦ୍ରଗିରିର ପାଦ ଦେଶରେ ଥିବା ଅଞ୍ଚଳର ମାଟି, ପାଣି ପବନ ଓଡ଼ିଶାର । କିନ୍ତୁ ଏ ଇଲାକାକୁ ନିଜ କବଜାକୁ ନେବାକୁ ଦୀର୍ଘ ଦିନ ଧରି ଚେଷ୍ଟା କରୁଛି ଆନ୍ଧ୍ର । ଏମାନଙ୍କ କିଛି ଜମି ଜେଜେବାପା ଅମଳରୁ ଆନ୍ଧ୍ରପ୍ରଦେଶ ଅଧିନରେ ରହିଛି । ଯେଉଁଥିପାଇଁ ଗାଁର କିଛି ଲୋକ ଆନ୍ଧ୍ରର ଷଡ଼ଯନ୍ତ୍ରରେ ସାମିଲ ହେବାକୁ ବାଧ୍ୟ ହେଉଛନ୍ତି । ଆଉ କିଛି ଓଡ଼ିଶା ସପକ୍ଷରେ ବାହାରି ପ୍ରତିବାଦ କରୁଛନ୍ତି । ପ୍ରତ୍ୟେକ ସପ୍ତାହରେ ଦୁଇ ଥର ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ଗାଁକୁ ଆସି ଗ୍ରାମବାସୀଙ୍କୁ ପ୍ରଲୋଭନ ଦେଉଛନ୍ତି । ଆନ୍ଧ୍ରରେ ମିଶିଗଲେ ପିଲାଙ୍କ ପାଠପଢା ପାଇଁ ୧୫ ହଜାର ଟଙ୍କା, ଭିନ୍ନକ୍ଷମ ଭତ୍ତା ୪ ହଜାର ଟଙ୍କା, ବର୍ଷକୁ ରୋଷେଇ ପାଇଁ ୩ଟି ମାଗଣା ଗ୍ୟାସ, ଚାଷୀଙ୍କ ପାଇଁ ଟଙ୍କା, ମାଗଣା ବସ୍ ସେବା ଯୋଗାଇ ଦେବାକୁ କହୁଛନ୍ତି । ପ୍ରଲୋଭନର ଲମ୍ବା ତାଲିକା ଥିବା ଲିଫଲେଟ ବି ବାଣ୍ଟୁଛନ୍ତି ।

ଗଙ୍ଗାବାଡ ପଞ୍ଚାୟତର ଅମାରିଙ୍ଗି ଗାଁ । ଏହି ଗାଁକୁ ମଧ୍ୟ ଆନ୍ଧ୍ର ଅଧିକାରୀ ଆସି ଏହି ସବୁ ସ୍ଥାନ ଆନ୍ଧ୍ରର ବୋଲି କହିବା ସହ ଶୀଘ୍ର ଖାଲି କରିବା ପାଇଁ କହୁଛନ୍ତି । ନଚେତ୍ ସବୁ ଭାଙ୍ଗି ଦେବାକୁ ଧମକ ଦେଉଥିବା କହିଛନ୍ତି ଗ୍ରାମବାସୀ ।

ସେହିପରି ଏ ହେଉଛି ମାଣିକପାଟଣା ଗାଁ । କିଛି ବର୍ଷ ପୂର୍ବେ ପ୍ରଦେଶର ଜଣେ ମନ୍ତ୍ରୀ ଆସି ଓଡ଼ିଶାର ଅଙ୍ଗନବାଡି କେନ୍ଦ୍ରକୁ ଭାଙ୍ଗି ଦେଇ ମାଟିରେ ମିଶାଇ ଦେବାକୁ ଧମକ ଦେଇଥିଲେ । ତାହା ପୁଣି ଜଣେ ଓଡ଼ିଆ ଅତିରିକ୍ତ ଜିଲ୍ଲାପାଳଙ୍କୁ । ତା ପରଠାରୁ ବିଭିନ୍ନ ସମୟରେ ଅନୁପ୍ରବେଶ କରି ଗ୍ରାମବାସୀଙ୍କୁ ପ୍ରଲୋଭିତ କରିବା ସହ ଆନ୍ଧ୍ରପ୍ରଦେଶରେ ମିଶାଇବା ପାଇଁ ଷଡ଼ଯନ୍ତ୍ର କରୁଛି ଆନ୍ଧ୍ର । ଆନ୍ଧ୍ର ପକ୍ଷରୁ ଓଡ଼ିଶା ଗାଁରେ ସର୍ଭେ ହେଉଥିବା ଖବର ପାଇବା ତତ୍ପର ହୋଇଉଠିଛି ଗଜପତି ଜିଲ୍ଲା ପ୍ରଶାସନ । ଯଦି ଆନ୍ଧ୍ର ଏଭଳି କାର୍ଯ୍ୟ ଜାରି ରଖେ, ତା ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଏହି ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରି ନିଜ ଆଡକୁ ଆକୃଷ୍ଟ କରିବା‌ ପାଇଁ ବାରମ୍ବାର ପ୍ରୟାସ ଜାରି ରଖିଛି ଆନ୍ଧ୍ର ।‌ ତେଣୁ ଏହାର ଉଚିତ ଜବାବ ଦେବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
andhra-officials-survey-odisha-border | Argus News