Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ବିଷୟ ବଳୟରେ ଅନୁଗୋଳ ! ‘ଗମ୍ଭୀର’ ହେଲାଣି ବାୟୁ ପ୍ରଦୂଷଣ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ବିଷୟ ବଳୟରେ ଅନୁଗୋଳ ! ‘ଗମ୍ଭୀର’ ହେଲାଣି ବାୟୁ ପ୍ରଦୂଷଣ
Dharmendra Pradhan

Key Points

ଅନୁଗୋଳ ଏବଂ ତାଳଚେର ଅଞ୍ଚଳବାସୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳରେ ବଢୁଥିବା ମାତ୍ରାଧିକ ବାୟୁ ପ୍ରଦୂଷଣ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଶାନ ରେଡ୍ଡୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପୃଥକ ପୃଥକ ପତ୍ର ଲେଖି ଜନସ୍ୱାସ୍ଥ୍ୟ ପ୍ରତି ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ଅବଗତ କରାଇଛନ୍ତି ।

ଅନୁଗୋଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ‘ଗମ୍ଭୀର’ ସ୍ଥିତିରେ ରହିବା ନେଇ ଶ୍ରୀ ପ୍ରଧାନ ଚିନ୍ତା ପ୍ରକଟ କରିଛନ୍ତି । ବିଶେଷ କରି ତାଳଚେର ଦେଶର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇବା ଏକ ଉଦ୍‌ବେଗଜନକ ବିଷୟ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାଦ୍ୱାରା ଶିଶୁ, ବୟସ୍କ ଏବଂ ଶ୍ୱାସକ୍ରିୟା ଜନିତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିପନ୍ନ ହେଉଥିବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଏଥିପାଇଁ ଶ୍ରୀ ପ୍ରଧାନ ତିନୋଟି ପତ୍ର ମାଧ୍ୟମରେ ପୃଥକ ପୃଥକ ପ୍ରସ୍ତାବ ଦେଇଛନ୍ତି । ଶିଳ୍ପାଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ନିୟମାବଳୀକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ରିଅଲ୍-ଟାଇମ୍ ମନିଟରିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା, କୋଇଲା ପରିବହନ କ୍ଷେତ୍ରରେ ‘ମେକାନାଇଜଡ୍ କୋଲ୍ ଟ୍ରାନ୍ସପୋର୍ଟେସନ୍ ସିଷ୍ଟମ’ ଏବଂ ଉନ୍ନତ ଧୂଳି ଦମନ ପ୍ରକ୍ରିୟା ଆପଣାଇବାକୁ କୋଇଲା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା, ଶିଳ୍ପାଞ୍ଚଳ ଏବଂ ଖଣି କରିଡର ଚାରିପାଖରେ ବ୍ୟାପକ ବୃକ୍ଷରୋପଣ ମାଧ୍ୟମରେ ‘ଗ୍ରୀନ୍ ବଫର୍’ ସୃଷ୍ଟି କରିବା ସହ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନସିଏପି) ଅନ୍ତର୍ଗତ ଲକ୍ଷ୍ୟ ଧାର୍ଯ୍ୟ ଯୋଜନାଗୁଡ଼ିକର ସମ୍ପ୍ରସାରଣ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀ ପ୍ରଧାନ ଦର୍ଶାଇଛନ୍ତି ଯେ, ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ (ଜିଆରଏପି) ଅନ୍ତର୍ଗତ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସାମୟିକ । ତେଣୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସ୍ଥାୟୀ ସମାଧାନ ବାହାର କରିବା ଆବଶ୍ୟକ । ଅନୁଗୋଳ ଏବଂ ତାଳଚେର ଅଞ୍ଚଳବାସୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Dharmendra Pradhan | Angul air pollution in serious condition | Argus News